Latest Odisha News

BREAKING NEWS

ବିଶିଷ୍ଟ କବି ତଥା ସଂପାଦକ ସୁନିଲ ପୃଷ୍ଟିଙ୍କ ପରଲୋକ

ଭୁବନେଶ୍ଵର: ବିଶିଷ୍ଟ କବି ତଥା ‘ସଚିତ୍ର ବିଜୟା’ର ସଂପାଦକ ସୁନିଲ ପୃଷ୍ଟିଙ୍କ ପରଲୋକ । ୬୧ ବର୍ଷ ବୟସରେ କବି ସୁନିଲ ପୃଷ୍ଟିଙ୍କ ପରଲୋକ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ୧୯୬୩ ମସିହାରେ ବରଗଡରେ ଜନ୍ମ ଗ୍ରହଣ କରିଥିଲେ ସୁନିଲ । ରାୟଗଡ଼ାରେ ଶିକ୍ଷା ଶେଷ କରିବା ପରେ ସେ କିଛିଦିନ ଅଧ୍ୟାପନାରେ ଯୋଗ ଦେଇଥିଲେ। ପରେ ଅଧ୍ୟାପନାରୁ ବିଦାୟ ନେଇ ସେ ପରେ ପୂର୍ଣ୍ଣ ଭାବରେ ସାହିତ୍ୟ ଓ ସମ୍ପାଦନାରେ ମନୋନିବଶେ କରିଥିଲେ।

ସୂଚନା ଅନୁସାରେ, ସୁନୀଲ କୁମାର ପୃଷ୍ଟି ଆଜି ସକାଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ମୃତ୍ୟୁ ସମୟରେ ତାଙ୍କ ନିକଟରେ ପତ୍ନୀ ଅଧ୍ୟାପିକା ଗୀତା ଦୀକ୍ଷିତ ଓ ଏକମାତ୍ର ପୁତ୍ର ସୃଜନ ସାରସ୍ୱତ ଉପସ୍ଥିତ ଥିଲେ।

ତାଙ୍କର କବିତା ସଙ୍କଳନ ତନୁଲତାର କବିତା ପାଇଁ ସେ ୨୦୦୮ ମସିହାରେ କାବ୍ୟ କବିତା ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ ହୋଇଥିଲେ । ଦେହ ଦେଉଳ, ତନୁଲତାର କବିତା, ଚିହ୍ନା ଚିହ୍ନା ନିର୍ଜନତା, ପୁଅ ପାଇଁ ପ୍ରାର୍ଥନା, ଅସଫଳତା କବିତା ଆଦି ରଚନା କରିଥିଲେ । ଏଥିସହ ସେ ଓଡ଼ିଆ ପତ୍ରିକା ସଚିତ୍ର ବିଜୟା, ସାହିତ୍ୟ ପୃଥିବୀ ଓ ଶିଶିର ଆଦିର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ବ୍ୟତିତ ବସନ୍ତ ମୁଦୁଲି ପୁରସ୍କାର, ପ୍ରଜାତନ୍ତ୍ର ପୁରସ୍କାର ଓ ହୀରାଖଣ୍ଡ ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ତେବେ ସୁନିଲ ପୃଷ୍ଟିଙ୍କ ଅକସ୍ମାତ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି ।

 

Leave A Reply

Your email address will not be published.