ଏକ ବିଶେଷ ଶପଥପତ୍ର ଓ ଜଣେ ସନ୍ଥ
ଜ୍ୟୋତି ନନ୍ଦ
ପ୍ରଥମରେ, କାହାର କିଛି କ୍ଷତି କରନାହିଁ ।
ଏହା ହେଉଛି ତାଙ୍କର ସର୍ବପ୍ରଥମ ଏବଂ ମୌଳିକ ବିଚାର । ତାହାପରେ ଆଉ ଯାହା କିଛି ।
ସେ ଯେଉଁ ସମୟର ଆଉ ଯେଉଁଠିକାର, ସେଠାରେ କୌଣସି ବିଚାରବନ୍ତର ସେତେବେଳେ ସାମାଜିକ ଆସ୍ଥାନଟି ବେଶ ଉଚ୍ଚରେ ରହୁଥିଲା । ଏବଂ ତାହାକୁ କେନ୍ଦ୍ରକରି ଏକ ପରିମଣ୍ଡଳ ସବୁବେଳେ ପରିଭାସିତ ହେଉଥିଲା । ସେମିତି କହିଲେ ସେ ଜଣେ ସନ୍ଥ । ତାଙ୍କର ସମସ୍ତ ଆଦୃତି ସନ୍ଥସୁଲଭ ରହିଥିଲା । ଅବଶ୍ୟ ତାଙ୍କ ବିଷୟରେ କିନ୍ତୁ ବେଶି କିଛି ପ୍ରାମାଣିକ ଭାବରେ ଜଣାନାହିଁ । ତାଙ୍କର ଦେହାବସାନ ପରେ ତାଙ୍କର ଶିଷ୍ୟପ୍ରଶିଷ୍ୟମାନେ ତାଙ୍କ ବିଷୟରେ ଅନେକ କିଛି ଲେଖିଯାଇଛନ୍ତି । ସେହି ଲେଖାରେ ଏହି ସନ୍ଥ ମଣିଷଟି ବିଶେଷ ଭାବରେ ଅନୁପସ୍ଥିତ । ତେଣୁ ଏହି ବିଶିଷ୍ଟ ବ୍ୟକ୍ତିର ନିର୍ମାଣ ସବୁବେଳେ ଅନେକ ପରିମାଣରେ ପୁରାଣ-ନିର୍ଭର, ପୂର୍ଣ୍ଣତଃ ଇତିହାସ-ନିର୍ଭର ନୁହଁ । ତାଙ୍କର ଏକ ନିର୍ଦ୍ଧିଷ୍ଟ ବିଷୟରେ ସବିଶେଷ ବିଚାରମାନ ଷାଠିଏ ଗୋଟି ଲେଖାରେ ରହିଅଛି । ଏହି ଲେଖାଗୁଡିକ ତାଙ୍କ ନାମରେ ରହିଥିଲେ ମଧ୍ୟ ଏଥିରୁ ଗୋଟିଏହେଲେ ଲେଖା ତାଙ୍କର ନିଜଦ୍ୱାରା ଲିଖିତ ନୁହଁ । ଏହି ସମସ୍ତ ଲେଖାରେ ତାଙ୍କର ବିଚାର ସହ ତାଙ୍କର ଶିଷ୍ୟପ୍ରଶିଷ୍ୟମାନଙ୍କର ବିଚାର ଓ ଶୈଳୀ ମିଶିଯାଇଥିବାରୁ ସେହି ଲେଖାଗୁଡିକ ଭିତରୁ କହିବାକୁ ଗଲେ ତାଙ୍କୁ ପୁନରୁଦ୍ଧାର କରିବାକୁ ପଡିଥାଏ । ମାତ୍ର ଏହିଭଳି ତାଙ୍କୁ ପୁନରୁଦ୍ଧାର କରିବା କାମଟି ସେତେ କଷ୍ଟକର ନୁହଁ । ତାହାର କାରଣ ହେଉଛି ସେ ଯେଉଁ ନିର୍ଦ୍ଧିଷ୍ଟ ବିଷୟରେ ନିଜର ସମଗ୍ର ସମୟ ଅତିବାହିତ କରିଯାଇଛନ୍ତି ତାହା ସେହି ସମୟର ତଥା ସେହି ବିଷୟରେ ନିହାତି ଏକ ମୌଲିକ ଚିନ୍ତନ ଏବଂ ସେହି ସମୟରେ ସଂପୃକ୍ତ ମୌଳିକ ଚିନ୍ତନର ଏକ ପ୍ରୟୋଗାତ୍ମକ ପକ୍ଷ ରହିଥିବାରୁ ତାଙ୍କୁ ସେହି ସମସ୍ତ ଲେଖାରୁ ଚିହ୍ନିବା ସହଜ।
