Latest Odisha News

BREAKING NEWS

ପ୍ରବାସୀଙ୍କ ପ୍ରୟାସ

ବାରିପଦାରୁ ଉଦୁଳା ଯିବା ରାସ୍ତାରେ ଡୁକୁରା ଛକ ନିକଟରେ ରାସ୍ତାର ବାମ ପାଖରେ ଆପଣ ପାଇବେ ଗୋଟିଏ କଫି ଓ ସ୍ନାକ୍ସ ଦେକାନ । ବିସ୍କୁଟ, ମିକ୍ସଚର, ଚିପ୍‌ସ୍‌, କୁର୍‌କୁରେ, ଚକୋଲେଟ୍ ଆଦି ପ୍ୟାକେଟ୍ ଏବଂ ଡବା ଭର୍ତ୍ତି ଦୋକାନଟି ବେଶ୍ ଆକର୍ଷଣୀୟ ଦେକାନର ସାମ୍ନାଟି ମଧ୍ୟ ବେଶ୍ ପରିଷ୍କାର ପରିଚ୍ଛନ୍ନ । ଆଉ ଦେକାନର ମାଲିକଙ୍କ ହସଟି ମଧ୍ୟ ଚମତ୍କାର । ହସହସ ଓ ଉତ୍‌ଫୁଲିତ ମୁହଁରେ ସେ ଯେଉଁ କଫି/ଚାର କପ୍‌ଟେ ବଢାଇ ଦେବେ, ତାକୁ ପିଇଲେ ଆପଣ ନିଶ୍ଚୟ ସତେଜ୍ ଅନୁଭବ କରିବେ । ସେ ବ୍ୟକ୍ତି ଜଣକ ହେଉଛନ୍ତି ଗୋବିନ୍ଦ ମହାକୁଡ । ଜଣେ ପ୍ରବାସୀ ।
ଗୋବିନ୍ଦକୁ ଏବେ ୩୨ ବର୍ଷ । ଡୁକୁରା ପଞ୍ଚାୟତର ଅଙ୍ଗାରକୁଣ୍ଡିଆ ଗ୍ରାମରେ ତାଙ୍କର ଘର । ପରିବାରର ସମ୍ବଳ ବୋଇଲେ ୩ ମାଣ ଜମି । ସେଥିରେ ୫ ଜଣିଆ ପରିବାର ଚଳାଇବା ଯଥେଷ୍ଟ ନଥିଲା । ଅଭାବ ଅନାଟନ ଭିତରେ କିନ୍ତୁ ସେ ବି.ଏ. ପାସ କଲେ ଖୁଣ୍ଟ ମହାବିଦ୍ୟାଳୟରୁ ୨୦୦୭ ମସିହାରେ । କଲେଜ ପଢା ସରୁ ସରୁ ବାପା ତାଙ୍କର ଚାଲିଗଲେ । ବଡ ପୁଅ ହିସାବରେ ପରିବାର ପ୍ରତିପୋଷଣର ବୋଝ ପଡିଲା ତାଙ୍କ ମୁଣ୍ଡରେ । ରୋଜଗାର ଅନ୍ୱେଷଣରେ ସେ ବାହାରିପଡିଲେ । ଅନେକ ଯାଗାରେ ଖୋଜାଖୋଜି ପରେ ଶେଷରେ ୨୦୦୯ ମସିହାରେ ତାଙ୍କୁ ଚାକିରୀଟିଏ ମିଳିଲା ଗୋଆର ଏକ ଔଷଧ କମ୍ପାନୀରେ । ଦରମା ୭ ହଜାର । ଆଉ ସେବେଠୁ ସେ ପାଲଟିଗଲେ ଜଣେ ପ୍ରବାସୀ ଓଡିଆ । ୨୦୦୯ ରୁ ୨୦୨୦ ପର୍ଯ୍ୟନ୍ତ ଜଣେ ପ୍ରବାସୀ ଭାବରେ ଜୀବନ ବିତାଇଲେ । ୭ ହଜାର ଟଙ୍କାରୁ ଆରମ୍ଭ ଦରମା ୨୦୨୦ ମାର୍ଚ୍ଚ ବେଳକୁ ହୋଇଯାଇଥିଲା ୧୭ ହଜାର । ପ୍ରବାସୀ ହେଲେ ମଧ୍ୟ ବେଶ୍ ଖୁସିରେ ଜୀବନ ସେ ବିତାଇଲେ ।

