Latest Odisha News

BREAKING NEWS

ବାରମ୍ବାର ସରକାର ପରିବର୍ତ୍ତନ କରାଇ ନୀତୀଶ ବିଶ୍ୱସନୀୟତା ହରାଉଛନ୍ତି: ପିକେ

ପାଟଣା: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଓରଫ ପିକେ ବିହାରରେ ବାରମ୍ବାର ଦେଖାଦେଇଥିବା ରାଜନୈତିକ ଅସ୍ଥିରତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏପରି ଅସ୍ଥିରିତା କିଛି ନୂଆ ନୁହେଁ ବୋଲି କହିବା ସହିତ ବାରମ୍ବାର କ୍ଷମତା ପାଇଁ ମେଣ୍ଟ ପରିବର୍ତ୍ତନ ନୀତୀଶଙ୍କ ବିଶ୍ୱସନୀୟତାକୁ ହ୍ରାସ କରୁଛି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। ସେହିପରି ନୂଆ ମହାମେଣ୍ଟ ସରକାରରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି ସଫେଇ ଦେଇଛନ୍ତି। କି ଏହି କାଦୁଅ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ରଖନ୍ତି ନାହିଁ ବୋଲି କହିଛନ୍ତି।

ବିହାରରେ ଅଷ୍ଟମ ଥର ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ୨୦୧୨-୧୩ ରୁ ୧୦ ବର୍ଷ ମଧ୍ୟରେ ୬ ଥର ସରକାର ଗଢିବାକୁ ଯାଉଛି। ଏପରି ଅସ୍ଥିରତା ୨୦୧୨ ପାଖରୁ ଲାଗି ରହିଛି । ତେଣୁ ଯାହା ଘଟୁଛି ଏଥିରେ କୌଣସି ନୂଆ ନାହିଁ। ବରଂ ଏପରି ପ୍ରକ୍ରିୟା ବିହାରରେ ଗୋଟିଏ ସ୍ୱାଭାବିକ ପ୍ରକ୍ରିୟା ବୋଲି କହି ନୀତୀଶଙ୍କୁ ପରୋକ୍ଷରେ ଛିଗୁଲେଇଛନ୍ତି।

ଏପରି କହି ସେ ନୀତୀଶଙ୍କ ରାଜନୈତିକ କ୍ୟାରିଅର ବାବଦରେ କହିଛନ୍ତି, ପୂର୍ବରୁ ନୀତୀଶଙ୍କ ନେତୃତ୍ୱରେ ଜେଡିୟୁ ବିହାରରେ ୧୧୫ ଆସନ ଜିତିଥିଲା। ପରେ ୨୦୧୫ରେ ୭୨ଟି ଆସନକୁ ଖସି ଆସିଥିଲା। ଆଉ ଏବେ ୪୩ଟି ଆସନରେ ରହିଛି। ତେଣୁ ନୀତୀଶଙ୍କ ବିଶ୍ୱସନୀୟତା ଖସୁଛି ବୋଲି ସେ କହିଛନ୍ତି। ଏପରି ସ୍ଥିତିରେ ନୀତୀଶଙ୍କ ଭୂମିକା ବିହାର ପାଇଁ ଗୌଣ ହେଉଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି, ଦୀର୍ଘ ବର୍ଷ ହେବ ବିହାରରେ ଜଣେ ଲୋକ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ଏହି ଆସନରେ ବସିବାକୁ ଯାଇ ନୀତୀଶ ବାରମ୍ବାର ସହଯୋଗୀ ଦଳ ବଦଳାଉଛନ୍ତି। ୨୦୧୫ରେ ଯେତେବେଳେ ମହାମେଣ୍ଟ ସରକାର ଗଠନ ହୋଇଥିଲା । ଏବେ ସମାନ ସରକାର ଶପଥ ନେବାକୁ ଯାଉଛି। ଯଦିଓ ପୂର୍ବ ୨୦୧୫ ସରକାରରେ ତାଙ୍କର ଭୂମିକା ଥିଲା ଏବେ କିନ୍ତୁ ତାଙ୍କର କୌଣସି ଅବଦାନ ନାହିଁ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୪ ସାଧାରଣ ନିର୍ବାଚନ ପାଇଁ ମୋଦୀଙ୍କୁ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିଥିଲା। ଏହାପରେ ୨୦୧୩ରେ ଏନଡିଏ ଛାଡିଥିଲେ ନୀତୀଶ। ସେତେବେଳେ ସେ ମୋଦୀଙ୍କ ବିରୋଧରେ ଅନେକ କିଛି କହିବା ସହିତ ମୋଦୀ ପ୍ରଧାନମନ୍ତ୍ରୀ ହେଲେ ମୁଖ୍ୟମନ୍ତ୍ରୀ ଆସନ ଛାଡିଦେବେ ବୋଲି କହିଥିଲେ। କିନ୍ତୁ ତାଙ୍କ ଇଚ୍ଛାର ଓଲଟା ଫଳାଫଳ ଆସିଥିଲା। ପରେ ସେ ମୁଖ୍ୟମନ୍ତ୍ରୀ ଆସନ ଛାଡିଦେଇଥିଲେ। ପରେ ସେ ମହାମେଣ୍ଟରେ ସାମିଲ ହୋଇଥିଲେ। ହେଲେ ରାଜନୈତିକ ଅସ୍ଥିରତା ଏବଂ ବିବାଦ ପରେ ସେ ଏନଡିଏକୁ ଫେରିଆସିଥିଲେ। ଏବେ ଏନଡିଏ ଛାଡି ମହାମେଣ୍ଟ ସରକାର କରୁଛନ୍ତି।

Leave A Reply

Your email address will not be published.