ସେହି ସନ୍ଥ ଜଣକ କିନ୍ତୁ ନିଜର ଅନ୍ୟାନ୍ୟ ସମସ୍ତ ଉପସ୍ଥିତ ଲେଖାମାନଙ୍କର ତୁଳନାରେ ଏକ ଶପଥପତ୍ର ପାଇଁ ଆଜିଯାଏଁ ଚର୍ଚ୍ଚିତ ରହିଛନ୍ତି । ଶପଥପତ୍ରଟି ହେଉଛି ତାଙ୍କର ଶେଷତମ ପ୍ରସ୍ତୁତି ଯାହାକୁ ସେ ତାଙ୍କର ଆଗ ଲେଖାଗୁଡିକ ଭଳି ବି ଲେଖିଯାଇନାହାନ୍ତି । ଶପଥ ପତ୍ରର ପ୍ରସ୍ତୁତି ତାଙ୍କର ଯାହାକୁ ପରେ ତାଙ୍କର ଶିଷ୍ୟମାନେ ତାଙ୍କ ନାମରେ ପରେ ଲିପିବଦ୍ଧ କରିଛନ୍ତି । ନିଜର ପରିଣତ ବୟସରେ ଅର୍ଥାତ ନିଜର ପ୍ରାନ୍ତକାଳର କିଛି ମାସ ଆଗରୁ ସେ ଅକସ୍ମାତ ଏହାକୁ ପ୍ରସ୍ତୁତ କରିଥିଲେ । ସେତେବେଳକୁ ସେ ସଂପୂର୍ଣ୍ଣ ବୃଦ୍ଧ । ସେତେ ଭଲ ଦେଖାଯାଉନଥିଲେ ଆଉ ଶୁଣାଯାଉନଥିଲେ ମଧ୍ୟ ସେ ବେଶ ସକ୍ରିୟ । ବିଭିନ୍ନ ଅସୁବିଧାଜନକ ସମୟରେ ସଂଭ୍ରାନ୍ତ ପରିବାରମାନଙ୍କରୁ ତଥାପି ତାଙ୍କୁ ଡାକରା ଆସୁଥାଏ । ସବୁବେଳେ ତାଙ୍କ ଚାରିପଟରେ ଶିଷ୍ୟପ୍ରଶିଷ୍ୟଙ୍କ ଗହଳି । ଶିଷ୍ୟପ୍ରଶିଷ୍ୟମାନେ ସବୁବେଳେ ଭାରି ଗମ୍ଭୀର । ଆଉ କିଛିଦିନ ପରେ ତାଙ୍କର ପ୍ରାଣପ୍ରିୟ ଗୁରୁଦେବଙ୍କର ଦେହାବସାନ ଘଟିବ । ତେଣୁ ଅନାଗତ ସେହି ଅଘଟଣପୂର୍ବରୁ ସେମାନେ ଗୁରୁଦେବଙ୍କର ବକ୍ତବ୍ୟକୁ ଯେତେ ଅଧିକ ପାରିବେ ସେତେ ଲିପବଦ୍ଧ କରିବାରେ ପ୍ରୟାସରତ । ସେତେବେଳକୁ ତାଙ୍କର ବୟସ ତେୟାଅଶୀ । ସେ ମଝିରେ ମଝିରେ ନିଜର ଶିଷ୍ୟ ମାନଙ୍କୁ କହୁଥାନ୍ତି, ତମମାନଙ୍କ ଭିତରୁ କିଏ ଏବେ ପର୍ଯ୍ୟବେକ୍ଷଣ କରି ସଠିକ କହିପାରିବ ମୋର ପ୍ରାନ୍ତ ସମୟର ଅବଧୀ ଆଉ କେତେ ରହିଛି? ଜୀବନଯାକ ଗୁରୁ ସେମାନଙ୍କୁ ବିଶେଷତଃ ପର୍ଯ୍ୟବେକ୍ଷଣର ସମସ୍ତ ଗୂଢ କଥା ମାନ କହିଛନ୍ତି । ଗୁରୁଙ୍କ ଶିକ୍ଷାଦାନରେ ପ୍ରାଥମିକ ଗୁରୁତ୍ୱ ରହିଛି କେବଳ ପର୍ଯ୍ୟବେକ୍ଷଣ ଉପରେ । ଗୁରୁଙ୍କ ମୁହଁ ଶୁଖିଲା ଆଉ କଳା ପଡିଗଲାଣି, ନାକଟି ସରୁ ଆଉ ବେଶ ଧାରୁଆ ଦିଶୁଛି,କାନ ଦୁଇଟି ତଳକୁ ଝୁଲି ପଡିଲାଣି । ଶିଷ୍ୟମାନେ ଅବଶ୍ୟମ୍ଭାବୀକୁ ବୁଝୁଛନ୍ତି, ଚୁପ ରହୁଛନ୍ତି । ସେ ତଥାପି ନିୟମିତ ଆସୁଛନ୍ତି ନିଜର ସବୁଦିନର କର୍ମକ୍ଷେତ୍ର ଦେବତା ଆସକ୍ଲେପିଅସଙ୍କ ମନ୍ଦିରବେଢାକୁ । ଆସକ୍ଲେପିଅସଙ୍କ ହାତରେ ଯେଉଁ ପଥରରଦଣ୍ଡ ସେଥିରେ ରହିଛି କୁଣ୍ଡଳାକୃତି ଏକ ପଥରର ସାପ । ସେହି ସାପକୁ ଛୁଇଁ ସେ ସବୁଦିନ ନିଜର କାମ ଆରମ୍ଭ କରୁଛନ୍ତି । ଦିନେ ସେ ନିଜର ଶିଷ୍ୟମାନଙ୍କ ସହ ନିକଟବର୍ତ୍ତୀ ସମୁଦ୍ରକୂଳକୁ ଯାଇଥିଲେ । ସେ ରହୁଥିବା ସେହି