କିନ୍ତୁ ୨୦୨୦ ମାର୍ଚ୍ଚ ମାସରେ ସବୁ ଅଡେ ହୁରି ପଡିଲା କରୋନା ! କରୋନା ! ସରକାରମାନେ କହିଲେ ହୁସିଆର! ହୁସିଆର ! ମହାମାରୀ ଆସିଛି । ଭୟ ଓ ଆତଙ୍କ ଖେଳିଗଲା ଚାରିଆଡେ । ତାଲା ପଡିଗଲା ସବୁଆଡେ । ଘରେ ବାହାରେ, ସବୁଠି । ଘରେ ତାଲା, ଘର ଭିତରର ରୁମରେ ତାଲା । କ. କାରଖାନା, ସ୍କୁଲ କଲେଜ, ଦୋକାନ ବଜାର, ଯାନ ବାହାନ, ଚାଷ-ବାସ-ସବୁଠି ତାଲା ଆଉ ତାଲା । ସରକାର କହିଲେ, “ସମସ୍ତେ ତାଲା ଦେଇ ଘରେ ରୁହ । ପ୍ରଥମେ ଜୀବନ ବଞ୍ଚାଅ, ତାପରେ ଜୀବିକା କଥା ଚିନ୍ତା କରିବ” । କଥାଟା ନିରାଟ ସତ । କିନ୍ତୁ ଯେଉଁ ମାନେ ଖଟିଲେ ଖାଆନ୍ତି ବା ଯେଉଁ ମାନଙ୍କର ଦୈନିକ ମଜୁରୀ ହିଁ ସେମାନଙ୍କର ଜୀବିକାର ଆଧାର, ସେମାନେ କେତେଦିନ ଅବା ଘରେ ତାଲା ପକାଇ ବସି ପାରିବେ? ବିକଳରେ ଧାଁ ଦଉଡ ଆରମ୍ଭ କଲେ । ଜନ୍ମମାଟି ମୁହାଁ ହେଲେ । ପ୍ରବାସରେ ରହି ଜୀବିକା ନିର୍ବାହ କରୁଥିବା ପ୍ରବାସୀ ମାନଙ୍କର ଦୁଃଖ, ଦୁର୍ଦ୍ଦଶା ସୀମା ଟପିଗଲା । ଯିଏ ଯେମିତି ପାରିଲା ଦୈାଡିଲା ନିଜ ଜନ୍ମ ମାଟିଆଡକୁ । ପ୍ରବାସୀ ମାନଙ୍କର ଜନ୍ମମାଟି ଆଡକୁ ଦୈାଡରେ ସାମିଲ ହୋଇଗଲେ ଗୋବିନ୍ଦ । ବହୁ କଷ୍ଟରେ, ଭୋକ-ଉପାସ ସହି ଶ୍ରମିକ ସ୍ପେଷାଲ ଟ୍ରେନଧରି ବାଲେଶ୍ୱର ପହଞ୍ଚିଲେ । ବାଲେଶ୍ୱରରୁ ଡୁକୁରା ଆଉ ଏକ ଯନ୍ତ୍ରଣା ଦାୟକ ଯାତ୍ରାଥିଲା ତାଙ୍କ ପାଇଁ । ଯନ୍ତ୍ରଣାର ପରିମାଣ ଆହୁରି ବଢିଗଲା, ଯେତେବେଳେ ସେ ନିଜ ଗାଁ ମାଟିରେ ପାଦ ଦେଲେ । ନିଜ ଗାଁର ସାଂଗ ସାଥୀ, ବନ୍ଧୁ ବାନ୍ଧବ ତାଙ୍କୁ ପ୍ରଥମେ ଏମିତି ଆଖିରେ ଅନାଇଲେ, ସତେ ଯେମିତି ସେ ନିଜେ ହିଁ କରୋନା ଭୂତାଣୁର ପ୍ରତୀକ । ତାହା ତାଙ୍କ ପାଇଁ କମ୍ ଯନ୍ତ୍ରଣା ଦାୟକ ନଥିଲା ।

