Latest Odisha News

BREAKING NEWS

ଦିଲ୍ଲୀ ମଦ ଦୁର୍ନୀତି ମାମଲା: କବିତାଙ୍କ ବାସଭବନରେ ଇଡି ରେଡ୍

ହାଇଦ୍ରାବାଦ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆକ୍ସନମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.କବିତାଙ୍କ ହାଇଦ୍ରାବାଦର ବଞ୍ଜାରା ହିଲ୍ସ ସ୍ଥିତ ବାସଭବନରେ ଇଡି ଚଢାଉ କରିଛି । ଏହି ଚଢାଉରେ ଇଡିର ୧୦ ଜଣ ଅଧିକାରୀ ସାମିଲ ଅଛନ୍ତି ।

ରେଡ୍ ବେଳେ କବିତାଙ୍କ ବାସଭନକୁ ସମସ୍ତଙ୍କ ପ୍ରବଶେ ଉପରେ ରୋକ୍ ଲଗାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ପୂର୍ବରୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉଭୟ ସିବିଆଇ ଏବଂ ଇଡି ଦ୍ବାରା ଜେରା ହୋଇଥିଲେ କବିତା । କବିତାଙ୍କୁ ପ୍ରାୟ ୯ ଘଣ୍ଟା ଜେରା କରାଯାଇଥିଲା । ଇଡି କବିତାଙ୍କୁ ସାଉଥ ଗ୍ରୁପର ଏକ ଅଂଶ ବୋଲି ଅଭିହିତ କରିଛି ।

ଇଡିର ଅଭିଯୋଗ ଅନୁଯାୟୀ, ସାଉଥ୍ ଗ୍ରୁପ ନୂଆ ଅବକାରୀ ନୀତି ଲାଗୁ ସମୟରେ ଆପ୍ ସରକାରଙ୍କୁ ୧୦୦ କୋଟି ଟଙ୍କା ଦେଇଥିଲା । ଆଉ ଏମଏଲସି କବିତା ଏହି ଗୃପର ପ୍ରମୁଖ ସଦସ୍ୟ ଥିବା ଦାବି କରିଥିଲା ଇଡି । ଦୁର୍ନୀତି ଚାଲିଥିବା ସମୟର ପ୍ରମାଣ ନଷ୍ଟ କରିବା ପାଇଁ ୧.୩୮ କୋଟି ଟଙ୍କାର ମୋଟ ୧୭୦ଟି ଫୋନ ନଷ୍ଟ କରାଯାଇଥିଲା । ଏହାମଧ୍ୟରୁ ୧୦ଟି ଫୋନ କବିତାଙ୍କର ଥିଲା । ତେଣୁ ଏହି ଦୁର୍ନୀତିରେ ତାଙ୍କର ସମ୍ପୃକ୍ତି ଥିବା ନେଇ କେତେକ ପ୍ରମାଣ ମିଳିବା ପରେ ତାଙ୍କୁ ଜେରା କରିବାକୁ ସମନ କରାଯାଇଥିଲା ।

ସେତେବେଳେ ଇଡି ବିଆରଏସ ଏମଏଲସି କବିତାଙ୍କୁ ପଚରାଉଚରା କରିବା ପରେ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ମନି ଲଣ୍ଡରିଂ ଘଟଣାରେ ଇଡି ତାଙ୍କ ପୂର୍ବତନ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବୁଚିବାବୁ ଗୋରାଣ୍ଟଲାଙ୍କୁ ମଧ୍ୟ ପଚରାଉଚରା କରିଥିଲା ।

Leave A Reply

Your email address will not be published.