ଭୁବନେଶ୍ୱର: ଲଘୁଚାପ ବର୍ଷାରେ ସାରା ରାଜ୍ୟ ଭିଜୁଛି । ହେଲେ ରାଜଧାନୀ ଭୁବନେଶ୍ୱର ବିଧାନସଭା ସମ୍ମୁଖର ଗାନ୍ଧୀ ମାର୍ଗରେ ହଜାର ହଜାର ଚୁକ୍ତି ଭିତ୍ତିକ କର୍ମଚାରୀ ନିଜର ହକ ପାଇଁ ଭିଜୁଥିଲେ । ପ୍ରବଳ ବର୍ଷା ହେଉଥିଲେ ମଧ୍ୟ , ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥାକୁ ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ କରୁଛନ୍ତି କର୍ମଚାରୀ ମାନେ । ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରୁ ୪୦ ହଜାରରୁ ଉର୍ଦ୍ଧ ଚୁକ୍ତି ଭିତ୍ତିକ କର୍ମଚାରୀ ସରକାରଙ୍କ କଳା ଆଇନ ବିରୁଦ୍ଧରେ ଗଣ ବିକ୍ଷୋଭ କରିଛନ୍ତି ।
ରାଜ୍ୟର ନିଅଣ୍ଟିଆ ଆର୍ଥିକ ଦୁରାବସ୍ଥା ସମୟରେ ସରକାର ଏହି ବ୍ୟବସ୍ଥା ପ୍ରଚଳନ କରି ରାଜକୋଶକୁ ସମୃଦ୍ଧ କରିଥିଲେ। ସେତେବେଳେ ଓଡ଼ିଶାର ଉଚ୍ଚ ଶିକ୍ଷିତ ଯୁବବର୍ଗ ବିଭିନ୍ନ କଷ୍ଟସାଧ୍ୟ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସରକାରୀ ଚାକିରୀ ଖଣ୍ଡେ ପାଇବାର ଆଶା ରଖି ଏହି ଚୁକ୍ତିଭିଭିକ ବ୍ୟବସ୍ଥାକୁ ବାଧ୍ୟ ବାଧକତାରେ ଗ୍ରହଣ କରି ନେଇଥିଲେ। ଆଶା କରିଥିଲେ, ନିକଟରେ ଯଦି ରାଜ୍ୟର ଆର୍ଥିକ ପ୍ରଗତି ହେବ, ସରକାର ତାଙ୍କ କର୍ମଚାରୀଙ୍କ ପ୍ରତି ନିଶ୍ଚୟ ସଦୟ ହୋଇ ଏହା ପ୍ରତ୍ୟାହାର କରିନେବେ ଓ ରାଜ୍ୟର ସ୍ଥାୟୀ କର୍ମଚାରୀଙ୍କ ଭଳି ବେତନ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ପୁନଃ ପ୍ରଚଳନ କରିବେ, କିନ୍ତୁ ତାହା ହେଲା ନାହିଁ । ଅଧିକନ୍ତୁ ସପ୍ତମ ବେତନ କମିଶନ ଲାଗୁ ହେଲା ପରେ ଚୁକ୍ତିଭିଭିକ ବ୍ୟବସ୍ଥାରେ ହନ୍ତସନ୍ତ କର୍ମଚାରୀମାନଙ୍କ ସମସ୍ୟା ଆହୁରି ଦୟନୀୟ ହୋଇ ପଡ଼ିଲା। ରାଜ୍ୟ ସରକାର ସପ୍ତମ ବେତନ କମିଶନ ସୁପାରିଶ କ୍ରମରେ ସ୍ଥାୟୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ Pay ଓ Grade Pay ବ୍ୟବସ୍ଥା ଉଠାଇ ଧାର୍ଯ୍ୟ ଦରରେ ଦରମା ପ୍ରଦାନ କରିଥିବା ବେଳେ, ଚୁକ୍ତିଭିତ୍ତିକ ଏବଂ କନିଷ୍ଠ ଶିକ୍ଷକ କର୍ମଚାରୀଙ୍କ ପାଇଁ Pay ଓ Grade Pay ବ୍ୟବସ୍ଥା ଜାରି ରଖିଲେ। ଏହା ପୂର୍ବରୁ ଚୁକ୍ତିଭିତ୍ତିକ କର୍ମଚାରୀମାନେ ୨୦୧୮ରେ ଏହି ଭଳି ବିଶାଳ ପ୍ରତିବାଦ କରିବାସହ ସରକାରଙ୍କ ସହ ଆଲୋଚନା କରିଥିଲେ । ସରକାର ମଧ୍ୟ ସମାଧାନ କରିବାପାଇଁ ପ୍ରତିଶ୍ରୃତି ଦେଇଥିଲେ ହେଲେ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରି ହୋଇପାରିଲା ନାହିଁ ।
ଏହାର ପ୍ରତିବାଦରେ ଆଜି ହଜାର ହଜାର ଚୁକ୍ତି ଭିତ୍ତିକ କର୍ମଚାରୀ ବିକ୍ଷୋଭ କରିଥିଲେ । ଯଦି ଖୁବ ଶିଘ୍ର ଦାବି ପୁରଣ ନହୁଏ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥାକୁ ଉଚ୍ଛେଦ ନ କରାଯାଏ ଅଗାମୀ ଦିନରେ ଏହି ମହାଆନ୍ଦୋଳନ କୁ ତୀବ୍ର କରାଯିବ ବୋଲି ଓଡିଶା ସରକାରୀ ଚୁକ୍ତି ଭିତ୍ତିକ କର୍ମଚାରୀ ମହାସଂହ ର ସଭାପତି ବିଜୟ ମଲ୍ଲ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।