Latest Odisha News

BREAKING NEWS

ବଙ୍ଗଳାମୁଖୀ ପୀଠରେ ଜଗତଜନନୀଙ୍କ ‘ମହାଗୌରୀ’ ବେଶ

ବାଲେଶ୍ୱର : ବିଭିନ୍ନ ସ୍ଥାନରେ ବିଭିନ୍ନ ରୂପରେ ପୂଜା ପାଉଛନ୍ତି ଜଗତଜନନୀ ମା’ ଦୁର୍ଗା । ବାଲେଶ୍ୱରରେ ଶାରଦୀୟ ଦୁର୍ଗାପୂଜା ଅବସରରେ ବଙ୍ଗଳାମୁଖୀ ପୀଠରେ ଅର୍ଚ୍ଚିତ ହେଲେ ମାଆଙ୍କ ଅଷ୍ଟମ ସ୍ୱରୂପ ‘ମହାଗୌରୀ’। ଶକ୍ତିପୀଠରେ ଚାଲିଛି ମା’ ଆଦ୍ୟାଶକ୍ତିଙ୍କର ନବରାତ୍ର ପୂଜା। ମାନସିକଧାରୀଙ୍କଠାରୁ ଆରମ୍ଭ କରି ଶ୍ରଦ୍ଧାଳୁ ଓ ସେବକମାନେ ଦୈନିକ ପ୍ରାତଃକାଳରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭକ୍ତି ଓ ନିଷ୍ଠାର ସହିତ କରୁଛନ୍ତି ମା’ଙ୍କର ଆରଧନା ।  ବାଲେଶ୍ୱର ସହର ଉପକଣ୍ଠ ତାମୂଳିଆ ସ୍ଥିତ ଶ୍ରୀ ଶ୍ରୀ ପୀତାମ୍ବରା ସିଦ୍ଧ ବଗଳାମୁଖୀ ପୀଠରେ ରୀତିନୀତି ଅନୁସାରେ ନବରାତ୍ର ଉତ୍ସବରେ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି ।

ମା’ଙ୍କର ନବଶକ୍ତିକୁ ଭକ୍ତି ଓ ନିଷ୍ଠାର ସହିତ ଆହ୍ୱାନ କରାଯାଇ ଏଠାରେ ପୂଜା କରାଯାଉଛି ।  ଅଷ୍ଟମ ଦିବସରେ ମହାଅଷ୍ଟମୀ ତିଥି ଅବସରରେ ମା’ଙ୍କର ଅଷ୍ଟମ ସ୍ୱରୂପ ମହାଗୌରୀଙ୍କୁ ଆରାଧନା କରାଯାଇଥିଲା । ମହାଗୌରୀ ହିଁ ଆଦି ଶକ୍ତି ଏବଂ ମା’ଙ୍କର ଏହି ସ୍ୱରୂପରେ ସମଗ୍ର ସଂସାର ପ୍ରକାଶମୟ ହୋଇଥାଏ । ମହାଗୌରୀଙ୍କୁ ପୂଜନ କଲେ ଭକ୍ତର ସମସ୍ତ ପ୍ରକାର କଷ୍ଟ ଦୂର ହୋଇଯାଇଥାଏ ତଥା ଭକ୍ତର ଜୀବନରେ ପବିତ୍ରତା ଏବଂ ଅକ୍ଷୟ ପୂଣ୍ୟ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ମହାଅଷ୍ଟମୀ ଅବସରରେ ପୀତାମ୍ବରା ସିଦ୍ଧ ବଗଳାମୁଖୀ ପୀଠରେ ମା’ଙ୍କର ମହାସରସ୍ୱତୀ ବେଶ ଅନୁଷ୍ଠିତ ହୋଇଥିଲା ।  ସରକାରଙ୍କ କୋଭିଡ ନିୟମ କଟକଣା ଯୋଗୁଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ମାଙ୍କର ଏହି ବେଶ ଦର୍ଶନରୁ ବଂଚିତ ହୋଇଥିଲେ । ମହାନବମୀ ତିଥିରେ ମା’ଙ୍କୁ ସିଦ୍ଧିଦାତ୍ରୀ ସ୍ୱରୂପଙ୍କୁ ଅର୍ଚ୍ଚନ କରାଯିବାର ସହିତ ମା’ଙ୍କର ମହାଳକ୍ଷ୍ମୀ ବେଶ ଅନୁଷ୍ଠିତ ହେବ । ପ୍ରତ୍ୟେହ ପ୍ରାତଃକାଳରୁ ରାତ୍ରି ପର୍ଯ୍ୟନ୍ତ ଷୋଡ଼ଶ ଉପଚାର ପୂଜା ସହିତ ସଂଧ୍ୟାରେ ସପ୍ତଶତୀ ଚଣ୍ଡିପାଠ ଓ ରାତିରେ ୧୦୮ ଆହୁତି ଆଦି କର୍ମକାଣ୍ଡ ମାଧ୍ୟମରେ ନିୟମିତ ପୂଜାର୍ଚ୍ଚନା ହେଉଅଛି ଏଠାରେ । ନବମୀ ଦିନ ଚଣ୍ଡିଯଜ୍ଞର ପୂର୍ଣ୍ଣାହୁତିରେ ମାଆଙ୍କର ନବରାତ୍ର ପୂଜା ସମ୍ପନ୍ନ କରାଯିବ ।

Leave A Reply

Your email address will not be published.