Latest Odisha News

BREAKING NEWS

ମାଲ୍‌ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ରେକର୍ଡ଼

ଭୁବନେଶ୍ୱର: ପୂର୍ବ ତଟ ରେଳପଥ ୨୦୧୯-୨୦ ମସିହାରେ ୨୦୦ ମିଲିଅନ୍ ଟନ୍ ମାଲ୍ ପରିବହନ କରି ଭାରତୀୟ ରେଳପଥରେ ଏକ ନୂତନ ରେକର୍ଡ଼ ସୃଷ୍ଟି କରିଛି । ଗତ ଆର୍ଥିକ ବର୍ଷରେ ଏହି ରେଳପଥ ୧୯୧.୭୬ ମିଲିଅନ୍ ଟନ୍ ମାଲ୍ ପରିବହନ କରିଥିଲା ।

୨୦୧୯-୨୦ ଆର୍ଥିକ ବର୍ଷରେ ପୂର୍ବ ତଟ ରେଳପଥ ମାଲ୍ ବୋଝେଇ, ମାଲ୍ ପରିବହନରେ ଆୟ ଏବଂ ସାମଗ୍ରିକ ଆୟରେ ଭାରତୀୟ ରେଳପଥରେ ପ୍ରଥମ ସ୍ଥାନ ଅଧିକାର କରିବାର ଗୌରବ ଅର୍ଜନ କରିଛି ।

ଦକ୍ଷିଣ ପୂର୍ବ ରେଳପଥ ୧୭୧.୧୧ ମିଲିଅନ୍ ଟନ୍‌, ଦକ୍ଷିଣ-ପୂର୍ବ ମଧ୍ୟ ରେଳପଥ ୧୬୯ ମିଲିଅନ୍ ଟନ୍ ଓ ପୂର୍ବ ମଧ୍ୟ ରେଳପଥ ୧୪୮ ମିଲିଅନ୍ ଟନ୍ ମାଲ୍ ପରିବହନ ଏହି ଆର୍ଥିକ ବର୍ଷରେ କରିଛନ୍ତି ।

ନୂଆ ଜୋନାଲ୍ ରେଳପଥ ସୃଷ୍ଟି ହେଲାପରେ ପୂର୍ବ ତଟ ରେଳପଥ ପ୍ରଥମ ରେଳପଥ ଯିଏ ୨୦୦ ମିଲିଅନ୍ ଟନ୍ ମାଲ୍ ପରିବହନ କରିଛି । ୨୦୦୧-୦୨ ମସିହାରେ ଅବିଭକ୍ତ ଦକ୍ଷିଣ-ପୂର୍ବ ରେଳପଥ ୨୦୦ ମିଲିଅନ୍ ଟନ୍ ମାଲ୍ ପରିବହନକୁ ଅତିକ୍ରମ କରି ରେକର୍ଡ଼ ସୃଷ୍ଟି କରିଥିଲା ।
ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ୨୦୧୯-୨୦ ଆର୍ଥିକ ବର୍ଷରେ ୨୦୦.୮୫ ମିଲିଅନ୍ ଟନ୍ ମାଲ୍ ପରିବହନ କରି ରେକର୍ଡ଼ ସୃଷ୍ଟି କରିଛି, ଯାହାକି ଗତ ଆର୍ଥିକ ବର୍ଷ ଠାରୁ ଶତକଡ଼ା ୪.୭୩ ଭାଗ ଅଧିକ । ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ରେଳପଥ ୧୯୧.୭୬ ମିଲିଅନ୍ ଟନ୍ ମାଲ୍ ପରିବହନ କରିଥିଲା ।

ଆୟକୁ ଦେଖିଲେ, ଏହି ରେଳପଥ ୨୦୧୯-୨୦ ଆର୍ଥିକ ବର୍ଷରେ ମାଲ୍ ପରିବହନ କ୍ଷେତ୍ରରେ ୨୦୧୨୫ କୋଟି ଆୟ କରିଛି ଯାହା ଗତ ଆର୍ଥିକ ବର୍ଷ ଆୟ ୧୮୧୮୦ କୋଟି ଅପେକ୍ଷା ଶତକଡ଼ା ୧୧ ଭାଗ ଅଧିକ ।

୨୦୧୯-୨୦ ଆର୍ଥିକ ବର୍ଷରେ ଦକ୍ଷିଣ-ପୂର୍ବ ରେଳପଥ ୧୭୧.୧୧ ମିଲିଅନ୍ ଟନ୍ ମାଲ୍ ପରିବହନ କରିଥିଲା ବେଳେ ଦକ୍ଷିଣ-ପୂର୍ବ ମଧ୍ୟ ରେଳପଥ ୧୬୯ ମିଲିଅନ୍ ଟନ୍ ଏବଂ ପୂର୍ବ ମଧ୍ୟ ରେଳପଥ ୧୪୮ ମିଲିଅନ୍ ଟନ୍ ମାଲ୍ ପରିବହନ କରିଛନ୍ତି ।

ଆୟ କ୍ଷେତ୍ରରେ, ଦକ୍ଷିଣ ପୂର୍ବ ରେଳପଥ ୧୪୪୫୯.୫ କୋଟି, ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ୧୯୮୩୫ କୋଟିି ଏବଂ ପୂର୍ବ ମଧ୍ୟ ରେଳପଥ ୧୫୧୧୭.୮ କୋଟି ଆୟ କରିଛନ୍ତି ।

ମହାବାତ୍ୟା ଫନୀ ସମୟରେ ବିପୁଳ କ୍ଷୟକ୍ଷତି, ମାଲ୍ ପରିବହନ ଓ ଟ୍ରେନ୍ ପରିଚାଳନାରେ ପ୍ରଚଣ୍ଡ ବାଧା ସତ୍ତ୍ୱେ ପୂର୍ବ ତଟ ରେଳପଥ ଏହି ମାଇଲ୍‌ଷ୍ଟୋନ୍ ଠିଆ କରେଇ ପାରିଛି । ଏହି ମହାବାତ୍ୟା ପରେ ପରେ ତୁରନ୍ତ ରେଳ ସେବାକୁ ପୁନଃ ଚଳାଚଳ କରି ପାରିଥିଲା ଏବଂ ଏହି ରେଳପଥକୁ ୬୦୦ କୋଟି କ୍ଷତି ସହିବାକୁ ପଡ଼ିଥିଲା ।

ମାଲ୍ ପରିବହନ ଉପରେ ଲକ୍ଷ୍ୟ କେନ୍ଦ୍ରିଭୂତ କରିବା, ନବୀନ ପଦକ୍ଷେପ ଏବଂ ରେଳ ମନ୍ତ୍ରଣାଳୟର ଅର୍ଥପୂର୍ଣ୍ଣ ହସ୍ତକ୍ଷେପ ହିଁ ୨୦୦ ମିଲିଅନ୍ ଟନ୍‌ରୁ ଅଧିକ ମାଲ୍ ପରିବହନ କରିବା ଭଳି ଗୌରବ ଆଣିବାରେ ସକ୍ଷମ ହୋଇପାରିଛି । ମହାବାତ୍ୟା ଫନୀର ପ୍ରଚଣ୍ଡ ପ୍ରଭାବ ଏବଂ ବୃହତ୍ତର ମାଲ୍ ପରିବହନ ସ୍ଥଳୀଗୁଡ଼ିକ ଅଞ୍ଚଳରେ ନକ୍ସଲ୍ କାର୍ଯ୍ୟକଳାପ, ରେଳ ଟ୍ରାକ୍ ଉପରେ ମାଟି-ପଥର ଅତଡ଼ା ଖସି ଟ୍ରେନ୍ ପରିଚାଳନାରେ ବ୍ୟାହତ, ଶ୍ରମିକ ଆନ୍ଦୋଳନ ଇତ୍ୟାଦି ଅନ୍ୟାନ୍ୟ ବହୁ ବାଧା ସତ୍ତ୍ୱେ ରେଳପଥ ତାହାର କର୍ତ୍ତବ୍ୟନିଷ୍ଠତା ଓ ମାଲ୍ ପରିବହନରେ ଏକାଗ୍ରତା ଏହି ସଫଳତା ଆଣିଦେଇଛି ।
ପୂର୍ବ ତଟ ରେଳପଥ ଏହି ସଫଳତା ନିମନ୍ତେ ତିନି ରେଳ ମଣ୍ଡଳର କଠିନ ପରିଶ୍ରମକାରୀ ଓ ଉତ୍ସର୍ଗୀକୃତ କର୍ମଚାରୀମାନଙ୍କୁ ସଂପୂର୍ଣ୍ଣ ଶ୍ରେୟ ପ୍ରଦାନ କରୁଛି ଏବଂ ବିଶେଷଭାବେ ଏହି ସଫଳତା ନିମନ୍ତେ ସମସ୍ତ ସହଯୋଗୀ ହୀତାଧିକାରୀ ବା ଷ୍ଟେକ୍ ହୋଲଡର୍ ଯଥା କୋଲିଆରି, ବନ୍ଦର, ଇସ୍‌ପାତ କାରଖାନା, ସିମେଣ୍ଟ. ଆଲୁମିନା ପ୍ଲାଣ୍ଟ୍‌, ପେଟ୍ରୋଲିୟମ୍ କଂପାନୀ ଏବଂ ଭାରତର ଖାଦ୍ୟନିଗମମାନଙ୍କୁ ତାଙ୍କ ଉଦ୍ୟମ ଓ ସହଯୋଗ ନିମନ୍ତେ କୃତଜ୍ଞତା ପ୍ରଦାନ କରୁଛି ।

ପୂର୍ବ ତଟ ରେଳପଥ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ସରକାରଙ୍କ ନିରବଚ୍ଛିନ୍ନ ସହଯୋଗ ନିମନ୍ତେ କୃତଜ୍ଞତା ପ୍ରକାଶ କରୁଛି । ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ହୋଇଥିବା ପୂର୍ବ ଉପକୂଳ ଅଞ୍ଚଳର ଉନ୍ନତି ନିମନ୍ତେ ପୂର୍ବ ତଟ ରେଳପଥ ସଂକଳ୍ପବଦ୍ଧ । ମାନ୍ୟବର ରେଳମନ୍ତ୍ରୀଙ୍କ ନେତୃତ୍ୱ ଏବଂ ରେଳୱେ ବୋର୍ଡ଼ର ପଥ ପ୍ରଦର୍ଶନ ଏହି ସଫଳତାର ମୁଖ୍ୟ ଆଧାର ।

Leave A Reply

Your email address will not be published.