Latest Odisha News

BREAKING NEWS

ସୁନ୍ଦରଗଡ ସମରସଜ୍ଜା : ପୁଣି ମଇଦାନକୁ ଓହ୍ଲାଇବେ କି ଜୁଏଲ୍!

ଭୁବନେଶ୍ଵର: ଚବିଶ ସମର ପାଇଁ ସୁନ୍ଦରଗଡ ପ୍ରସ୍ତୁତ । ଗତ ୫ବର୍ଷ ଧରି ଗ୍ରାଉଣ୍ଡରେ ହୋମୱାର୍କ କରିଛନ୍ତି ତିନି ଦଳ । ବିଜୟ ରେକର୍ଡ ଦେଖିଲେ, ଆଦିବାସୀ ବହୁଳ ସୁନ୍ଦରଗଡ ଲୋକସଭା ଆସନରେ ଆଜି ଯାଏଁ ଜିତିନାହିଁ ବିଜେଡି । ୭ଥର ବାଜି ମାରିଛି କଂଗ୍ରେସ ତ ୫ଥର ବିଜେପିରୁ ଜିତିଛନ୍ତି ଜୁଏଲ ଓରାମ । ତେଣୁ ଚବିଶ ଲଢେଇ ଜୋରଦାର ହେବ । ସୁନ୍ଦରଗଡ ଲୋକସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କର ଦବଦବା ରହିଛି । ୩ଥର ସାଂସଦ ଓ ୨ଥର କେନ୍ଦ୍ରମନ୍ତ୍ରୀ ହୋଇଥିବା ଜୁଏଲଙ୍କୁ ପୁଣି ବିଜେପି ମଇଦାନକୁ ଓହ୍ଲାଇବ କି ନାହିଁ ସେ ନେଇ ଏବେ କଳ୍ପନାଜଳ୍ପନା ଜାରି ରହିଛି ।

୨୦୧୯ରେ ୨ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପଞ୍ଚମ ଥର ପାଇଁ ସାଂସଦ ହୋଇଥିଲେ ଜୁଏଲ । ତାଙ୍କୁ ୫ଲକ୍ଷରୁ ଅଧିକ ଭୋଟ୍ ମିଳିଥିବା ବେଳେ ବିଜେଡିର ସୁନିତା ବିଶ୍ୱାଳ ୨ଲକ୍ଷ ୭୬ହଜାର ଭୋଟ୍ ପାଇଥିଲେ । ଜୁଏଲଙ୍କୁ ମଧ୍ୟପ୍ରଦେଶ ଫର୍ମୂଲାରେ ବିଧାନସଭା ନିର୍ବାରଚନ ଲଢାଇବା ତଥା ରାଜ୍ୟପାଳ କରିବା ନେଇ ଚର୍ଚ୍ଚା ହୋଇଥିଲ।। ତେବେ ଶୁଣାଯାଉଛି, ପୁଣି ବିଜେପି ଜୁଏଲ ଓରାମଙ୍କୁ ରିପିଟ୍ କରିପାରେ ।

ମେଣ୍ଟ ହେଲେ ବିଜେଡି ନେବ କି ସୁନ୍ଦରଗଡ ଆସନ?

ଗତଥର ସୁନିତା ବିଶ୍ୱାଳଙ୍କ ଶୋଚନୀୟ ପରାଜୟ ପରେ ଦିଲ୍ଲୀପ ତିର୍କୀଙ୍କୁ ବିଜେଡି ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛି । ଦିଲ୍ଲୀପ କେବଳ ସୁନ୍ଦରଗଡ ନୁହେଁ ରାଜ୍ୟ ହକିର ଏକ ପ୍ରସିଦ୍ଧ ଚେହେରା । ରାଉରକେଲାରେ ଅନ୍ତର୍ଜାତୀୟ ଷ୍ଟାଡିୟମ ସାଙ୍ଗକୁ ହକି ବିଶ୍ୱକପ ଆୟୋଜନର ଶ୍ରେୟ ନେବାକୁ ଚାହିଁବ ବିଜେଡି । ଏଭଳି ସ୍ଥିତିରେ ଦିଲ୍ଲୀପ ସବୁଠୁ ବେଷ୍ଟ ବେଟ୍ ହୋଇପାରନ୍ତି । ସେପଟେ ଅନ୍ତର୍ଜାତୀୟ ହକି ତାରକା ପ୍ରବୋଧ ତିର୍କୀ କଂଗ୍ରେସରେ ମିଶିବା ପରେ ତାଙ୍କୁ କଂଗ୍ରେସ ସୁନ୍ଦରଗଡରୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛି ।

୨୦୧୯ ତଥ୍ୟ ଅନୁସାରେ ସୁନ୍ଦରଗଡ ଲୋକସଭା ଆସନରେ ମୋଟ୍ ଭୋଟର ୧୪ଲକ୍ଷ ୧୦ହଜାର ୫୩୨ । ଏହା ମଧ୍ୟରୁ ୫୧ ପ୍ରତିଶତ ଆଦିବାସୀ ଭୋଟ୍ । ତେଣୁ ୩ଦଳ ଆଦିବାସୀ ଚେହେରାକୁ ଗୁରୁତ୍ୱ ଦେବେ । ଜୁଏଲ୍ ହିନ୍ଦୁତ୍ୱକୁ ପ୍ରତିନିଧିତ୍ୱ କରୁଛନ୍ତି ତ ଖ୍ରୀଷ୍ଟିଆନ ଭୋଟବ୍ୟାଙ୍କ ହାତେଇ ପାରନ୍ତି ଦିଲ୍ଲୀପ ତିର୍କୀ । ଆଦିବାସୀ ବହୁଳ ସୁନ୍ଦରଗଡ ଖଣି, ଭିତିଭୂମି, ବିକାଶ, ଜୀବନ ଜୀବିକା ବି ବଡ ପ୍ରସଙ୍ଗ । ବିକାଶର ବିଶ୍ୱାସ ଦେଇ ବିଜେଡି ପ୍ରାର୍ଥୀ ଓହ୍ଲାଇପାରେ ତ ବିଜେପି ଦେବ ମୋଦିଙ୍କ ଗ୍ୟାରେଣ୍ଟି । ତେବେ ମେଣ୍ଟ ହେଲେ ବିଜେପି ଖାତାକୁ ସୁନ୍ଦରଗଡ ଯିବା ସମ୍ଭାବନା ଅଧିକ । ସେପଟେ କଂଗ୍ରେସ ନିଜ ପୁରୁଣା ଗଡ ହାତେଇବାକୁ ଉଦ୍ୟମ କରିବ ।

Leave A Reply

Your email address will not be published.