ନୂଆଦିଲ୍ଲୀ: ବଦଳିଲା ଦିଲ୍ଲୀର ସମୀକରଣ। ଚମକାଇ ଦେଇଛି ଦିଲ୍ଲୀ ନିର୍ବାଚନକୁ ନେଇ ଏକଜିଟ୍ ପୋଲ ସର୍ଭେ। ୨୭ ବର୍ଷର ବନବାସ ସାରି ବିଜେପି ଦିଲ୍ଲୀରେ କ୍ଷମତା ଦଖଲ କରିବା ନେଇ ଅଧିକାଂଶ ବୁଥ ବାହୁଡା ସର୍ଭେ ସଙ୍କେତ ଦେଇଛନ୍ତି।
ଯଦି ଏଭଳି ହୁଏ ତେବେ ଦଳ ଗଠନ ପରଠୁ ସବୁଠୁ ବଡ ଝଟକାର ସାମନା କରିବ ଆମ ଆଦମୀ ପାର୍ଟି। ସେପଟେ କଂଗ୍ରେସ ସେଭଳି ଭଲ ପ୍ରଦର୍ଶନ କରିନପାରେ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।
ଗତ ଦୁଇଟି ନିର୍ବାଚନରେ ଦୁଇ ଅଙ୍କ ଛୁଇଁନଥିବା ବିଜେପି ଏଥର ଦିଲ୍ଲୀ ଦଖଲ କରିପାରେ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବୁଧବାର ମତଦାନ ହୋଇଥିବା ବେଳେ ଏକଜିଟ୍ ପୋଲ ସର୍ଭେରେ ବିଜେପିର ବଡ ବିଜୟ ଆଡକୁ ସଙ୍କେତ ମିଳିଛି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ରହିଛି ୩୬।
ଏନଡିଟିଭି ପୋଲ୍ ଅଫ୍ ଏକଜିଟ୍ ପୋଲ୍ସ ବିଜେପିକୁ ୪୧ଟି ସିଟ୍ ଦେଇଥିବା ବେଳେ ଆପକୁ ୨୮ଟି ସିଟ୍ ଦେଇଛି। ଏହାସହ କଂଗ୍ରେସ ଗୋଟିଏ ସିଟରେ ଜିତିପାରେ ବୋଲି ଆକଳନ କରିଛି। ଯଦି ଆକଳନ ସତ ହୁଏ ତାହେଲେ ଦଶନ୍ଧୀ ପରେ ଦିଲ୍ଲୀ ଦଖଲ କରିବ ବିଜେପି।
ଡିଭି ରିସର୍ଚ୍ଚ, ଚାଣକ୍ୟ ଷ୍ଟ୍ରାଟେଜିସ୍, ଜେଭିସି, ପୋସ୍ ଡାଏରୀ. ପିମାର୍ଗ, ପିପୁଲ୍ସ ଇନସାଇଟ୍ ଓ ପିପୁଲ୍ସ ପଲ୍ସ ଭଳି ଏକଜିଟ ପୋଲ ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜେପି ବିଜୟୀ ହୋଇପାରେ ବୋଲି ଆକଳନ କରାଯାଇଛି। ପୋଲ୍ ଡାଏରୀ ଓ ପିପୁଲ୍ସ ଇନସାଇଟ୍ ବିଜେପି ୪୦ରୁ ଅଧିକ ସିଟ୍ ଜିତିପାରେ ବୋଲି କହିଛନ୍ତି। ସେହିପରି ଜେଭିସି, ଚାଣକ୍ୟ ଷ୍ଟ୍ରାଟେଜିସ୍ ଓ ପି-ମାର୍ଗ ବିଜେପି ୩୯ଟି ସିଟ୍ ଜିତିପାରେ ବୋଲି ଦର୍ଶାଇଛନ୍ତି। ତେବେ ଡିଭି ରିସର୍ଚ୍ଚ ବିଜେପି ମ୍ୟାଜିକ ନମ୍ବର ଛୁଇଁବା ନେଇ ଆକଳନ କରିିଛି।
ସେହିପରି ମାଟ୍ରିଜ୍ ସର୍ଭେ ଅନୁସାରେ ଦିଲ୍ଲୀରେ କଡା ଟକ୍କର ହୋଇପାରେ। ଆପକୁ ୩୨ରୁ ୩୭ଟି ସିଟ୍ ତ ବିଜେପିକୁ ୩୫ରୁ ୪୦ ସିଟ୍ ମିଳିପାରେ। କଂଗ୍ରେସକୁ ଗୋଟିଏ ସିଟ୍ ମିଳିବା ନେଇ ସର୍ଭେ କହିଛି। ତେବେ ଓ୍ବି ପ୍ରିଜାଇଡ୍ ପକ୍ଷରୁ ଆପ କ୍ଷମତାକୁ ଆସିବା ନେଇ କୁହାଯାଇଛି। ସର୍ଭେରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆପକୁ ୪୬ରୁ ୫୨ଟି ସିଟ୍ ଦିଆଯାଇଛି।
ଦୁର୍ନୀତି ଓ ଶାସନ ବିରୋଧୀ ଅଭିଯୋଗର ସାମନା କରୁଥିବା ଆପ୍ ହାତରୁ ଦିଲ୍ଲୀ କ୍ଷମତା ଖସିପାରେ ବୋଲି ଅଧିକାଂଶ ଏକଜିଟ୍ ପୋଲ ସର୍ଭେରେ କୁହାଯାଇଛି। ଏଭଳି ହେଲେ ଆପକୁ ବଡ ଝଟକା ଲାଗିବ। ଆପ୍ ଏକଜିଟ୍ ପୋଲ ସର୍ଭେ ସତ ହେବନି ବୋଲି କହିଛି। ଏପରିକି ୨୦୧୫ ଓ ୨୦୨୦ରେ ସମାନ ଆକଳନ ହୋଇଥିଲେ ବି ଆପ୍ ଜିତିଥିଲା। ତେଣୁ ଏଥର ବି ଆପ୍ ସରକାର ଗଠନ କରିବ ବୋଲି ଆପ୍ ନେତା ସୁଶୀଲ ଗୁପ୍ତା କହିଛନ୍ତି।
ଅପରପକ୍ଷରେ ଏକଜିଟ୍ ପୋଲ ସର୍ଭେରେ କଂଗ୍ରେସ ପାଇଁ ଖୁସି ଖବର ନାହିଁ। ଦଳ ଦିଲ୍ଲୀରେ ପୁଣି ନିରାଶ ହୋଇପାରେ। ଚାଣକ୍ୟ ଷ୍ଟ୍ରାଟେଜିସ୍ ସର୍ଭେ ଅନୁସାରେ ଦଳ ୩ରୁ ଅଧିକ ସିଟ୍ ଜିତିପାରିବନି। ତେବେ ପିପୁଲ୍ସ ପଲ୍ସ ପୁଣି କଂଗ୍ରେସ ଜିରୋ ସ୍କୋର କରିପାରେ ବୋଲି ଆକଳନ କରିଛି। ଏକଜିଟ୍ ପୋଲରେ ବିଜେପି ଜିତୁଥିଲେ ବି ନିର୍ବାଚନ ରେଜଲ୍ଟ ୮ ତାରିଖରେ ପ୍ରକାଶ ପାଇବ।
Comments are closed.