Latest Odisha News

BREAKING NEWS

ମନ ଜିଣୁଛି ଜେଜେମା ହାଣ୍ଡିଶାଳ: କାଠ ଚୁଲା, ଲୁହା କଡେଇ ଆଉ ଶିଳ ବଟା ମସଲାରେ ଯାଦୁ ଦେଖଉଛନ୍ତି ଜେଜେମାଆ

ଯାଜପୁର: ଆଜିକାଲି ଇଂଲିଶ କିଚେନ ଗ୍ୟାସରୁ କଣ ଆସୁଛି ସୋରିଷ ଛୁଙ୍କର ବାସ୍ନା ? କିନ୍ତୁ ୟାକୁ ଦେଖିଲେ ପାଟିରୁ ଲାଳ ଗଡ଼ିବାଟା ଥୟ । ସୋରିଷ ମସଲା ଦେଇ ଶାଗ ଖରଡ଼ାଠୁ ନେଇ ମାଛ ବେସର, ଭେଣ୍ଡି ଆମ୍ବୁଲ, ସାରୁ ନାଡ଼ି, ବଡ଼ି ଚୁରା, ଚୁନାମାଛ ପତ୍ରପୋଡ଼ା, ଚିଙ୍ଗୁଡ଼ି ଶୁଖୁଆ ପୋଇପତ୍ର ଛେଚଡ଼ା, ଶୁଖୁଆ ବେସର ସହ ବିଭିନ୍ନ ଆମିଷ ଓ ନିରାମିଷ ବ୍ୟଞ୍ଜନ ପ୍ରସ୍ତୁତ କରୁଛନ୍ତି ଜେଜେ ମାଆ କୋକିଳା । ସବୁ ପୁଣି ଚୁଲିରେ । ଆଜିକାଲି ତ ଖଇଚଲା, ଡାଲିଘୋଟା ଓ ଶୀଳରେ ମସଲା ବଟା ସତେ ଯେମିତି ହଜିଗଲାଣି କିନ୍ତୁ ଜେଜେ ମା’ ତା ହାଣ୍ଡିଶାଳରେ ସବୁ ସାଇତି ରଖିଛନ୍ତି ।

ଶିଖିବା କିମ୍ବା ଶିଖାଇବାର କିଛି ବୟସ ନ ଥାଏ। ଏହାର ଏକ ବଡ଼ ଉଦାହରଣ ହେଲେ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଦେଉଳକଣ ଗାଁର କୋକଳି ନାୟକ। ବୟସ ୯୦ ପହଞ୍ଚିଲାଣି, ହେଲେ ହାତର ଯାଦୁ କିନ୍ତୁ ଚମତ୍କାର। ଏ ବୟସରେ ବି ସେ ଭଳି କି ଭଳି ରୋଷେଇ କରୁଛନ୍ତି। ୟୁଟ୍ୟୁବରେ ଏକଦମ ଛାଇଗଲେଣି ଜେଜେମାଆ ଆମର। ୟୁଟ୍ୟୁବରେ ଜେଜେମାଆଙ୍କ ଭିଡିଓ ଦେଖି ଆଖପାଖ ଝିଅ ବୋହୂ ବି ପହଞ୍ଚି ରୋଷେଇ ଶିଖିବାକୁ ଅଳି କରୁଛନ୍ତି। ଜେଜେମା ହାଣ୍ଡିଶାଳ ଚ୍ୟାନେଲରେ ଦେଶ ବିଦେଶର ହଜାର ହଜାର ସବସ୍କ୍ରାଇବର ଯୋଡ଼ିହୋଇଛନ୍ତି। କୋକିଳାଙ୍କ ଦେଶୀ ଷ୍ଟାଇଲ ହାତ ତିଆରି ଖାଦ୍ୟ ତାଲିକା ଖୁବ୍ ଲମ୍ବା । ତେବେ ତା’ ଭିତରେ ସଜନା ଶାଗ ମୁଗଯାଇ ଖରଡା, ସାରୁ କାହାଳି, ବୋଇତାଳୁ ଡଙ୍କ ରାଇ, ଛତୁ ପୋଡ଼ା, ଚୁନାମାଛ ପତ୍ରପୋଡ଼ା, ଚିଙ୍ଗୁଡ଼ି ଶୁଖୁଆ ପୋଇପତ୍ର ଛେଂଚଡ଼ା, ମାଛ ଓ ଶୁଖୁଆ ବେସର ଆଦି ଦେଶୀ ଖାଦ୍ୟ ଯେ କୌଣସି ଖାଦ୍ୟପ୍ରେମୀଙ୍କ ପାଟିରୁ ଲାଳ ବୁହାବାକୁ ବେଶ୍ ସକ୍ଷମ ।

ଜେଜେ ମାଆ ଓ ତାଙ୍କ ଅଣନାତୁଣୀ ୨୦୨୧ ସେପ୍ଟେମ୍ବରରେ ଖୋଲିଥିବା ଏହି ଚ୍ୟାନେଲର ଗୋଟେ ଗୋଟେ ଭିଡିଓକୁ ୩ ଲକ୍ଷରୁ ଊର୍ଦ୍ଧ୍ବ ଭିୟୁ ମିଳିଲାଣି। ଫଳରେ ସେ ଏହି ଚ୍ୟାନେଲରୁ ବାର୍ଷିକ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି। ଏହା ବିଶେଷକରି ପ୍ରବାସୀ ଓଡ଼ିଆ ଗୃହିଣୀଙ୍କ ବେଶୀ ପସନ୍ଦର ଚ୍ୟାନେଲ ହୋଇପାରିଛି। ଦେଶୀ ଓଡ଼ିଆ ଖାଦ୍ୟ ପ୍ରସ୍ତୁତି ଯଥା- ଛତୁ ବେସର, ହବିଷ ଡାଲମା, ବିଭିନ୍ନ ପ୍ରକାରର ଶାଗଭଜା, ବଡ଼ିଚୂରା, ଚୁନାମାଛ ଭଜା, ମାଛ ବେସର, ପଣସ କଠା, ପତ୍ରପୋଡ଼ା ମାଛ, କଦଳୀ ଭଜା, ସାଲାଡ, ଆଳୁ ଭର୍ତ୍ତା, କଲରା ମସଲା, ଅଣ୍ଡା ମସଲା, ଏଣ୍ଡୁରି ପିଠା, ଚକୁଳି ଆଦି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତିର ଭିଡିଓ କରି ଚ୍ୟାନେଲରେ ଛାଡ଼ିଥାନ୍ତି। ଗୋଟେ ପଟେ ଜେଜେମା ରୋଷେଇ କରିଥିବା ଦେଶୀ ଖାଦ୍ୟ ସପରିବାର ଖାଇ ମଜ୍ଜା ନେଉଥିବାବେଳେ ଚ୍ୟାନେଲ ଏହି ଖାଦ୍ୟର ଭିଡିଓ ଦେଖିବାକୁ ଲୋକମାନେ ଅନାଇ ବସିଥା’ନ୍ତି। ଜେଜେମା ମଧ୍ୟ ନିଜ ୟୁ ଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ, ଲାଇକ କରିବାକୁ ଅନୁରୋଧ କରିଥା’ନ୍ତି। କୋକିଳଙ୍କ ଏଭଳି ନିଆରା ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

Leave A Reply

Your email address will not be published.