Latest Odisha News

BREAKING NEWS

ସାରା ଦେଶରେ ଉତ୍ସବର ମାହୋଲ, ସିନ୍ଦୁର ଖେଳି ମା’ଙ୍କୁ ଦିଆଯିବ ମେଲାଣି

ଭୁବନେଶ୍ଵର: ଆଜି ହେଉଛି ପବିତ୍ର ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ହୋଇଥିବା ବିଜୟ ପାଇଁ ସାରା ଦେଶରେ ଏବେ ଉତ୍ସବର ମାହୋଲ । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମାଆଙ୍କ ଶାରଦୀୟ ଦୁର୍ଗାପୂଜା । ଆସନ୍ତାକାଲି ମେଲାଣି ନେବେ ମାଆ ଦଶଭୁଜା । ଏବେ ପୁଣି ଅପେକ୍ଷା ଆସନ୍ତାବର୍ଷକୁ । ଓଡ଼ିଆ ପରମ୍ପରା ଅନୁଯାୟୀ ଆସନ୍ତାକାଲି ଦେବୀଙ୍କୁ ମେଲାଣି ଦିଆଯିବ। କିନ୍ତୁ ବଙ୍ଗୀୟ ପରମ୍ପରା ଅନୁସାରେ ଦେବୀଙ୍କୁ ଆଜି ବିଦାୟ ଦିଆଯାଇଥାଏ । ତେବେ ମେଲାଣି ପୂର୍ବରୁ ବଙ୍ଗୀୟ ପରମ୍ପରା ଅନୁସାରେ ସିନ୍ଦୁର ଖେଳର ଏକ ନିଆରା ପରମ୍ପରା ରହିଥାଏ ।

ବିଜୟା ଦଶମୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ସିନ୍ଦୁର ଖେଳ। ଏଥିରେ ବିବାହିତ ମହିଳାମାନେ ମା’ ଦୁର୍ଗାଙ୍କୁ ସିନ୍ଦୁର ଲଗାଇବା ପରେ ସେହି ସିନ୍ଦୁରକୁ ଅନ୍ୟ ମହିଳାଙ୍କ ମଥାରେ ଲଗାଇ ସିନ୍ଦୁର ଖେଳି ଥାଆନ୍ତି। ଏହି ସିନ୍ଦୁର ଖେଳ ଖେଳିଲେ ଅଖଣ୍ଡ ସୌଭାଗ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ପ୍ରାୟ ୪୫୦ ବର୍ଷ ପୂର୍ବେ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ଏହି ପରମ୍ପରା ଆରମ୍ଭ ହୋଇଥିବା ଶୁଣିବାକୁ ମିଳେ। ଆହୁରି ମଧ୍ୟ କୁହାଯାଏ ଦଶହରା ଅବସରରେ ମା’ଦୁର୍ଗା ତାଙ୍କ ମାତାପିତାଙ୍କ ଘରକୁ ଯାଇଥିବା ବେଳେ ତାଙ୍କୁ ସିନ୍ଦୁର ଖେଳ ମାଧ୍ୟମରେ ବିଦାୟ ଦିଆଯାଇଥିଲା। ତେଣୁ ଦଶହରା ଅବସରରେ ସବୁ ସଧବା ନାରୀ ମା’ଙ୍କ ମଥା ଓ ପାଦରେ ସିନ୍ଦୁର ଲଗାଇବା ପରେ ସୌଭାଗ୍ୟ ପ୍ରାପ୍ତି ପାଇଁ ସିନ୍ଦୁର ଖେଳିଥାଆନ୍ତି।

ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବଙ୍ଗୀୟ ପରମ୍ପରାରେ ଦେବୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ। ବିଶେଷ କରି ବାଲେଶ୍ବର, ଭଦ୍ରକ ଏବଂ କଟକରେ କିଛି ସ୍ଥାନରେ ବଙ୍ଗୀୟ ପରମ୍ପରାରେ ଦେବୀଙ୍କ ଆରାଧନା କରାଯାଇଛି। ବାପଘରକୁ ଝିଅ ଆସିଲେ ତାକୁ ଅଳତା ସିନ୍ଦୁର ଲଗାଇ ବିଦାୟ ଦିଆଯାଏ। ସେହିପରି ଦେବୀ ଧରାପୃଷ୍ଠରୁ ବିଦାୟ ନେବା ବେଳେ ଏମିତି କିଛି କଲେ ମହିଳାମାନେ ସୌଭାଗ୍ୟ ବତୀ ହୋଇଥାନ୍ତି ବୋଲି ବିଶ୍ବାସ ରହିଛି।

ଶାସ୍ତ୍ରବିଧି ଅନୁସାରେ ସକାଳେ ଦେବୀ ଦୁର୍ଗାଙ୍କ ବିସର୍ଜ୍ଜନ ହେବା ପରେ ମହିଳାମାନଙ୍କ ମଧ୍ୟରେ ମଣ୍ଡପରେ ହୋଇଥାଏ ସିନ୍ଦୂର ଖେଳ। ଏହାପରେ ମଣ୍ଡପରୁ ମାଆଙ୍କ ବିଦାୟ ବେଳେ ଦୃଶ୍ୟ ଥାଏ ଅତ୍ୟନ୍ତ ହୃଦୟ ବିଦାରକ। ଭକ୍ତଜନ ଛଳଛଳ ନୟନରେ ମେଲାଣି ଦେଇଥାନ୍ତି ମାଆଙ୍କୁ।

 

Leave A Reply

Your email address will not be published.