ଏପ୍ରିଲ ମାସରେ ସେ ଘରକୁ ଫେରିଲେ । କିଛି ଦିନ ନିଶ୍ୱାସ ମାରିଲେ । ତାପରେ ଜୀବିକା ଅନ୍ୱେଷଣ ପାଇଁ ପ୍ରାୟସ ଆରମ୍ଭ କଲେ । ଏଥର କିନ୍ତୁ ଜଣେ ପ୍ରବାସୀ ଭାବରେ ନୁହେଁ, ମାଟିର ପୁଅ ହିସାବରେ ଜିଜ ମାଟିରେ ଜୀବିକାର ରାହା ଖୋଜିଲେ । ନିଜ ପାଖରେ ଥିବା କିଛି ସମ୍ବଳକୁ ପାଥେୟ କରି ଆରମ୍ଭ କଲେ ସେହି ଦୋକାନଟି ଯାହା ବିଷୟରେ ଆଗରୁ ବର୍ଣ୍ଣନା କରାଯାଇଛି । ଗତ ନଭେମ୍ବରରେ ଆରମ୍ଭ କରିଛନ୍ତି ସେ ଏହି ଦେକାନଟିକୁ । ଏବେ ତାଙ୍କର ମାସିକ ଆୟ ପାଖା ପାଖି ୧୦/୧୨ ହଜାର ଟଙ୍କା । ବେଶ୍ ଖୁସି ଅଛନ୍ତି ସେ । ଆଉ ନିଜର ଏହି ପ୍ରୟାସ ପାଇଁ ତାଙ୍କର ଆତ୍ମସନ୍ତୋଷ ଓ ତୃପ୍ତି କାହିଁରେ କେତେ !

