Latest Odisha News

BREAKING NEWS

ଅନଲାଇନରେ ଇଲେକ୍ଟ୍ରି ବିଲ ଦେବା ଚକ୍କରରେ ମହିଳାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ସାଇବର ଲୁଟେରା

ମୁମ୍ବାଇ: ଆଜିକାଲି ଅନଲାଇନ ପେମେଣ୍ଟର ବ୍ୟବହାର ଯେତେ ବଢୁଛି, ଏହାରି ସାଙ୍ଗକୁ ଅନଲାଇନ ଠକେଇ ମଧ୍ୟ ବଢ଼ିବାରେ ଲାଗିଛି । ସାଇବର ଠକମାନେ ନିରୀହ ଲୋକଙ୍କୁ ମିଠା ମିଠା କଥାରେ ଏଭଳି ଫସାଉଛନ୍ତି ଯେ ସେମାନେ ସବୁକିଛି ଭୁଲିଯାଇ ଠକଙ୍କ କଥାକୁ ଭରସା କରି ସେମାନେ କହୁଥିବା ଆପ ମଧ୍ୟ ଡାଉନଲୋଡ କରୁଛନ୍ତି । ଆଉ ଥରେ ଆପ ଡାଉନଲୋଡ ହେବା ପରେ ସାଇବର ଠକ ସବୁକିଛି ଲୁଟିନେଉଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବାବଦରେ କହିବୁ, ଯେଉଁଠାରେ ଅନଲାଇନରେ ଇଲେକ୍ଟ୍ରି ବିଲ ଦେଉ ଦେଉ ଜଣେ ମହିଳା ଅନଲାଇନ ଠକେଇର ଶିକାର ହୋଇଛନ୍ତି । ଜଣେ ୬୫ ବର୍ଷ ବୟସ୍କା ମହିଳା ନିଜର ବକେୟା ବିଦ୍ୟୁତ୍ ବିଲ୍ ଦେବାକୁ ଏକ ମେସେଜ ପାଇଥିଲେ । ଏହି ବକେୟା ବିଲ ପୈଠ କରିବାକୁ ଯେତେବେଳେ ସେ ଅନଲାଇନ ପେମେଣ୍ଟର ସହାୟତା ନେଇଥିଲେ ସେତେବେଳେ ସାଇବର ଠକଙ୍କ ଶିକାର ହୋଇଯାଇଥିଲେ । ଏହି ସାଇବର ଠକ ମହିଳାଙ୍କ ଆକାଉଣ୍ଟରେ ଥିବା ସାତ ଲକ୍ଷ ଟଙ୍କା ଲୁଟିନେଇଛି ।

ମହିଳା ଜଣକ ମୁମ୍ବାଇର ଅଂଧେରୀରେ ରହୁଥିବାବେଳେ ତାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା ଯେ ଯଦି ବକେୟା ବିଦ୍ୟୁତ୍ ବିଲ୍ ପୈଠ ନ କରିବେ, ତେବେ ଘରର ବିଦ୍ୟୁତ୍ କାଟ ହୋଇଯିବ। ଏହା ସହିତ, ପେମେଣ୍ଟ କରିବା ପାଇଁ ଏକ ନମ୍ବର ମଧ୍ୟ ପଠାଯାଇଥିଲା । ଯେତେବେଳେ ମହିଳା ଜଣକ ଏହି ନମ୍ବରରେ ଫୋନ କରିଥିଲେ, ସେତେବେଳେ ଜଣେ ବ୍ୟକ୍ତି ତାଙ୍କୁ ବିଦ୍ୟୁତ ବିଭାଗର କର୍ମଚାରୀ ଭାବେ ପରିଚୟ ଦେଇଥିଲେ । ଉକ୍ତ ବ୍ୟକ୍ତି ଜଣକ କହିଥିଲେ ଯେ ଅନଲାଇନ ମାଧ୍ୟମରେ ସେ ନିଜ ବିଦ୍ୟୁତ ବିଲ ପୈଠ କରିପାରିବେ । ଏଥିପାଇଁ ଏକ ଆପ ଡାଉନଲୋଡ କରିବାକୁ ଉକ୍ତ ବ୍ୟକ୍ତିଜଣକ ମହିଳାଙ୍କୁ କହିଥିଲେ । ତେବେ ମହିଳାଜଣକ କିଛି ନ ବୁଝି ତୁରନ୍ତ ସେହି ଆପକୁ ଡାଉନଲୋଡ କରିଥିଲେ ।

ଏହାପରେ ସାଇବର ଠକ ଜଣକ ଖେଳ ଆରମ୍ଭ କରିଦେଇଥିଲା । ଠକ ପ୍ରଥମେ ମହିଳାଙ୍କ ଆକାଉଣ୍ଟରୁ ୪ ଲକ୍ଷ ୬୨ ହଜାର ୯୫୯ ଟଙ୍କା ଉଠାଇନେଇଥିବାବେଳେ ପରେ ଆକାଉଣ୍ଟରୁ ୧ ଲକ୍ଷ ୪୦ ହଜାର ଟଙ୍କା ଓ ୮୯ ହଜାର ଟଙ୍କା ଉଠାଇ ନେଇଥିଲା । ଏହିପରି ପୀଡିତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୬ ଲକ୍ଷ ୯୧ ହଜାର ୮୫୯ ଟଙ୍କା ଉଠାଇନିଆଯାଇଥିଲା । ସାଇବର ଠକେଇର ଶିକାର ହୋଇଥିବାର ଜାଣିବା ପରେ ମହିଳା ଜଣକ ଏବେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.