Latest Odisha News

BREAKING NEWS

ପାଇଖାନା ଟାଙ୍କି କାଗଜ ପରେ ଏବେ ଡାଏରୀରୁ ହତ୍ୟା ସୁରାକ ଖୋଜିବ କ୍ରାଇମବ୍ରାଞ୍ଚ

ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ଦିନକୁ ଦିନ ଅଡୁଆ ସୁତା ପରି ଗୁଡେଇ ହୋଇଯାଉଛି । ଯେତେ ଫିଟାଇଲେ ସେତେ ଗଣ୍ଠି ବାହାରୁଛି । ଦିନକୁ ଦିନ ସାମ୍ନାକୁ ଆସୁଛି ଚମକାଇ ଦେବା ପରି ଘଟଣା । ଅଭିଯୁକ୍ତ ଗୋପାଳ ଅଳ୍ପ ଅଳ୍ପ କହୁଛନ୍ତି ।  ତାଙ୍କର ଗୋଟିଏ ଗୋଟିଏ ତଥ୍ୟକୁ ଆଧାର କରି କ୍ରାଇମବ୍ରାଞ୍ଚ ତଦନ୍ତର ଧାରାକୁ ଆଗକୁ ନେଉଛି। କୁହାଯାଇଛି, ନବ ଦାସଙ୍କ ହତ୍ୟା ଘଟଣାରେ କୋଇଲା ଲିଙ୍କର ସୁରାକ ପାଇଛି କ୍ରାଇମବ୍ରାଞ୍ଚ ।

ପ୍ରଥମେ ଗୋପାଳ ଦାସ ମୁହଁ ଖୋଲୁ ନ ଥିବାବେଳେ ପାଇଖାନା ଟାଙ୍କିରେ କାଗଜ ଟୁକୁଡା ପକାଇଥିବା କହିଥିଲା । ଟାଙ୍କି ଉଝାଳି ୨୫ ଖଣ୍ଡ କାଗଜ ଟୁକୁଡା ବାହାର କରିବା ପରେ ଏହା ଭିତରୁ କି ତଥ୍ୟ ପାଇବ ତାହା କ୍ରାଇମ ବ୍ରାଞ୍ଚକୁ ଜଣା । ଏପଟେ ଶୁକ୍ରବାର ଗୋପାଳ ଦାସଙ୍କୁ ଗାନ୍ଧିଛକ ଫାଣ୍ଡି ସ୍ଥିତ ସରକାରୀ ବାସ ଭବନକୁ ଆଣି ପୋଲିସ ଜେରା କରିଥିଲା । ସେତେବେଳେ ଅନୁମାନ କରାଯାଉଥିଲା ବୋଧହୁଏ କିଛି ତଥ୍ୟ ଗୋପାଳ କ୍ରାଇମ ବ୍ରାଞ୍ଚକୁ ଦେଇଛି, ଯାହାକୁ ଭିତ୍ତି କରି ଗୋପାଳଙ୍କ ବାସଭବନ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ ।

ବାସ ଭବନ ଯାଞ୍ଚ କରିବା ପରେ କୁଆଡେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ସାଂଘାତିକ ତଥ୍ୟ ।  ହତ୍ୟା ଘଟଣାରେ କୋଇଲା ବେପାର ଲିଙ୍କର ସୁରାକ ପାଇଛି କ୍ରାଇମବ୍ରାଞ୍ଚ  । ଗୋପାଳଙ୍କ ବାସଭବନ ପରିସରରେ ଏକ ଭର୍ନା କାରକୁ ଜବତ କରାଯାଇଛି  ଯାହାର ନମ୍ବର  ଓଆର ୧୫ ଏନ୍ ୪୨୬୩ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି କାର କୁଆଡେ ଗୋପାଳ ଚଢୁଥିଲେ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ଏହି କାର ଗୋପାଳଙ୍କର ନୁହେଁ ଏହା ଜଣେ କୋଇଲା କଣ୍ଟ୍ରାକ୍ଟରଙ୍କ ନାଁରେ ରହିଛି । ଆଉ ଏକ ଆଶ୍ଚର୍ଯ୍ୟ କଥା ହେଉଛି, ଏହି କାର ଭିତରେ ଆଗ ସିଟରେ ଏକ ଡାଇରୀ ଏବଂ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିଲା । ଯାହା କ୍ରାଇମ ବ୍ରାଞ୍ଚ ପାଇବା ପୂର୍ବରୁ  ଗୋପାଳ ନିଜେ ଏହାକୁ ଆଣି କୁଆଡେ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି । ଏଥିରେ କୁଆଡେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିବା ବି କୁହାଯାଉଛି ।

ଏଠାରେ ପ୍ରଶ୍ନ ଉଠେ, କେଉଁ କୋଇଲା କଣ୍ଟ୍ରାକ୍ଟର ଏହି କାର ଗୋପାଳଙ୍କୁ ଦେଇଛନ୍ତି ଏବଂ କେଉଁ ସ୍ୱାର୍ଥ ହାସଲ କରିବା ଦେଇଛନ୍ତି ? ଅନ୍ୟପକ୍ଷେ କାର ଭିତରେ ଥିବା ଡାଇରୀ ଏବଂ କାଗଜପତ୍ର ନିଜେ ଗୋପାଳ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି । ଏହା ଦ୍ୱାରା ପ୍ରକୃତ ସତ ସାମ୍ନାକୁ ଆସୁ ବୋଲି ଗୋପାଳ ଚାହୁଁଛନ୍ତି ବୋଲି ପ୍ରମାଣ କରିବାକୁ ଚାହୁଁଛନ୍ତି କି ? ଯଦି ସେ ଏପରି ଚାହୁଁଛନ୍ତି ତେବେ ଏ କଥା ପ୍ରଥମରୁ କହିଲେନି କାହିଁକି ? ପାଇଖାନା ଟାଙ୍କି କଥା କହି କାହିଁକି କ୍ରାଇମବ୍ରାଞ୍ଚକୁ ଝାଳନାଳ କରାଇଲେ ?

ଅନ୍ୟପକ୍ଷେ ଗୋପାଳ ଦେଉଥିବା ତଥ୍ୟ ବିଶ୍ୱାସ ଯୋଗ୍ୟ ଏବଂ ଏହାକୁ ନେଇ କେତେ ଠୋସ ନିର୍ଯ୍ୟାସ ବାହାରି ପାରିବ ଏ ନେଇ ନିଜେ କ୍ରାଇମବ୍ରାଞ୍ଚ ଯେ ସନ୍ଦେହରେ ଏହା ପୋଲିସ ଡିଜିଙ୍କ ବୟାନ କହୁଛି । କାହା ମନରେ କ’ଣ ଅଛି ଜଗନ୍ନାଥ ହିଁ ଜାଣିଥିବେ ବୋଲି କହି ଡିଜି ଯେପରି ଅସହାୟତା ପ୍ରକାଶ କରଛନ୍ତି ସେଥିରୁ ନବଦାସଙ୍କ ହତ୍ୟା ଉପରୁ ପରଦା ଉଠିବା ନେଇ ସନ୍ଦେହ ପ୍ରକାଶ ପାଉଛି ।

 

Leave A Reply

Your email address will not be published.