ଦ୍ୱୀପର ସେଦିନର ସୂର୍ଯ୍ୟାସ୍ତ ଦେଖି ତାଙ୍କର ଭାବାନ୍ତର ଘଟିଥିଲା । ସେ ନିର୍ଣ୍ଣୟ କଲେ ସମୟ ଆଉ ନାହିଁ, ତାହା ପୂର୍ବରୁ ତାଙ୍କୁ ଆଉ ଗୋଟିଏ କାମ ଶେଷ କରିଯିବାକୁ ହେବ । ସେ ଏତେଦିନ ହେଲା ଯେଉଁ ବିଚାର ଆଉ ତଜ୍ଜନୀତ ଯେଉଁ କାମମାନ କରିଆସିଛନ୍ତି ତାହାର ଏକ ନୈତିକପକ୍ଷ ପ୍ରସ୍ତୁତ କରି ସମସ୍ତଙ୍କର ବିବେକ ଉପରେ ତାହାର ପରବର୍ତ୍ତୀ କାର୍ଯ୍ୟପନ୍ଥାକୁ ଆଗତ ସମୟପାଇଁ ରଖିଯିବାର ଇଏ ହେଉଛି ସମୟ । ସାଧାରଣତଃ କୌଣସି ବିଚାରଧାରା ଓ କାର୍ଯ୍ୟପନ୍ଥାର ଔଚିତ୍ୟବୋଧ ଲୋକଙ୍କ ପାଖରେ ରହିଲେ ଯାଇ ତାହା ସବୁ ସମୟ ପାଇଁ ଅକ୍ଷୁଣ୍ଣ ରହିବ ।ଯଦି ଲୋକେ କୌଣସି କାମକୁ ପରେ ଠିକ ବା ଉଚିତ ବୋଲି ମନେ ନକରିବେ ତେବେ ତାହାକୁ ଏଡାଇଯିବେ । ତେଣୁ ସେ ଏମିତିରେ କହିବାକୁ ଗଲେ ନିଜର ସମର୍ଥନ ପାଇଁ ତଥା ନିଜର ନୀତିଗତ ପକ୍ଷଟିକୁ ଭବିଷ୍ୟତ ପାଇଁ ସୁରକ୍ଷିତ ରଖିବାକୁ ଏକ ଶପଥପତ୍ର ପ୍ରସ୍ତୁତ କରିଥିଲେ । ଅର୍ଥାତ ତାଙ୍କର କାର୍ଯ୍ୟ ଓ ବିଚାର ସମସ୍ତଙ୍କୁ ଏକ ଶପଥପତ୍ର ଭିତରେ ଏକାଠି କରି ତାଙ୍କର ନିଜ ପାଇଁ ଏକ ଆସନ ସ୍ଥିରୀକୃତ କରିଦେଲା ।
ସେହି ବିଶେଷ ଶପଥପତ୍ରର ଉଲ୍ଲେଖ ଆଜିବି ଦିଆଯାଏ । ମାତ୍ର ପୃଥିବୀର ସବୁଠାରୁ କମ ପଢାଯାଉଥିବା ଶପଥପତ୍ର ର ତାଲିକାରେ ଏଇଟି ଆସିବ । ନିଜର ବୃତିକୁ ସ୍ୱାଭାବିକ ଭାବରେ ଗ୍ରହଣ କରି ସମସ୍ତେ ଏହି ଶପଥପତ୍ର ପଠନକୁ ସମୟର ଅପଚୟ ବୋଲି ମନେ କରିଥାଆନ୍ତି ।
ଏହି ବିଶେଷ ଶପଥପତ୍ରର ପ୍ରଣେତା ହେଉଛନ୍ତି ହିପୋକ୍ରାଟସ । ସବୁ ଚିକିତ୍ସାବିତ ନିଜର ବୃତିର ନୈତିକ ପକ୍ଷଟି ପାଇଁ ଏହି ହିପୋକ୍ରାଟସକୃତ ଶପଥପତ୍ରର ଅନୁସରଣ କରିଥାନ୍ତି ବୋଲି ଆମର ବିଶ୍ୱାସ । ହିପୋକ୍ରାଟସଙ୍କ ସମୟ କାଳ ହେଉଛି ଖ୍ରୀପୂ ୪୬୦ ରୁ ଖ୍ରୀପୂ ୩୭୭ । ଗ୍ରୀସର କସ ବୋଲି ଏକ ଦ୍ୱୀପରେ ଜନ୍ମିତ ହିପୋକ୍ରାଟସ ହେଉଛନ୍ତି ବିଶିଷ୍ଟ ଚିନ୍ତାନାୟକ ସକ୍ରେଟିସଙ୍କ ସମସାମୟିକ । ପ୍ଲାଟୋ ତାଙ୍କଠାରୁ ବୟସରେ ତିରିଶ ବର୍ଷ ସାନ ଏବଂ ହିପୋକ୍ରାଟସଙ୍କର ଦେହାବସାନ ବେଳକୁ ଆରିଷ୍ଟୋଟଲ ନିହାତି ନାବାଳକ । ସେହି ଆରିଷ୍ଟୋଟଲ କିନ୍ତୁ ହିପୋକ୍ରାଟସଙ୍କ ସଂପର୍କରେ ଯେଉଁ ଦୁଇଟି ଉଲ୍ଲେଖ କରିଛନ୍ତି