Latest Odisha News

BREAKING NEWS

ମିଲେଟ୍ ଖାଦ୍ୟ ବିକ୍ରୟ ନିମନ୍ତେ ମିଲ୍କମନ୍ତ୍ର ସହ ଏସଏଚଜି ଗ୍ରୁପର ରାଜିନାମା ସ୍ୱାକ୍ଷରିତ

ଭୁବନେଶ୍ଵର: ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପଦାର୍ଥର ବିକ୍ରିବଟା ନିମନ୍ତେ ମିଲ୍କମନ୍ତ୍ର ଡାଏରୀ ପ୍ରାଇଭେଟ୍‌ ଲିମିଟେଡ୍‌ ସହ ଭୁବନେଶ୍ୱରର ରାଧାରାଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ରାଉରକେଲାର ଦିବ୍ୟଜ୍ୟୋତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମଧ୍ୟରେ ଏକ ରାଜିନାମାପତ୍ର ସ୍ୱାକ୍ଷରିତ ହୋଇଯାଇଛି । କୃଷି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଉପସ୍ଥିତିରେ ଏହି ରାଜିନାମା ପତ୍ର ସ୍ୱାକ୍ଷରିତ ହୋଇଛି । ମିଲ୍କମନ୍ତ୍ର(ଡେଲି ମୁ)ର ଅନ୍‌ଲାଇନ୍‌ ପୋର୍ଟାଲ ମାଧ୍ୟମରେ ଉଭୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମିଲେଟ୍‌ ଶକ୍ତି ଦ୍ରବ୍ୟ ବିପଣନ ଓ ବିକ୍ରିବଟା ପ୍ରକ୍ରିୟାକୁ ଆନୁଷ୍ଠାନିକ କରିବା ଲକ୍ଷ୍ୟ ନେଇ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି ।

ରାଜିନାମା ଅନୁଯାୟୀ, ମିଲ୍କମନ୍ତ୍ର ସଂପୃକ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କଠାରୁ ଅର୍ଡର ସଂଗ୍ରହ କରି ନିଜ ଗୋଦାମରେ ଷ୍ଟକ୍‌ କରିବେ । ଉପଭୋକ୍ତାମାନେ “ଡେଲି ମୁ’’ରେ ସେମାନଙ୍କର ଚାହିଦା ମୁତାବକ ଅର୍ଡର କରିପାରିବେ ଏବଂ ମିଲ୍କମନ୍ତ୍ର ଦ୍ୱାରା ଉପଭୋକ୍ତାଙ୍କ ହାତପାଆନ୍ତାରେ ମାଣ୍ଡିଆଜାତ ଦ୍ରବ୍ୟ ପହଞ୍ଚାଇ ଦିଆଯିବ । ସଂପ୍ରତି ଏହି ସେବା ଭୁବନେଶ୍ୱର ରାଜଧାନୀ ଅଞ୍ଚଳ ଏବଂ ରାଉରକେଲା ସହରାଞ୍ଚଳରେ ଉପଲବ୍ଧ ହେବ । ପରୀକ୍ଷାମୂଳକ ଭାବରେ ଇତିମଧ୍ୟରେ ୬୦ ହଜାରରୁ ଅଧିକ ଟଙ୍କାର ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ବିକ୍ରି କରାଯାଇଛି । ଉପଭୋକ୍ତାମାନଙ୍କ ମଧ୍ୟରେ ମାଣ୍ଡିଆ ପାଇଁ ଅଧିକ ଚାହିଦା ରହିଛି ଏବଂ ମିଲେଟ୍‌ ଶକ୍ତି ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ପ୍ରଶଂସା କରୁଛନ୍ତି । ମାଣ୍ଡିଆଜାତ ଦ୍ରବ୍ୟର ବିପଣନ ଓ ବିକ୍ରି ନିମନ୍ତେ ଏହି ଅଭିନବ ପଦ୍ଧତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ବର୍ଦ୍ଧିତ ଆୟର ଉତ୍ସ ପ୍ରଦାନ କରିବ । ଏହା ମାଣ୍ଡିଆଭିତ୍ତିକ ଉଦ୍ୟୋଗଗୁଡ଼ିକୁ ଦୀର୍ଘମିଆଦୀ ସୂତ୍ରରେ ଆର୍ଥିକ ଦୃଷ୍ଟିରୁ ପୋଷଣୀୟ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ।

କାର୍ଯ୍ୟକ୍ରମ ଅବସରରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ଚୌଧୁରୀ ସମସ୍ତଙ୍କୁ ନିଷ୍ଠାର ସହ କାର୍ଯ୍ୟକରି ଏହି ଉଦ୍ୟମକୁ ସଫଳ କରିବା ପାଇଁ ଅନୁରୋଧ କରିଛନ୍ତି । ବିକ୍ରିବଟାର ପ୍ରାରମ୍ଭିକ ପ୍ରତିକ୍ରିୟା ଅନୁସାରେ ଏହି ବ୍ୟବସ୍ଥାରେ ଅଧିକରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସମେତ ଅଧିକ ମାଣ୍ଡିଆଜାତ ଖାଦ୍ୟ ପଦାର୍ଥ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ସଂପ୍ରସାରିତ କରାଯାଇ ପାରିବ ବୋଲି ଶ୍ରୀ ଚୌଧୁରୀ ଆଶା ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.