Latest Odisha News

ମାସକ ଭିତରେ ଇପିଏଫ ଓ ପେନସନ ମଞ୍ଜୁରୀ

ଭୁବନେଶ୍ୱର: ପ୍ରଧାନ ମହାଲେଖାକାର ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟ ସ୍ତରୀୟ ପେନସନ ଓ ଭବିଷ୍ୟନିଧି ଅଦାଲତ ଆଜି ଆୟୋଜିତ ହୋଇଯାଇଛି । ବରିଷ୍ଠ ଉପ -ମହାଲେଖାକାର ରାଜ ଅଶୋକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଦାଲତରେ ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଯୋଗଦେଇ ଏଜି କାର୍ଯ୍ୟାଳୟରେ ପେନସନ ଓ ଭବିଷ୍ୟନିଧି କାଗଜପତ୍ର ପହଞ୍ଚିବାର ୩୦ ଦିନ ମଧ୍ୟରେ ପେନସନ ମଞ୍ଜୁରୀପତ୍ର ତତ୍କାଳ ପେନସନଧାରୀ ମାନଙ୍କ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି ।

ବହୁ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ କାଗଜ ଜିଲ୍ଲା ସ୍ତରରେ ଥିବା ପେନସନ ମଂଜୁରକର୍ତ୍ତା ମାନଙ୍କ ନିକଟରେ ପଡ଼ି ରହିବା ଯୋଗୁଁ ପେନସନ ମଂଜୁର ବିଳମ୍ବିତ ହେଉଥିବାରୁ ଆସନ୍ତା ମାସରୁ ଜିଲ୍ଲା ସ୍ତରୀୟ ପେନସନ ଅଦାଲତମାନ ଆୟୋଜନ କରାଯିବା ସହ ସେହିଠାରେ ସେମାନଙ୍କ ମଞ୍ଜୁରୀ ପତ୍ର ପ୍ରଦାନ କରାଯିବ ।

ଏହା ପୂର୍ବରୁ ପରୀକ୍ଷାମୂଳକ ଭାବେ ମୟୁରଭଞ୍ଜ ଓ ବଲାଙ୍ଗୀରରେ ଜିଲ୍ଲା ସ୍ତରୀୟ ଅଦାଲତରେ ଅନେକ ପେନସନ ଅଭିଯୋଗ ଶୁଣାଣି କରାଯାଇ ସେଠାରେ ପେନସନ ମଂଜୁର କରାଯାଇଥିଲା । ଉଭୟ ଜିଲ୍ଲାର ପ୍ରଶାସନ ସକ୍ରିୟ ସହଯୋଗ ଯୋଗୁଁ ବହୁ ପେନସନଧାରୀ ସେମାନଙ୍କ ଅବସରକାଳୀନ ପ୍ରାପ୍ୟ ପାଇ ପାରିଥିଲେ । ଏଥିପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ଜିଲ୍ଲା ସ୍ତରୀୟ ପେନସନ ମଞ୍ଜୁରକର୍ତ୍ତା ଓ ପେନସନଧାରୀ ମାନଙ୍କ ସକ୍ରିୟ ସହଯୋଗ ରହିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ ।

ପେନସନ କାଗଜ ପତ୍ର ଅବସରର ଛଅ ମାସ ପୂର୍ବରୁ ଏଜି କାର୍ଯ୍ୟାଳୟକୁ ପଠାଇବାକୁ ନିୟମ ଥିଲେ ମଧ୍ୟ ଏହି ସମୟ ମଧ୍ୟରେ କେହି ପଠାଉ ନାହାନ୍ତି । ଯାହା ଫଳରେ କର୍ମଚାରୀଙ୍କ ଅବସର ପୂର୍ବରୁ ସେମାନେ ଅବସରକାଳୀନ ପ୍ରାପ୍ୟ ପୂର୍ବରୁ ପାଉନାହାନ୍ତି  ।

ଏହି ଅଦାଲତରେ ଉପ -ମହାଲେଖାକାର (ପ୍ରଶାସନ ) କିଶୋର ରେଡ୍ଡୀ ପୋଲୁ, ପ୍ରଧାନ ମହାଲେଖାକାରଙ୍କ ସଚିବ ସୁଚିତ୍ରା ଭଟ୍ଟ, ବରିଷ୍ଠ ଲେଖାଧିକାରୀ ମନୋରଞ୍ଜନ ପାଣିଗ୍ରାହୀ, ଚାର ଓରାମ, ଅକ୍ଷୟ ମହାନ୍ତି, ପ୍ରଦୀପ ସେଠୀ ଗୌର ଚନ୍ଦ୍ର ସାହୁ ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ ।

ଏହି ଅଦାଲତରେ ୮୫ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ଆବେଦନ ଉପରେ ଶୁଣାଣି କରାଯାଇ ପେନସନ ଓ ଭବିଷ୍ୟନିଧି ମଞ୍ଜୁରୀ ପତ୍ର ପଠାଇବାକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନ ମହାଲେଖାକାର ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.