Latest Odisha News

BREAKING NEWS

କେଦାରନାଥରେ ମୋବାଇଲ ବ୍ୟାନ: ରିଲ୍ସ ଓ ଫଟୋ ଉଠାଇବା ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: କେଦାରନାଥ ଧାମରେ ମୋବାଇଲ୍‌ ମନା । ଶ୍ରଦ୍ଧାଳୁଙ୍କ ଧର୍ମୀୟ ଭାବନାକୁ ଆଘାତ ହେଉଥିବା ଦର୍ଶାଇ ମନ୍ଦିର ପରିସରରେ ମୋବାଇଲ୍ ବ୍ୟବହାରକୁ ମନା କରାଯାଇଛି । ବାବାଙ୍କ ଧାମରେ ୟୁଟ୍ୟୁବର ଓ ଇନଫ୍ଲୁଏନ୍ସରମାନେ ବିଭିନ୍ନ ପ୍ରକାର ରିଲ୍ପ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି, ଯାହା ଭାଇରାଲ ହେଉଛି । କେଦାରନାଥ ମନ୍ଦିରରେ ବାରମ୍ବାର ଏପରି ଘଟଣା ଘଟୁଥିବାରୁ ବଦ୍ରି-କେଦାର ମନ୍ଦିର କମିଟି ବର୍ତ୍ତମାନ କଠୋର ହୋଇଛନ୍ତି । ମନ୍ଦିର ଭିତରକୁ ମୋବାଇଲ ନେବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବା ପାଇଁ ପ୍ରସ୍ତୁତି ଚଳାଇଛି କମିଟି ।

ମନ୍ଦିର ପରିସର ମଧ୍ୟରେ ଆଜି ଏକ ସୂଚନା ଫଳକ ଲଗାଇଛି ମନ୍ଦିର କମିଟି । ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ମୋବାଇଲ ସହ ମନ୍ଦିର ଭିତରକୁ ପ୍ରବେଶ ମନା । ମନ୍ଦିର ଭିତରେ ଫଟୋଗ୍ରାଫି କିମ୍ବା ଭିଡ଼ିଓଗ୍ରାଫି ସମ୍ପୂର୍ଣ୍ଣ ବ୍ୟାନ୍ । କେବଳ ଏତିକି ନୁହେଁ ସମସ୍ତ ଭକ୍ତ ସିସିଟିଭି କ୍ୟାମେରା ପରିଧି ଭିତରେ ଆସୁଛନ୍ତି । ମନ୍ଦିର ସମିତି ଶ୍ରଦ୍ଧାଳୁଙ୍କୁ ସଭ୍ୟ ପୋଷାକ ପରିଧାନ କରି ଆସିବାକୁ କହିବା ସହ ମନ୍ଦିର ପରିସର ମଧ୍ୟରେ ତମ୍ବୁ କିମ୍ବା ଟେଣ୍ଟ ନ ଲଗାଇବାକୁ କହିଛି । ଯଦି କୌଣସି ଭକ୍ତ ଏହି ନିୟମ ପାଳନ ନକରେ ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନା ଅନୁସାରେ, ନିକଟରେ ଜଣେ ଯୁବତୀ ମନ୍ଦିର ସମ୍ମୁଖରେ ନିଜ ବୟଫ୍ରେଣ୍ଡକୁ ପାଶ୍ଚାତ୍ୟ ଢ଼ାଞ୍ଚାରେ ବିବାହ ପ୍ରସ୍ତାବ ଦେଇଥିଲେ, ଯାହାର ଭିଡିଓ ଭାଇରାଲ ହେଉଥିଲା । ଆଉ ଏହି ଭିଡିଓକୁ ନେଇ ବିବାଦ ଉପୁଜିଥିଲା । ବହୁ ଦର୍ଶକ ଧାର୍ମିକ ସ୍ଥଳରେ ଏଭଳି ଆଚରଣକୁ ଭୁଲ ବୋଲି କହିଥିବାବେଳେ କିଛି ଲୋକ ଏହାକୁ ଅତି ସୁନ୍ଦର ପ୍ରେମ ବୋଲି କହିଥିଲେ । ଭିଡିଓଟି ଜୁଲାଇ ୧ ତାରିଖର ବୋଲି ଜଣାପଡ଼ିଥିଲା । ଆଉ ଏହି ଘଟଣା ପରେ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ସଭାପତି କହିଥିଲେ, ଧାର୍ମିକ ସ୍ଥାନର କିଛି ପରମ୍ପରା, ସମ୍ମାନ ଓ ବିଶ୍ୱାସ ରହିଛି । ଭକ୍ତମାନେ ସେହି ଅନୁଯାୟୀ ଆଚରଣ କରିବା ଉଚିତ୍ ।

Leave A Reply

Your email address will not be published.