ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନାରେ ହୋଇଥିବା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଶୁକ୍ରବାର ଝାଡ଼ଖଣ୍ଡ, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗର ୨୧ଟି ସ୍ଥାନରେ ଚଢାଉ କରିଛି।
ଏହି ଚଢାଉରେ ଝାଡ଼ଖଣ୍ଡର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତାଙ୍କ ବ୍ୟକ୍ତିଗତ ସଚିବ ଓମ୍ ପ୍ରକାଶଙ୍କ ଘର, MD India, Safeway, Medi Assist ଏବଂ ସେମାନଙ୍କର ସହଯୋଗୀଙ୍କ ପରି ତୃତୀୟ ପକ୍ଷ ମୂଲ୍ୟାଙ୍କନ (TPA) ସଂସ୍ଥା ଅନ୍ତର୍ଭୁକ୍ତ। ଡ଼ାକ୍ତରଖାନାରେ ବିନା ଆଡ଼ମିଶନ ଓ ଚିକିତ୍ସାରେ ଟଙ୍କା କ୍ଲେମ କରାଯାଇଥିବାର ରହିଛି ଅଭିଯୋଗ। ଯାହାକୁ ନେଇ ୨୧୨ଟି ହସ୍ପିଟାଲ, ଇନ୍ସୁରାନ୍ସ ଓ ଔଷଧ କମ୍ପାନି ତଦନ୍ତ ପରିସରରେ ଅଛି ।
ସୂତ୍ର ଅନୁସାରେ, ଇଡ଼ି ଟିମ୍ ଏବଂ ବହୁ ସଂଖ୍ୟକ ସୁରକ୍ଷାବାହୀନୀ ସକାଳେ ଏହି ସ୍ଥାନଗୁଡ଼ିକରେ ପହଞ୍ଚି ସମଗ୍ର ଅଞ୍ଚଳକୁ ଘେରି ଯାଇଥିଲେ। ଝାଡ଼ଖଣ୍ଡ ସମେତ ୪ଟି ରାଜ୍ୟରେ ଏକକାଳୀନ ଚଢାଉ କରାଯାଇଥିଲା। ଆୟୁଷ୍ମାନ ଯୋଜନାରେ ହସ୍ପିଟାଲଗୁଡ଼ିକୁ ଦିଆଯାଇଥିବା ପାଣ୍ଠିର ବହୁଳ ପରିମାଣରେ ଅପବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା ।
ତଦନ୍ତରୁ ଜଣାପଡିଛି ଯେ, କିଛି ହସ୍ପିଟାଲ ରୋଗୀଙ୍କୁ ଭର୍ତ୍ତି ନକରି ଚିକିତ୍ସା ନାମରେ କେନ୍ଦ୍ର ସରକାରଙ୍କଠାରୁ ପାଣ୍ଠି ହାସଲ କରିଥିଲେ। ଝାଡ଼ଖଣ୍ଡରେ ଆୟୁଷ୍ମାନ ଯୋଜନାରେ ପଞ୍ଜିକୃତ ୭୫୦ ରୁ ଅଧିକ ହସ୍ପିଟାଲ ମଧ୍ୟରୁ ଅନେକ ହସ୍ପିଟାଲ ବିରୋଧରେ ଏହି ଅଭିଯୋଗ ରହିଛି। ତଦନ୍ତ ସମୟରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି।
ଏହି ମାମଲାରେ ଇଡି ଅଧିକାରୀମାନେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି। ଅନ୍ୟପଟେ ତାମିଲନାଡୁ ଏବଂ କେରଳରେ ଇଡି ଚଢାଉ ଜାରି ରହିଛି। ଗୋକୁଳମ ଗୋପାଳନଙ୍କ ଚିଟ୍ ଫଣ୍ଡ କମ୍ପାନୀ ସହିତ ଜଡିତ ସ୍ଥାନଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂତ୍ର ଅନୁସାରେ, ଗୋକୁଳମ ଗୋପାଳନ ଏମ୍ପୁରନ ଜଣେ ଫିଲ୍ମର ପ୍ରଯୋଜକ।
Comments are closed.