Latest Odisha News

BREAKING NEWS

ବଡ଼ଦାଣ୍ଡରେ ଝଟକୁଛି ତିନିରଥ, ସୁବାସିତ ଫଳଫୁଲରେ ଶ୍ରୀମନ୍ଦିର ସଜ୍ଜିତ…

ପୁରୀ: “ଶ୍ରୀକ୍ଷେତ୍ର ମଣିଙ୍କ ଯାତ ସର୍ବ ଦେବାଦେବୀ ସଂଗତରେ ଧରି ଆସିବେ ଜଗତନାଥ” । ଆଜି ବିଷ୍ଣୁକ୍ରାନ୍ତା ହେବ ବସୁନ୍ଧରା ରଥାରୁଢ଼ ହେବେ ନାରାୟଣ। ଆଜି ପବିତ୍ର ରଥଯାତ୍ରା । କୃତାର୍ଥ ହେବେ ଆବ୍ରହ୍ମ କୀଟ ପତଙ୍ଗ ଚରାଚର ସୃଷ୍ଟି । ଯେ ସ୍ୱୟ୍ଂ ଅଗତୀର ଗତି ସେ ଆଜି ଗତିଶୀଳ ହେବେ । ସେବକ ଭକ୍ତଙ୍କ ନିବିଡ ଘର୍ମାକ୍ତ ଅଶ୍ଳେଷରେ ପ୍ରଭୁ ବିଜେ କରିବେ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ତିନିରଥ ବଡ଼ଦାଣ୍ଡରେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛନ୍ତି । ମହାପ୍ରଭୁ ଶୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନ ପ୍ରଭୁ ଶ୍ରୀମନ୍ଦିର ରତ୍ନ ସିଂହାସନ ଛାଡ଼ି ଯିବେ ବୁଲିବାକୁ । ଏହି ପରିପ୍ରେକ୍ଷୀରେ ତିନିରଥ ରଙ୍ଗୀନ ହୋଇ ବଡ଼ଦାଣ୍ଡରେ ପ୍ରତୀକ୍ଷାରତ । ଏବର୍ଷ ଘଟିଛି ଏକ ବ୍ୟତିକ୍ରମ । ଏବର୍ଷ ଶ୍ରୀମନ୍ଦିରକୁ ପ୍ରଥମଥର ଲାଗି ଫଳପୁଷ୍ପରେ ସଜ୍ଜିତ କରାଯାଇଛି । ସହସ୍ରାଧିକ ଫଳ ଓ ଫୁଲରେ ସୁନ୍ଦର ଭାବେ ଶ୍ରୀମନ୍ଦିର ସଜ୍ଜିତ ହୋଇ ସମ୍ପୂର୍ଣ୍ଣ ରଙ୍ଗୀନ ଦିଶୁଛି ।

ଏବର୍ଷ ରଥଯାତ୍ରାରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଛି । ପ୍ରାକୃତିକ ପୁଷ୍ପରାଜିର ନୈସର୍ଗିକ ସୌନ୍ଦର୍ଯ୍ୟତାରେ ଝଲସି ଉଠୁଛି ନୀଳାଚଳଧାମର ଶ୍ରୀମନ୍ଦିର । ରଙ୍ଗୀନ ଫୁଲ ସାଙ୍ଗକୁ ଯାବତୀୟ ଫୁଲର ଚମକରେ ଚମକୁଛି ଲକ୍ଷ୍ମୀ ସାଆନ୍ତାଣୀ ଓ ମହାପ୍ରଭୁଙ୍କ ଶ୍ରୀମନ୍ଦିର । ଶ୍ରୀମନ୍ଦିରର ଏହିପରି ଅପୂର୍ବ କଳେବରକୁ ସଜ୍ଜିତ କରିଛନ୍ତି ଶ୍ରୀଜଗନ୍ନାଥଙ୍କର ଜଣେ ଭକ୍ତ ।

ଆଜିର ଏହି ରଥଯାତ୍ରାରେ ଶ୍ରୀମନ୍ଦିରକୁ ସଜେଇବାର ଦାୟିତ୍ୱ ନେଇଛନ୍ତି ଦିଲ୍ଲୀ ନିବାସୀ କେ କେ ଶର୍ମା ନାମକ ଜଣେ ଭକ୍ତବତ୍ସଳ । କେବଳ ଶ୍ରୀମନ୍ଦିର ନୁହେଁ ସେ ମଧ୍ୟ ଶ୍ରୀଗୁଣ୍ଡିଚା ମନ୍ଦିର ସଜାଇବା ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରାୟ ୧୫ରୁ ୨୦ ଟ୍ରକ୍ ଫୁଲ ଲାଗିଛି ଶ୍ରୀମନ୍ଦିର ସାଜସଜ୍ଜାରେ । ଏଥିଲାଗି ଶ୍ରମଦାନ କରିଛନ୍ତି ପ୍ରାୟ ୨୦୦ରୁ ଅଧିକ କାରିଗର । କିଏ କହୁଛି ୧୫ରୁ ୨୦ ଲକ୍ଷ ଖର୍ଚ୍ଚ ହୋଇଛି ତ କିଏ କହୁଛି ପ୍ରାୟ ୨ କୋଟି ଟଙ୍କାର ଫୁଲ ଓ ଫଳ ଲାଗିଛି ଏହି ଶ୍ରୀମନ୍ଦିର ସାଜସଜ୍ଜାରେ ।

ତେବେ ଯାହାବି ହେଉ, ମାସକ ପୂର୍ବରୁ ପ୍ରଳୟଙ୍କରୀ ଫନୀ ବାତ୍ୟାରେ ବଡ଼ଦାଣ୍ଡ ସମେତ ସମଗ୍ର ପୁରୀ ସହର ଛାରଖାର ହୋଇ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ଲାଗୁଥିଲା ପୁରୀ ସହର ଶ୍ରୀହୀନ ହୋଇପଡ଼ିଛି । ମାତ୍ର ଭଗବାନଙ୍କର ଏ’କି ଅପୂର୍ବ ଲୀଳା, କୋଟି କୋଟି ଶ୍ରଦ୍ଧାଳୁଙ୍କ ଆଶା ଓ ଆଶଙ୍କାର ଯବନିକା ପଡ଼ିବା ସହିତ ବହୁ ଆଡ଼ମ୍ବର ସହକାରେ ପାଳିତ ହେଉଛି ମହାପ୍ରଭୁଙ୍କର ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ।

ମିଳିଥିବା ସୂଚନାନୁଯାୟୀ, ମହାପ୍ରଭୁଙ୍କ ସୁନାବେଶ ଏବଂ ନୀଳାଦ୍ରିବିଜେ ଦିନ ମଧ୍ୟ ଶ୍ରୀମନ୍ଦିର ଫଳଫୁଲରେ ସଜ୍ଜିତ ହେବ । ସମସ୍ତ ଖର୍ଚ୍ଚ ବହନ କରିବେ ଭକ୍ତ କେ କେ ଶର୍ମା । ସେ ଏହି ଶ୍ରୀମନ୍ଦିର ସାଜସଜ୍ଜା ଲାଗି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଠାରୁ ପୂର୍ବରୁ ଅନୁମତି ମଧ୍ୟ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.