ସେଥିରୁ ଗୋଟିଏ ହେଉଛି, “ହିପୋକ୍ରାଟସ ଥିଲେ କସ ଦ୍ୱୀପର ଜଣେ ଆସକ୍ଲେପିଅନ” । ଆସକ୍ଲେପିଅନର ଅର୍ଥ ହେଉଛି ଯିଏ ଚିକିତ୍ସାଶାସ୍ତ୍ରରେ ଜଣେ ପ୍ରଶିକ୍ଷିତ ବ୍ୟକ୍ତିତ୍ୱ । ଗ୍ରୀସରେ ଚିକିତ୍ସାଶାସ୍ତ୍ର ତଥା ଭେଷଜ-ଉପଚାରର ଦେବତା ହେଉଛନ୍ତି ଆସକ୍ଲେପିଅସ । ତାଙ୍କର ହାତରେ ରହିଥାଏ ଏକ କାରୁକାର୍ଯ୍ୟଖଚିତ ଦଣ୍ଡ ଆଉ ସେଥିରେ ରହିଥାଏ କୁଣ୍ଡଳିକାରରେ ଗୋଟିଏ ସାପ । ଯେହେତୁ ସେ ସମୟର ଉପଚାର ବିଧିରେ ସାପର ବିଷ ପ୍ରାୟତଃ ବ୍ୟବହୃତ ହେଉଥିଲା ତେଣୁ ଚିକିତ୍ସାଶାସ୍ତ୍ରର ଦେବତା ଆସକ୍ଲେପିଅସଙ୍କ ଦଣ୍ଡରେ ସାପ ରହିବା ଏକ ପ୍ରତୀକାତ୍ମକ ପ୍ରଦର୍ଶନ । ଏହା ଛଡା ସାପ ଯେମିତି ନିଜର ପୁରୁଣା ଚମଡା ତ୍ୟାଗ କରି ନୂଆ ଚମଡା ପ୍ରାପ୍ତ ହୋଇଥାଏ ଠିକ ସେହିଭଳି ଲୋକ କୌଣସି ଅସୁଖରୁ ଆରୋଗ୍ୟ ଲାଭ କରିଥାଏ । ତେଣୁ ଗ୍ରୀକମାନଙ୍କ ପାଇଁ ସାପ ସୁସ୍ଥତାର ଏକ ପ୍ରତୀକ । ହିପୋକ୍ରାଟସ ସଂଭବତଃ ନିଜର ପିତାଙ୍କ ଦ୍ୱାରା ପ୍ରେରିତ ହୋଇ ଜଣେ ଆସକ୍ଲେପିଅନ ହୋଇଥିଲେ । ଆସକ୍ଲେପିଅନମାନେ ସାଧାରଣତଃ ଆସକ୍ଲେପିଅସଙ୍କ ମନ୍ଦିର ପରିସରରେ ରୋଗୀ ମାନଙ୍କର ପରିଚର୍ଯ୍ୟା ତଥା ଉପଶମର ନିଦାନମାନ ପ୍ରଦାନ କରୁଥିଲେ । ଆସକ୍ଲେପିଅନ ଓ ସେମାନଙ୍କର ଶିଷ୍ୟପ୍ରଶିଷ୍ୟମାନେ ସବୁବେଳେ ଆସକ୍ଲେପିଅସଙ୍କ ମନ୍ଦିର ପରିସରରେ ବସବାସ କରି ରୋଗୀମାନଙ୍କର ଦେଖାଶୁଣା ତଥା ବିଭିନ୍ନ ରୋଗ ସଂପର୍କରେ ଚର୍ଚ୍ଚା କରୁଥିଲେ ।
ହିପୋକ୍ରାଟସଙ୍କ ସହିତ ଗ୍ରୀକ ତଥା ବିଶ୍ୱର ଲୋକମାନଙ୍କର ଭିତରେ ମଣିଷର ଅସୁଖକୁ ନେଇ ପ୍ରଚଳିତ ରହିଥିବା ଧାରଣାର ସଂପୂର୍ଣ୍ଣ ପରିବର୍ତ୍ତନ ଘଟିଥିଲା । ଏହି ଯୁଗାନ୍ତକାରୀ ଘଟଣାକୁ ବୁଝିବାକୁ ହେଲେ ହିପୋକ୍ରାଟସଙ୍କ ପୂର୍ବବର୍ତ୍ତୀ ଚିକିତ୍ସାପଦ୍ଧତି ଓ ଚିକିତ୍ସାଧାରଣାକୁ ବୁଝିବା ଆବଶ୍ୟକ । ତାଙ୍କ ପୂର୍ବରୁ ବିଶେଷତଃ ମିଶର ଓ ପଶ୍ଚିମ-ଏସିଆର ଯେଉଁ ଅଂଚଳ ଯାହାକୁ ଉର୍ବର–ଚନ୍ଦ୍ରାଂଶ ବି ଫର୍ଟାଇଲ କ୍ରେସେଂଟ ବୋଲି କୁହାଯାଉଥିଲା ତଥା ବର୍ତମାନର ତୁର୍କି, ସିରିଆ ଆଉ ଇରାନରେ ଆକାଦିଆନ, ସୁମେରୀୟ ତଥା ବେବିଲୋନୀୟ ସାମ୍ରାଜ୍ୟରେ ଦୁଇ ପ୍ରକାରର ଚିକିତ୍ସକ ଶ୍ରେଣୀର ଉଦ୍ଭବ ହୋଇଥିଲା । ସେମାନେ ହେଉଛନ୍ତି ଆସିଫସ ଓ ଆସସ । ଆସିଫସମାନେ ନିଜର ସାଧନା ବଳରେ ଜାଣିପାରୁଥିଲେ ଯେ କେଉଁ ପ୍ରେତାତ୍ମା କେଉଁ ରୋଗର କାରଣ ଆଉ ତାହାର ନିରାକରଣ ପାଇଁ ସେମାନେ ଝଡା,ଫୁଙ୍କା ଆଉ ତାବିଜ ଆଦିର ବ୍ୟବସ୍ଥା କରୁଥିଲେ । ଅନ୍ୟ ପକ୍ଷରେ ଆସସମାନେ ରୋଗୀର ପ୍ରୟୋଗାତ୍ମକ ଚିକିତ୍ସା କରୁଥିଲେ । ସେମାନେ ଜଡିବୁଟିରୁ ପ୍ରସ୍ତୁତ ଲେପ, ଘା ହୋଇଥିବା ସ୍ଥାନକୁ ଧୋଇବା ତଥା ପଟି ଲଗାଇବା ପ୍ରଭୃତି ବାହ୍ୟ ଉପଚାରରେ ରୋଗର ଚିକିତ୍ସା କରୁଥିଲେ । ଉଭୟ ଆସିଫସ ଏବଂ ଆସସ ନିଜନିଜର ଚିକିତ୍ସାପଦ୍ଧତିକୁ ଯଥାସଂଭବ ଗୋପନୀୟ କରି ରଖୁଥିଲେ । ଏହି ପ୍ରକାର ପ୍ରଚଳିତ ଚିକିତ୍ସାପଦ୍ଧତିକୁ ତର୍ଜମା କଲେ ଆମେ ଜାଣିପାରିବା ଯେ ଟାଇଗ୍ରିସ-ଇଉଫ୍ରେଟସ ଅଂଚଳରେ ଯେଉଁ ଧାରଣା ଥିଲା ତାହା ହେଉଛିଯେ, ମଣିଷ ର ରୋଗମାନ ଦେବତାମାନଙ୍କର ଅଭିଶାପ ତଥା କୌଣସି ପ୍ରେତାତ୍ମାମାନଙ୍କର କୁଦୃଷ୍ଟି ଭଳି କେବଳ ବାହ୍ୟ ପ୍ରଭାବରୁ ସୃଷ୍ଟି । ତେଣୁ ସେମାନେ ଆସିଫସ ଓ ଆସିସ ଊଭୟଙ୍କ ସହାୟତାରେ ଓ ଜଡିବୁଟି ଉପଚାର ରେ ରୋଗକୁ ପ୍ରତିହତ କରିପାରୁଥିଲେ । ରୋଗର ବାହ୍ୟପ୍ରଭାବଜନୀତ-ଉତ୍ପତ୍ତି କାରଣଟି ଇଜିପ୍ଟରୁ ଚାରିଆଡେ ବ୍ୟାପି ଯାଇଥିଲା । କିନ୍ତୁ ପ୍ରାଚୀନ ତଥା ତିନି ଚାରିହଜାର ବର୍ଷ ତଳର ଏହି ମିଶରୀୟ ରୋଗର ଅବଧାରଣାଟି କ୍ରମଶଃ ବଦଳିବାରେ ଲାଗିଲା । ଖ୍ରୀପୂ ଏକହଜାର ବର୍ଷ ବେଳକୁ ଗ୍ରୀସରେ ରୋଗଧାରଣା ଭିନ୍ନପ୍ରକାର ହେବାକୁ ଆରଂଭ କରିଥିଲା । ଗ୍ରୀସର ଚିକିତ୍ସକମାନେ ବିଶ୍ୱାସ କରିବାକୁ ଆରଂଭ କଲେ ଯେ ମଣିଷର ରୋଗ କୌଣସି ବାହ୍ୟପ୍ରଭାବ ନୁହଁ ବରଂ ମଣିଷ ଶରୀରର ଆଭ୍ୟନ୍ତରୀଣ କାରଣରୁ ସୃଷ୍ଟି । ଗ୍ରୀସର ଆଦ୍ୟ ଚିକିତ୍ସାବିତଙ୍କ ଧାରଣାନୁଯାୟୀ ମଣିଷର ଶରୀର ଚାରିଗୋଟି ରସରେ ଗଢା । ତାହା ହେଉଛି ରକ୍ତ, କଫ, ହଳଦିଆ ରଂଗର ପିତ ବା ୟେଲୋ ବାଇଲ ଏବଂ କଳା ରଂଗର ପିତ ବା ବ୍ଲାକ ବାଇଲ । ଏହି ଚାରି ରସକୁ ସେମାନେ ‘ଚାରି ହ୍ୟୁମର’ ବୋଲି କହୁଥିଲେ । ଏହି ‘ଚାରି ହ୍ୟୁମର’ରୁ ପ୍ରତ୍ୟେକ ରସର ଯଦି ଶରୀର ଭିତରେ କୌଣସି କାରଣବଶତଃ ଅସନ୍ତୁଳନ ଘଟିଥାଏ ତେବେ ମଣିଷର ସାଧାରଣତଃ ଅସୁଖ ହୁଏ । ମୁଖ୍ୟତଃ ଗ୍ରୀସର ଆଦ୍ୟ ଚିକିତ୍ସକଗଣ ମନେ କରୁଥିଲେ ଯେ ଅନ୍ୟ ତିନିଗୋଟି ହ୍ୟୁମର ତୁଳନାରେ ରକ୍ତ ଶରୀର ଭିତରେ ବେଶୀ ଉତ୍ପାତ କରିଥାଏ । ରକ୍ତ ଅଧିକ ହେଲେ ଶରୀରର ତାପମାତ୍ରା ଅଧିକ ହେବ, ଦେହମୁହଁ ଫୁଲିଯିବ, ଅନିଦ୍ରା ଓ କ୍ଷୁଧା ହେବନାହିଁ । ତେଣୁ ସେମାନେ ସେ ସମୟରେ ଅସୁଖର ପ୍ରାଥମିକ ଉପଚାର ହିସାବରେ ଅଧିକ ରକ୍ତକୁ ଶରୀରରୁ ବାହାର କରିଦେଉଥିଲେ । ଏହି ପ୍ରକାର ନିରାମୟ-ପଦ୍ଧତିକୁ ରକ୍ତପାତ ବା ବ୍ଳଡଲେଟିଙ୍ଗ ବୋଲି କୁହାଯାଉଥିଲା ।
ଅସୁଖର ଏହି ଆଭ୍ୟନ୍ତରୀଣ ସୃଷ୍ଟିତତ୍ୱ ବା ହ୍ୟୁମରର ଅସନ୍ତୁଳନ ତତ୍ୱ ବେଶ ପ୍ରଚଳିତଥିବା ସମୟରେ ଜଣେ ଆସକ୍ଲେପିଅନ ବା ଚିକିତ୍ସକ ହିସାବରେ କସ ଦ୍ୱୀପରେ ହିପୋକ୍ରାଟସଙ୍କ ଆବିର୍ଭାବ ଘଟିଛି । ସେ ଏହାକୁ ସମର୍ଥନ କରିବା ସହିତ ଏହି ବିଚାରଧାରାକୁ ଏମିତି ମାର୍ଜିତ ତଥା ଆଜିର ଭାଷାରେ କହିଲେ ଏପରି ବିଜ୍ଞାନସମ୍ମତ କରିଛନ୍ତି ଆଉ ସେହି କାରଣରୁ ତାଙ୍କୁ ଚିକିତ୍ସାଶାସ୍ତ୍ରର ଜନକ ବୋଲି ପରେ କୁହାଯାଇଛି । ହିପୋକ୍ରାଟସ ହ୍ୟୁମର ତତ୍ୱ ଉପରେ ଯାହା କହିଛନ୍ତି ତାହା ପରେ ତାଙ୍କର ଶିଷ୍ୟପ୍ରଶିଷ୍ୟମାନଙ୍କ ଦ୍ୱାରା ନଥିବଦ୍ଧ ହୋଇଛି । ଏହିଭଳି ଉପଲବ୍ଧ ଷାଠିଏଟି ଲେଖାକୁ ହିପୋକ୍ରାଟସଙ୍କ କର୍ପସ ବୋଲି କୁହାଯାଏ ।
ହିପୋକ୍ରାଟସଙ୍କ କର୍ପସରେ ସାଧାରଣତଃ ଯେଉଁ କଥାଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ପର୍ଯ୍ୟବେକ୍ଷଣ, ଅର୍ଥାତ କୌଣସି ରୋଗୀ ଆସିଲେ ତାହାର ରୋଗର ଲକ୍ଷଣ, ସଂକ୍ରମଣଠାରୁ ଆରଂଭ କରିବା ଭଳି ଆନୁସଂଗିକ ସମସ୍ତ ବିସ୍ତୃତ ବିବରଣୀକୁ ତର୍ଜମା କରିବା ସହିତ ଲିପିବଦ୍ଧ କରି ରଖିବାର କାର୍ଯ୍ୟ । ସେ ନିଜରଶିଷ୍ୟମାନଙ୍କୁ ଏହି ପର୍ଯ୍ୟବେକ୍ଷଣକ୍ରିୟାରେ ଦକ୍ଷ ହେବା ପାଇଁ ତାଲିମ ଦେଉଥିଲେ । ଏହା ସହିତ ହାଡଭାଙ୍ଗିଯାଇଥିଲେ ତାହାର ପୁଙ୍ଖାନୁପୁଙ୍ଖ କଥା,ନାରୀର ବଂଧ୍ୟାତ୍ୱ, ଶିରାପ୍ରଶିରା, ଦାନ୍ତ, ପରିମଳ ବ୍ୟବସ୍ଥା ତଥା ସ୍ୱପ୍ନର କଥାମାନ ରହୁଥିଲା । ସେ ସମୟରେ ଅପସ୍ମାର ବା ଏପିଲେପ୍ସି କୁ ଏକ ପବିତ୍ର ବ୍ୟାଧି ବୋଲି ମନେ କରାଯାଉଥିଲା । ବିଶ୍ୱାସ କରାଯାଉଥିଲା ଯେ ଅପସ୍ମାର ସମୟରେ କୌଣସି ଦେବତା ମଣିଷର ଶରୀରକୁ ଅଧିଗ୍ରହଣ କରିଥାନ୍ତି । ହିପୋକ୍ରାଟସ କିନ୍ତୁ ଏହି ବିଶ୍ୱାସକୁ ପ୍ରତ୍ୟାଖ୍ୟାନ କରୁଥିଲେ । ସେ ଏହାକୁ ଏକ ଶାରୀରିକ ଅସୁଖ ବୋଲି ମନେ କରୁଥିଲେ । ଏବଂ ଏହି ବିଶେଷ ବ୍ୟାଧି ପାଇଁ ତାଙ୍କର ଧର୍ମଧାରକ ମାନଙ୍କର ସହିତ ସଂଘର୍ଷ ହେଉଥିଲା । ଫଳତଃ ସେ କେତେବର୍ଷ କାରାବରଣ କରିଥିବାର କଥା ତାଙ୍କର ହିପୋକ୍ରାଟସ-କର୍ପସରୁ ମିଳିଅଛି । ସେତେବେଳର ସଂଭ୍ରାନ୍ତ ଓ ଶାସକ ବର୍ଗ ମନେ କରୁଥିଲେ ଯେ ସେମାନେ ହେଉଛନ୍ତି ଦେବତା ଆଉ ମଣିଷ ଭିତରେ ମଧ୍ୟସ୍ଥତା କରିବା ପାଇଁ ଅଧିକୃତ କିନ୍ତୁ ହିପୋକ୍ରାଟସ ତାଙ୍କର ଏହିଭଳି ଅଧିକାର ଉପରେ ହସ୍ତକ୍ଷେପ କରି ସେମାନଙ୍କୁ ନ୍ୟୁନ କରିଛନ୍ତି । ମାତ୍ର ଅସୁଖରୁ ନିରାମୟ ପାଇଁ ସେମାନେ ଏହି ବିଚକ୍ଷଣ ଚିକିତ୍ସକକୁ ଅଧିକ ସମୟ କାରାଗାରରେ ରଖିବାକୁ ଚାହିଁନାହାଁନ୍ତି ।
ଆଉ ଥରେ କହୁଛି, ହିପୋକ୍ରାଟସଙ୍କର ଯାହା କିଛି ଏଯାଏଁ ଆମ ସହିତ ରହିଛି ତାହା ହେଉଛି ତାଙ୍କର କୌଣସି ରୋଗୀକୁ ପ୍ରଥମରେ ନିଷ୍ଠାପର ପର୍ଯ୍ୟବେକ୍ଷଣ । ସମସ୍ତ ରୋଗର ଉପଶମ ଅର୍ଥରେ ସେ ଏହାକୁ ସବୁ ସମୟପାଇଁ ଅତ୍ୟାବଶ୍ୟକୀୟ ବ୍ୟବସ୍ଥାର ଏକ ମୌଳିକ ସିଦ୍ଧାନ୍ତ ହିସାବରେ ରଖିଯାଇଛନ୍ତି । ରୋଗର ଲକ୍ଷଣ, ସଂକ୍ରମଣ, ନାଡିର ଗତି, ନିଶ୍ୱାସପ୍ରଶ୍ୱାସ, ଶରୀରର ତାପମାତ୍ରା, ଚମର ରଂଗ ତଥା ରୁକ୍ଷତା, ଆଖି ଆଉ ପାଟି ଭିତର ଦୃଶ୍ୟ, ଦେହ ଭିତରର ସ୍ପନ୍ଦନ ଏବଂ ରୋଗୀର ମଳମୂତ୍ର , ଏହି ସମସ୍ତ ତାଙ୍କର ପର୍ଯ୍ୟବେକ୍ଷଣ କ୍ରିୟାର ଅଂଶବିଶେଷ ଥିଲା । ଆଜିବି ସେମିତି ହେଉଛି । ଏହି ପର୍ଯ୍ୟବେକ୍ଷଣରୁ ଜଣେ ଚିକିତ୍ସକ ଜାଣିପାରିବ ରୋଗୀଟି କେତେ ପରିମାଣରେ କେଉଁଠି ଅସଲରେ ଅସ୍ୱାଭାବିକ ରହିଛି । ସାଧାରଣ ଭାବରେ କହିବାକୁ ଗଲେ ଅସୁଖ ହେଉଛି ଏକ ଅସ୍ୱାଭାବିକତା ଆଉ ଏହି ଅସ୍ୱାଭାବିକତାକୁ ସଠିକ ଚିହ୍ନଟ କରି ଶରୀରକୁ ତାହାର ସ୍ୱାଭାବିକ ଛନ୍ଦକୁ ଫେରାଇଦେବା ହେଉଛି ସେହି ଅସୁଖର ନିରାକରଣ । ସେଇଥିପାଇଁ ହିପୋକ୍ରାଟସ ରୋଗୀର ମଳମୂତ୍ରକୁ ନିରୀକ୍ଷଣ କରିବା ଉପରେ ଗୁରୁତ୍ୱ ଦେଉଥିଲେ । ମଣିଷର ମଳମୂତ୍ର ଠିକ ନିଷ୍କାଷିତ ହେଉଛି ଅର୍ଥ ସେ ଭଲ ଆଉ ସୁସ୍ଥ ରହିଛି ଏହି ବିଚାରର ସେ ହେଉଛନ୍ତି