Latest Odisha News

BREAKING NEWS

ମେଟ୍ରୋ ସିଟିରେ ୭ ଦିନ, ସହରାଞ୍ଚଳରେ ୧୫ ଏବଂ ଗ୍ରାମାଞ୍ଚଳରେ ୩୦ଦିନ ମଧ୍ୟରେ ମିଳିବ ବିଦ୍ୟୁତ ସଂଯୋଗ

ଭୁବନେଶ୍ବର: ବିଜୁଳି ଉପଭୋକ୍ତାଙ୍କ ଅଧିକାର ସମ୍ବଳିତ ନିୟମ କାନୁନ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ଅଗ୍ରାଧିକାରଭିତ୍ତିରେ ସାରା ଦେଶରେ ଲାଗୁ ହୋଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନୂଆ ନିୟମର ପ୍ରବର୍ତ୍ତନ ବିଷୟ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର.କେ. ସିଂହ ଘୋଷଣା କରିଛନ୍ତି । ବର୍ତ୍ତମାନର ବିଜୁଳି ଗ୍ରାହକ ଏବଂ ଭବିଷ୍ୟତର ଉପଭୋକ୍ତାଙ୍କ ପାଇଁ ଏହା ଲାଗୁ ହୋଇଛି । ସେ ଆହୁରି କହିଛନ୍ତି ଯେ ସାରା ଦେଶରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟୁତ ବଣ୍ଟନକାରୀ କଂପାନୀ ଏକଚାଟିଆ କାରବାର ଚଳାଇଛନ୍ତି । ତେଣୁ ବିଦ୍ୟୁତ ଉପଭୋକ୍ତାଙ୍କ ଅଧିକାରର ସୁରକ୍ଷା ନିମନ୍ତେ ଏହି ନିୟମର ପ୍ରଣୟନ ଏବଂ ଏହାର କାର୍ଯ୍ୟକାରିତା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହି ନୂଆ ନିୟମ ଦ୍ୱାରା ବର୍ତ୍ତମାନର ୩୦ କୋଟି ବିଜୁଳି ଉପଭୋକ୍ତା ଏବଂ ଭବିଷ୍ୟତର ଉପଭୋକ୍ତାମାନେ ଉପକୃତ ହେବେ । ନୂଆ ସଂଯୋଗ ପାଇଁ ମେଟ୍ରୋ ସିଟିଗୁଡିକରେ ଆବେଦନର ୭ ଦିନ, ଅନ୍ୟାନ୍ୟ ମୁନସିପାଲ ଅଞ୍ଚଳରେ ୧୫ ଦିନ ଏବଂ ଗ୍ରାମାଞ୍ଚଳରେ ୩୦ ଦିନ ମଧ୍ୟରେ ସଂପୃକ୍ତ ଆବଣ୍ଟନକାରୀ କଂପାନୀକୁ ସେବା ଯୋଗାଇ ଦେବାକୁ ପଡିବ । ସେହିଭଳି ଏହି ସମୟସୀମା ମଧ୍ୟରେ ଗ୍ରାହକଙ୍କ ବିଦ୍ୟୁତ ସଂଯୋଗର ପରିବର୍ତ୍ତନ କରିବାକୁ ମଧ୍ୟ ହେବ । ବିନା ମିଟରରେ କୌଣସି ବିଦ୍ୟୁତ ସଂଯୋଗ ଦିଆଯିବ ନାହିଁ । ମିଟରଗୁଡିକ ସ୍ମାର୍ଟ ପ୍ରିପେମେଣ୍ଟ ମିଟର କିମ୍ବା ପ୍ରିପେମେଣ୍ଟ ମିଟର ହେବ । ତ୍ରୁଟିପୂର୍ଣ୍ଣ ଓ ପୋଡି ଯାଇଥିବା ମିଟର ବଦଳାଇବାର ସୁବିଧା ନୂଆ ବିଦ୍ୟୁତ ଗ୍ରାହକ ପାଇବେ । ନିର୍ଦ୍ଦିଷ୍ଟଭାବେ କେତେକ କ୍ଷେତ୍ରରେ ଯଦି ମିଟର ଚୋରି ହୋଇଥାଏ, ତେବେ ସେ କ୍ଷେତ୍ରରେ ନୂଆ ମିଟର ଯୋଗାଇ ଦେବାର ବ୍ୟବସ୍ଥା ରହିଛି ।

ବିଦ୍ୟୁତ ଯୋଗାଣକାରୀ କଂପାନୀ ସବୁ ଉପଭୋକ୍ତାଙ୍କୁ ୨୪ ଘଣ୍ଟିଆ ବିଜୁଳି ଯୋଗାଣର ସୁବିଧା ଦେବେ । ତେବେ କୃଷି ଓ ଅନ୍ୟ କେତେକ କ୍ଷେତ୍ର ପାଇଁ ଯଦି ଶକ୍ତି ଯୋଗାଣର ନିର୍ଦିଷ୍ଟ କିଛି ସ୍ୱଳ୍ପ ସେବା ବ୍ୟବସ୍ଥା ଥାଏ, ସେଥିପାଇଁ କମିସନଙ୍କୁ ଉଲ୍ଲେଖ କରିବାକୁ ପଡିବ ।

Leave A Reply

Your email address will not be published.