Latest Odisha News

BREAKING NEWS

ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସେମିଫାଇନାଲରେ ଇଂଲଣ୍ଡ, ପାକିସ୍ତାନକୁ ଝଟକା

ଲଣ୍ଡନ: ବିଶ୍ୱକପ କ୍ରିକେଟରେ ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆୟୋଜକ ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ୧୧୯ ରନରେ ପରାସ୍ତ କରିଛି । ଏହି ବିଜୟ ଫଳରେ ଇଂଲଣ୍ଡ ସମୁଦାୟ ୯ଟି ମ୍ୟାଚ ଖେଳି ମୋଟ ୧୨ ପଏଣ୍ଟ ହାସଲ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି ।

ଆଜିର ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ସଫଳ ମଧ୍ୟ ହୋଇଥିଲା । ନ୍ୟୁଜିଲାଣ୍ଡ ସମ୍ମୁଖରେ ୩୦୫ ରନର ଏକ ଲଢୁଆ ସ୍କୋର ଛିଡ଼ା କରିଥିଲା । ପୁଣିଥରେ ବେୟାରଷ୍ଟୋ ଦଳ ଲାଗି ପ୍ରଶଂସନୀୟ ବ୍ୟାଟିଂ କରି ଦଳକୁ ଏକ ଭଲ ସ୍କୋର ଦେବାରେ ସହାୟକ ହୋଇଛନ୍ତି । ସେ ୯୯ଟି ବଲରେ ଦ୍ରୁତ ୧୦୬ ରନ କରିଛନ୍ତି । ସେହିପରି ଜାସନ ରଏ ୬୦, ମୋରଗାନ୍ ୪୨ ଏବଂ ରୁଟ୍ ୨୪ ରନ କରିଥିଲେ ।

ନ୍ୟୁଜିଲାଣ୍ଡ ବୋଲରଙ୍କ ବୋଲିଂ ଇଂଲିଶ୍ ବ୍ୟାଟ୍ସମ୍ୟାନଙ୍କୁ ବିଶେଷଭାବେ ପ୍ରଭାବିତ କରିପାରିନଥିଲା । କେବଳ ଆର୍ଚ୍ଚରଙ୍କୁ ଛାଡ଼ି ଅନ୍ୟ ସମସ୍ତ ବୋଲରଙ୍କୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ନିସ୍ତୁକ ପ୍ରହାର କରିଥିଲେ । କିୱି ବୋଲର୍ ନିଶାମ ଓ ବୋଲ୍ଟ ୨ଟି କରି ୱିକେଟ ଅକ୍ତିଆର କରିଛନ୍ତି ।

ଇଂଲଣ୍ଡ ୮ ୱିକେଟ ବିନିମୟରେ କରିଥିଲା ୩୦୫ ରନ । କିୱି ଦଳ ଆରମ୍ଭରୁ ହିଁ କ୍ରମାଗତ ଭାବେ ୱିକେଟ ହରାଇ ଚାଲିଥିଲା । କିୱି କପ୍ତାନ ୱିଲିୟମସନ ୨୭, ଲାଥାମ ସର୍ବାଧିକ ୫୭ ଏବଂ ଟେଲର୍ ୨୮ ରନ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ନିଶାମ ୧୯, ସାଣ୍ଟନର୍ ୧୨ ରନ ଏବଂ ଗୁପ୍ତିଲ୍ ୮ ରନ ସ୍କୋର କରିଥିଲେ । ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟିବା ଫଳରେ ୪୫ ଓଭରରେ ଦଳ ୧୮୬ ରନରେ ଅଲଆଉଟ୍ ହୋଇଯାଇଥିଲା ।

ଇଂଲଣ୍ଡ ବ୍ୟାଟ୍ସମ୍ୟାନ ବେୟାରଷ୍ଟୋ ପ୍ଲେୟାର୍ ଅଫ ଦି ମ୍ୟାଚ ଘୋଷିତ ହୋଇଛନ୍ତି ।

ଆଜି ଇଂଲଣ୍ଡ ଏହି ମ୍ୟାଚରେ ବିଜୟ ହାସଲ କରିବା ସହିତ ସେମିଫାଇନାଲକୁ ଉନ୍ନିତ ହୋଇଛି । ଏହାଫଳରେ ପାକିସ୍ତାନକୁ ଲାଗିଛି ବଡ଼ ଝଟକା, କାରଣ ପାକିସ୍ତାନ ୯ ପଏଣ୍ଟ ସହିତ ରହିଛି ନ୍ୟୁଜିଲାଣ୍ଡ ତଳକୁ ୫ମ ସ୍ଥାନରେ । କିୱି ଦଳ ୧୧ ପଏଣ୍ଟ ହାସଲ କରି ୪ର୍ଥ ସ୍ଥାନରେ ରହିଛି । ଏବେ ପାକିସ୍ତାନ ତା’ର ଶେଷ ମ୍ୟାଚରେ ଭଲ ସ୍କୋରକରି ବିଜୟ ହାସଲ କରିପାରିଲେ ହିଁ ସେମିଫାଇନାଲରେ ପ୍ରବେଶ କରିପାରିବ ।

Leave A Reply

Your email address will not be published.