ଆଦ୍ୟପ୍ରବକ୍ତା । ଏପରିକି ଏକ ଚିମୁଟା ଭଳି ପଦାର୍ଥରେ ସେ ରୋଗୀର ଗୁହ୍ୟଦ୍ୱାରକୁ ପରୀକ୍ଷା କରୁଥିଲେ ଯାହାକୁ ପୃଥିବୀର ପ୍ରାଚୀନତମ ଏଣ୍ଡୋସ୍କୋପି କହଲେ ସେମିତି ଭୁଲ ହେବନାହିଁ । ସେ ଏହି ସମସ୍ତ ରୋଗୀମାନଙ୍କର ପର୍ଯ୍ୟବେକ୍ଷଣ କର୍ମକୁ ଲିପିବଦ୍ଧ ରଖିିବା ଉପରେ ଗୁରୁତ୍ୱ ଦେଉଥିବାର ପ୍ରମୁଖ କାରଣ ହେଉଛି ତାହା ପରେ ଅନ୍ୟ ସେହିଭଳି ରୋଗୀମାନଙ୍କର ଚିକିତ୍ସାରେ ମାର୍ଗଦର୍ଶକ ହିସାବରେ କାମ କରିପାରିବ ।
ହିପୋକ୍ରାଟସ ସାଧାରଣତଃ ଅଲିଭ ତେଲ, ମହୁ ଆଉ ପ୍ରାୟ ଦୁଇଶହ ପ୍ରକାରର ଜଡିବୁଡି ଉପରେ ନିର୍ଭର କରୁଥିଲେ ।ଯେହେତୁ ସେହି ସମୟରେ ମଣିଷ ଉପରେ ସଂକ୍ଷିପ୍ତ ଶଲ୍ୟକ୍ରିୟା କରିବାର ଅନୁମତି ମିଳୁଥିଲା ତେଣୁ କୌଣସି ଶବ ବ୍ୟବଚ୍ଛେଦ କରି ବିଭିନ୍ନ ଅଂଗପ୍ରତ୍ୟଂଗ ବିଷୟରେ ଉପଯୁକ୍ତ ତଥ୍ୟ ଜାଣିବା ତାଙ୍କ ପକ୍ଷରେ ସଂଭବ ନଥିଲା । ତେଣୁ ସବୁବେଳେ ତାଙ୍କର କୌଣସି ରୋଗୀ ଚିକିତ୍ସା କଲାବେଳେ ଉପଚାରବିଧି ରହୁଥିଲା ଖୁବ ସଂଜତ,ସତର୍କ ଓ ସୌଜନ୍ୟତାପୂର୍ଣ୍ଣ ।
ତେଣୁ ସମସ୍ତ ରୋଗ ତଥା ରୋଗୀର ପରିଚାଳନାଗତ ପ୍ରକ୍ରୀୟାକୁ ଏକ ନୀତିଗତ ପୋଷାକ ଭିତରେ ସଂଜତ କରି ରଖିବାପାଇଁ ସେ ଯେଉଁ ଶପଥପତ୍ର ଟି ପ୍ରସ୍ତୁତ କରି ଯାଇଛନ୍ତି ତାହାର ଆବେଦନ ସର୍ବକାଳୀନ । ଆପୋଲୋଙ୍କ ନାମରେ ସମସ୍ତ ଚକିିତ୍ସାବିତଙ୍କୁ ଏହି ଶପଥଟକୁି ନେବାକୁ କୁହାଯାଉଛି । ଏହି ଶପଥପତ୍ର ପଛରେ ପ୍ରତ୍ୟେକ ଚିକିତ୍ସକର ପିତୃସୁଲଭ ଦୃଷ୍ଟିଭଙ୍ଗୀ, ସାଧୁତା, ନିଷ୍ଠାର ପ୍ରସଂଗ ରହିଛି । ବୃତ୍ତିଗତ ଭାବରେ ଜଣେ ନିହାତି ବିଶ୍ୱସ୍ତ ଓ ଅସୁଖ ଭୋଗୁଥିବା ବ୍ୟକ୍ତିର ସମସ୍ତ ତଥ୍ୟକୁ ସେ ଗୋପନ କରି ରଖିବାର କଥା ରହିଛି ।
ଏହି ବିଶେଷ ହିପୋକ୍ରାଟସ ଶପଥପତ୍ରଟି ଆଜି ସେମିତ ପଢା ହେଉକି ନହେଉ ଆଜିର ତାରିଖରେ ସବୁ ଚିକିତ୍ସକର ତାହା ସମାର୍ଥକ ହୋଇଛି, ତାହା ସବୁଠୁ ବଡ କଥା । ହୁଏତ କୌଣସି ଜନପ୍ରିୟ ଚିକିତ୍ସକ ଦିନେ ଅକସ୍ମାତ ଏହି ଶପଥ ପତ୍ରକୁ ପଢିବ ଆଉ ପଢି ସାରିବା ପରେ ନିଜର ଚଷମାର କାଚ ପୋଛି ମନକୁମନ କହିବ, ମୋ ପିଲାମାନଙ୍କର ସତରେ ଭାରି ଅସୁଖ, ଭାରି ଅସୁଖ ।
ସେହଭଳି ଏକି ଅକସ୍ମାତକୁ ସବୁବେଳେ ଅପେକ୍ଷା ।