କରୋନା ସମୟରେ ଗୋବିନ୍ଦଙ୍କ ପରି ପ୍ରାୟ ୮ଲକ୍ଷ ପ୍ରବାସୀ ଓଡିଆ ରାଜ୍ୟକୁ ଫେରିଥିଲେ । ସେମାନଙ୍କ ଭିତରୁ ୩୫ ଶତାଂଶ କେବଳ ଦୁଇଟି ଜିଲ୍ଲାରୁ ଗଞ୍ଜାମ ଓ ବଲାଙ୍ଗୀର । କେବିକେ ଅଂଚଳରୁ ଫେରିଥିଲେ ୩୨ ଶତାଂଶ ଏବଂ ଉପକୂଳ ଜିଲ୍ଲା ଗୁଡିକୁ ୨୯ ଶତାଂଶ । ଏହି ଘର ଫେରନ୍ତା ପ୍ରବାସୀ ମାନଙ୍କ ଭିତରୁ ୩୪ ଶତାଂଶଙ୍କ ପାଖରେ ଦକ୍ଷତା ଥିବା ବେଳେ ୬୬ ଶତାଂଶ ପାଖରେ କୈାଣସି କାର୍ଯ୍ୟକରିବାର ନିପୁଣତା ବା ସ୍କିଲ୍ ନଥିଲା । ବାହାର ରାଜ୍ୟକୁ ଯାଇ ଯେଉଁ କ୍ଷେତ୍ର ଗୁଡିକରେ ସେମାନେ ଜୀବିକା ନିର୍ବାହ କରୁଥିଲେ ସେଗୁଡିକ ହେଲା ଇଟାଭାଟି, ସୂତାକଳ, ଲୁଗା ସିଲାଇ, ସୁରକ୍ଷା ସଂସ୍ଥା,ନିର୍ମାଣ ସଂସ୍ଥା, ଡ୍ରାଇଭିଂ, ହୋଟେଲ, ପ୍ଲାଏଇଡ୍ କାରଖାନା ଇତ୍ୟାଦି । ନିଜ ଜନ୍ମ ମାଟିକୁ ଫେରିବା ପରେ, ସେମାନେ ବିକଳ୍ପ ଜୀବିକାର ସ୍ଥିତିକୁ ଜାଣିବା ପାଇଁ ଏକ ଛୋଟ ଅଧ୍ୟୟନ ବା ସର୍ଭେ କରାଯାଇଥିଲା । ସେଥିରୁ ଜଣା ପଡିଲା, ସେମାନଙ୍କ ଭିତରୁ କୃଷି ଶ୍ରମିକ ଭାବରେ ଜୀବିକାକୁ ବାଛି ନେଇଥିବା ପ୍ରବାସୀଙ୍କ ସଂଖ୍ୟା ୩୪ ଶତାଂଶ, ନିଜ ଜମିରେ ଚାଷ କାମରେ ଲିପ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ହେଉଛି ୩୩ ଶତାଂଶ ଏବଂ ଗୋବିନ୍ଦ ପରି ନିଜେ କିଛି ଉଦ୍ୟୋଗ ଖୋଲି ଜୀବିକାର ରାସ୍ତା ଖୋଜିଥିବା ପ୍ରବାସୀଙ୍କ ସଂଖ୍ୟା ହେଉଛି ୯ ଶତାଂଶ । ସେହି ସର୍ଭେ ବା ଅଧ୍ୟୟନରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିଛି । ଗୃହ ଫେରନ୍ତା ପ୍ରବାସୀ ମାନଙ୍କ ଭିତରୁ କେଉଁ ସରକାରୀ ଯୋଜନା ଗୁଡିକରେ କେତେ ଲୋକ ଉପକୃତ ହୋଇଛନ୍ତି, ତାର ଆକଳନ କରାଯାଇଛି । ସେଥିରେ ରେଶନ୍ ପାଇଥିବା ଲୋକଙ୍କ ସଂଖ୍ୟା ହେଉଛି ୮୪ ଶତାଂଶ ମନରେଗାରେ ୧୩.୪ ଶତାଂଶ, ସରକାରୀ ଆ‌ର୍ଥିକ ସହାୟତା ପାଇଥିବା ଲୋକଙ୍କ ସଂଖ୍ୟା ୧୬.୫ ଶତାଂଶ, ସ୍ୱୟଂ ସହାୟକ ଗୋଷ୍ଠିୠଣ ୧୨.୪ ଶତାଂଶ, ବ୍ୟାଙ୍କ ଋଣ ୨.୧ ଶତାଂଶ ଏବଂ କୈାଣସି ସହାୟତା ପାଇନଥିବା ଲୋକଙ୍କ ସଂଖ୍ୟା ହେଉଛି ୧୦ ଶତାଂଶ । ସେହି ସର୍ଭେରେ ଆଉ ଏକ ପ୍ରଶ୍ନ ପଚରା ଯାଇଥିଲା ପ୍ରବାସୀ ମାନଙ୍କୁ । ସେମାନଙ୍କ ଭିତରୁ କେତେ ଲୋକ ପୁଣି ପ୍ରବାସି ଭାବରେ ନିଜକୁ ସ୍ଥାନାତରଣ କରିବାକୁ ଚାହୁଁଛନ୍ତ । ଏହି ପ୍ରଶ୍ନର ଉତ୍ତରରେ ୭୨ ଶତାଂଶ ଲୋକ ‘ହଁ’ କରିଥିବା ବେଳେ ‘ନା’ କରିଥିବା ଲୋକଙ୍କ ସଂଖ୍ୟା ହେଉଛି ମାତ୍ର ୨ ଶତାଂଶ । ୨୫.୮ ଶତାଂଶ ସୁଯୋଗ ମିଳିଲେ ସେମାନେ ପୁଣି ଥରେ ପ୍ରବାସୀ ଭାବରେ ଅନ୍ୟସ୍ଥାନକୁ ଯାଇ ପାରନ୍ତି ବୋଲି କହିଥିଲେ ।

