Latest Odisha News

BREAKING NEWS

ପାଟ୍ରୋଲିଂ ବେଳେ ଧରା ପଡ଼ିଲା ଚୋରା ସୁନା ବେପାର, ନଗଦ ଏକ କୋଟି ୨୨ ଲକ୍ଷ ଟଙ୍କା ସହ ୨୦ଟି ସୁନା ବିସ୍କୁଟ ଜବତ

ବ୍ରହ୍ମପୁର: ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଚାଲିଥିଲା ପାଟ୍ରୋଲିଂ । ବେଲେ ଧରା ପଡ଼ିଲା ଚୋରା ସୁନା ଚାଲାଣ । ବ୍ରହ୍ମପୁର ସହରରେ ଘଟିଛି ଏଭଳି କିଛି ଘଟଣା । ମଙ୍ଗଳବାର ଅପରାହ୍ଣରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ହୃଦୟାନନ୍ଦ ସାମନ୍ତ ଏବଂ ତାଙ୍କ ଟିମ୍ ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଯାଞ୍ଚ କରୁଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଓଏସଆରଟିସିର ଏକ ବସ୍ ଭିତରେ ତଲାସୀ କରିଥିଲେ ଅବକାରୀ କର୍ମଚାରୀଯ । ବସରେ ଥିବା ଜଣେ ଯାତ୍ରୀ ହିନ୍ଦୀରେ କଥା ହେଉଥିଲେ ।

ସନ୍ଦେହ ହେବାରୁ ତାଙ୍କୁ ପଚରାଉଚରା କରାଯାଇଥିଲା । ତାଙ୍କ ନିକଟରେ ଥିବା ବ୍ୟାଗ ଯାଞ୍ଚ ବେଳେ ବିଡ଼ା ବିଡ଼ା ଟଙ୍କା ଦେଖି ଅବକାରୀ ବିଭାଗ କର୍ମଚାରୀ ତାଜୁବ୍ ହୋଇ ଯାଇଥିଲେ । ଏନେଇ ବୈଦ୍ୟନାଥପୁର ଥାନାକୁ ସୂଚନା ଦେବା ପରେ ପୋଲିସ ବ୍ୟାଗରେ ଥିବା ୧ କୋଟି ୨୨ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି । ଏଥିସହ ମହାରାଷ୍ଟ୍ରର ଭରତ ଗୋଖେ ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଭରତଙ୍କ ଠାରୁ ସୂଚନା ପାଇ ପୋଲିସ ବିଭିନ୍ନ ଦୋକାନରୁ ୨୦ଟି ସୁନା ବିସ୍କୁଟ ମଧ୍ୟ ଜବତ କରିଛି ।

ଘଟଣାର ତଦନ୍ତ ଚାଲିଥିବା ଯୋଗୁଁ ଅଧିକ ସୂଚନା ଦେଇ ନାହିଁ । ତେବେ ଏହି ସୁନା ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ୍ ପାଇଁ ଭରତଙ୍କ ସହ ବ୍ରହ୍ମପୁରର କେତେକ ସୁନା ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଟିକସ ଫାଙ୍କି ଚୋରାରେ ସୁନା କାରବାର ହେଉଥିବା ଯୋଗୁଁ ତଦନ୍ତରେ GST ଏବଂ ଅନ୍ୟ ବିଭାଗର ସାହାଯ୍ୟ ନେଇପାରେ ପୋଲିସ ।

Leave A Reply

Your email address will not be published.