Latest Odisha News

BREAKING NEWS

ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶା ମିଶନ ଶକ୍ତି ବିଭାଗର ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ସିଧାସଳଖ ଲୋକଙ୍କ ସହ ସମ୍ପର୍କ ନଥିବା ବିଭାଗକୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି)କୁ ସମର୍ଥନ କରିବା ଦିଗରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଆକୃଷ୍ଟ କରିବା ପାଇଁ ସୁଜାତା କାର୍ତ୍ତିକେୟନ ନିଜ ପଦବୀର ଅପବ୍ୟବହାର କରୁଥିବା ଅଭିଯୋଗ କରିଥିଲା ଭାରତୀୟ ଜନତା ପାର୍ଟି (ବିଜେପି)। ଏହାପରେ ଏହି ନିଷ୍ପତ୍ତି ନିଆଯାଇଛି।

ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ବିଜେଡି ସପକ୍ଷରେ ଭୋଟରଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରିବା ପାଇଁ ସିଷ୍ଟେମେଟିକ୍ ଭୋଟର ଏଜୁକେସନ୍ ଆଣ୍ଡ ଇଲେକ୍ଟୋରାଲ ପାର୍ଟିସିପେସନ୍ (ସ୍ୱିପ୍) କାର୍ଯ୍ୟକ୍ରମ ଅଧୀନରେ ସରକାରୀ ସମ୍ବଳର ଅପବ୍ୟବହାର କରୁଛନ୍ତି ବୋଲି ବିଜେପିର ଅଭିଯୋଗରୁ ଜଣାପଡ଼ିଛି। ବିଧାନସଭା ଓ ଲୋକସଭା ନିର୍ବାଚନ ସରିବା ପର୍ଯ୍ୟନ୍ତ ତାଙ୍କୁ କୌଣସି ନିର୍ବାଚନ କାର୍ଯ୍ୟରୁ ବାରଣ କରିବାକୁ ବିଜେପି ଅନୁରୋଧ କରିଛି।

ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ଲାଗି ରହିଛି। ଏହି ସମୟରେ ଏପରି ଏକ ଅଭିଯୋଗ ଆସିଛି ପାଣ୍ଡିଆନଙ୍କ ପତ୍ନୀଙ୍କ ନାମରେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ଏ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲା।

ବିଜେପି ସୁଜାତା କାର୍ତ୍ତିକେୟନଙ୍କୁ ସମାଲୋଚନା କରିବା ସହ ସେ ବିଜେଡିର ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ କରିଛି। ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ରଖିଥିବା ମିଶନ ଶକ୍ତି ବିଭାଗକୁ ସରକାରୀ ଆର୍ଥିକ ସୁବିଧା ବନ୍ଦ କରିବାକୁ ଧମକ ଦେଇ ବିଜେଡିକୁ ସମର୍ଥନ କରିବାକୁ ବାଧ୍ୟ କରାଯାଉଛି ବୋଲି ସେମାନେ ଦାବି କରିଛନ୍ତି।

ଓଡ଼ିଶାରେ ମେ’ ୧୩ରୁ ଜୁନ୍ ପହିଲା ପର୍ଯ୍ୟନ୍ତ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଜୁନ୍ ୪ତାରିଖରେ ଫଳାଫଳ ପ୍ରକାଶ ପାଇବ।

Leave A Reply

Your email address will not be published.