ପୁଣି ଫେରିବା ଗୋବିନ୍ଦଙ୍କ ପାଖକୁ । ନିଜ ଜନ୍ମମାଟି ବା ରାଜ୍ୟକୁ ଛାଡି ବାହାରକୁ ଯିବା ପାଇଁ ଯେଉଁ ୨ ଶତାଂଶ ପ୍ରାବସି ଅମଙ୍ଗ, ସେମାନଙ୍କ ଭିତରୁ ଗୋବିନ୍ଦ ଜଣେ । ଯେହେତୁ ସେ ନିଜ ପ୍ରୟାସରେ ଜୀବିକାର ଏକ ବିକଳ୍ପ ପ୍ରୟାସରେ କୃତକାର୍ଯ୍ୟ ହୋଇଛନ୍ତି ଏବଂ ବାହାରେ ରହି ଯେତିକି ରୋଜଗାର କରୁଥିଲେ, ନିଜ ମାଟିରେ ରହି ସେତିକି ରୋଜଗାର କରିବାର ସମ୍ଭାବନା ଦେଖୁଛନ୍ତି, ସେଥିପାଇଁ ସେ ଆଉ ଥରେ ପ୍ରବାସୀ ଜୀବନ ଜିଇବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ମାତ୍ର ଯେଉଁ ୯୮ ଶତାଂଶ ପ୍ରବାସୀ ପୁଣିଥରେ ଫେରିବାକୁ ଚାହୁଁଛନ୍ତି ବା ଫେରି ପାରନ୍ତି, ସେମାନଙ୍କ ପାଖରେ ଗୋବିନ୍ଦଙ୍କ ଭଳି ଆତ୍ମ ପ୍ରତ୍ୟୟ କାହିଁକି ଆସୁନି? ଏହା ଏକ ଗଭୀର ଅଧ୍ୟୟନର ବିଷୟବସ୍ତୁ ନିଶ୍ଚୟ । କିନ୍ତୁ ସ୍ଥୁଳ ଭାବରେ କୁହା ଯାଇପାରେ, ଏହି ୯୮ ଶତାଂଶ ପ୍ରବାସୀ ଯେହେତୁ ବିକଳ୍ପ ଜୀବିକାର ସନ୍ଧାନ ପାଉ ନାହାଁନ୍ତି ନିଜ ମାଟିରେ ସେଥିପାଇଁ ସେମାନଙ୍କ ପାଇଁ ପୁଣିଥରେ ପ୍ରବାସୀ ସାଜିବା ଏକ ବାଧ୍ୟ ବାଧକତା ମାତ୍ର, ନିଜ ଇଚ୍ଛା ମୂତାବକ ନୁହେଁ । ବାସ୍ତବତା ହେଉଛି ପ୍ରୟାସ ସହିତ ସମ୍ବଳ, ସୁଯୋଗ ଓ ସାମର୍ଥ୍ୟର ମଧ୍ୟ ଆବଶ୍ୟକତା ରହିଛି । ସରକାର ଏବଂ ସମାଜ ଯଦି ଆବଶ୍ୟକୀୟ ସମ୍ବଳ, ସୁଯୋଗ ଏବଂ ସାମର୍ଥ୍ୟ ଏହି ପ୍ରାବାସୀ ମାନଙ୍କ ଭିତରେ ସୃଷ୍ଟି କରିପାରନ୍ତେ, ତେବେ ଆନେକ ଗୋବିନ୍ଦ ବାହାରନ୍ତେ, ଯେଉଁମାନେ ନିଜ ପ୍ରୟାସ ବଳରେ ବିକଳ୍ପ ଜୀବିକାକୁ ଆବିଷ୍କାର କରିପାରନ୍ତେ ଓ ନିଜେ ବଂଚିବାର ରାହା ପାଇବା ସହିତ ସ୍ଥାନୀୟ ଅର୍ଥନୀତିକୁ ଚଳ ଚଂଚଳ କରି ପାରନ୍ତେ । ଏଥିପାଇଁ ଯେଉଁ ଅଣୁସ୍ଥରୀୟ ଯୋଜନା ଏବଂ କାର୍ଯ୍ୟକ୍ରମର ଆବଶ୍ୟକତା ଅଛି, ସେଥିପ୍ରତି ସରକାରଙ୍କର ଆନ୍ତରିକତା ଅଛି ତ?

୪-ସ୍ୱର୍ଣ୍ଣପୁରୀ, କାନନ ବିହାର-୨, ପଟିଆ, ଭୁବନେଶ୍ୱର

Comments are closed.