Latest Odisha News

ସାତକୋଶିଆ ଜଙ୍ଗଲରେ ବିଶେଷଜ୍ଞ ଦଳ, ଜୋରଦାର୍ ହେଲା ସୁନ୍ଦରୀକୁ ଧରିବା ଯୋଜନା

ଅନୁଗୁଳ: ଆତଙ୍କ ଖେଳାଇ ଦେଇଥିବା ବାଘୁଣୀ ସୁନ୍ଦରୀକୁ ନିଶ୍ଚେତକ ଦ୍ୱାରା ଧରିବାକୁ ମଙ୍ଗଳବାର ସକାଳେ ଏକ ୬ ଜଣିଆ ବିଶେଷଜ୍ଞ ଦଳ ସାତକୋଶିଆ ଜଙ୍ଗଲ ଅଭୟାରଣ୍ୟରେ ପ୍ରବେଶ କରିଛନ୍ତି ।

ମଙ୍ଗଳବାର ସକାଳ ୯ଟାରେ ଏହି ବିଶେଷଜ୍ଞ ଦଳ ପ୍ରବେଶ କରିଛନ୍ତି । ଏହି ଦଳରେ ନନ୍ଦନକାନନ ପ୍ରାଣୀଉଦ୍ୟାନର ବନ୍ଧୁକରକ୍ଷୀ, ଡ଼େରାଡୁନର ବନ୍ୟପ୍ରାଣୀ ବିଶେଷଜ୍ଞ ଦଳ, ଭୁବନେଶ୍ୱରର ଓୟୁଏଟିର ବିଶେଷଜ୍ଞ ଦଳ ସହିତ ଶିମିଳିପାଳରୁ ଆସିଥିବା ଏକ ସ୍ୱତନ୍ତ୍ର ଦଳ ସହଯୋଗ କରୁଛନ୍ତି । ଏହି ଟିମ୍ ଆଜି ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ସୁନ୍ଦରୀକୁ ଖୋଜି ଟ୍ରାଙ୍କୁଲାଇଜର୍ ମାଧ୍ୟମରେ ନିଶ୍ଚେତକ ଦେଇ ଅଚେତ କରାଇବେ । ଏହାପରେ ତାକୁ କେଜ୍ ମାଧ୍ୟମରେ ଏନକ୍ଲୋଜର୍ ମଧ୍ୟରେ ଭର୍ତ୍ତି କରାଯିବାର ସମସ୍ତ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

ଏହି ଦଳର ନେତୃତ୍ୱ ନେଇଛନ୍ତି ସାତକୋଶିଆ ଅଭୟାରଣ୍ୟର ଅତିରିକ୍ତ ବନ ସଂରକ୍ଷଣ ଅଧିକାରୀ (ଏସିଏଫ) ଶ୍ରୀକାନ୍ତ ସାହୁ ଏବଂ ତାଙ୍କୁ ଏହି ଅଭିଯାନରେ ସହଯୋଗ କରୁଛନ୍ତି ୨ପ୍ଲାଟୁନ ପୋଲିସ ।

“ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜର୍ ମାଧ୍ୟମରେ ଧରିବାକୁ ଆମେ ମୁଖ୍ୟ ବନ୍ୟଜନ୍ତୁ ୱାର୍ଡ଼ନଙ୍କଠୁ ସମସ୍ତ ପ୍ରକାର ନିର୍ଦ୍ଦେଶ ନେଇ ବିଶେଷଜ୍ଞ ଦଳକୁ ଅଭୟାରଣ୍ୟକୁ ପଠାଇଛୁ । ବାଘୁଣୀଟି କୁମୁରୀ ଓ ବାଘମୁଣ୍ଡା ଜଙ୍ଗଲ ମଧ୍ୟବର୍ତ୍ତୀ ଇଲାକାରେ ରହିଥିବା ଆମେ ଅନୁମାନ କରୁଛୁ । ଏହି ଦଳରେ ମଧ୍ୟ ସାତକୋଶିଆର ଫରେଷ୍ଟର ଓ ସ୍ଥାନୀୟ ବାସିନ୍ଦା,” ବୋଲି କହିଛନ୍ତି ଅନୁଗୁଳର ଭାରପ୍ରାପ୍ତ ଡ଼ିଏଫଓ ଭି କାର୍ତ୍ତିକ ।

ସେ ଆହୁରି ମଧ୍ୟ କହିଛନ୍ତି, ବାଘୁଣୀକୁ ଟ୍ରାଙ୍କୁଲାଇଜର୍ ଜରିଆରେ କାବୁ କଲାବେଳେ ସ୍ଥାନୀୟ ବାସିନ୍ଦା ନିଜ ନିଜ ଘର ମଧ୍ୟରେ ନିରାପଦରେ ରହିବାକୁ ପରାମର୍ଶ ଦେଇଛୁ ।

ଗତ ଜୁନ ୨୮ ତାରିଖରେ ଛତିଶଗଡ଼ର ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷେଣ କେନ୍ଦ୍ର୍ରୁ ସୁନ୍ଦରୀକୁ ଅଣାଯାଇ ଯେଉଁ ଏନକ୍ଲୋଜର୍ ମଧ୍ୟରେ ରଖାଯାଇଥିଲା ଏବେ ସୁନ୍ଦରୀ ଅଚେତ ହେଲା ପରେ ସେହି ଏକା ଏନକ୍ଲୋଜରରେ ରଖାଯିବ ବୋଲି ଭାରପ୍ରାପ୍ତ ଡ଼ିଏଫଓ ଭି କାର୍ତ୍ତିକ ଗଣମାଧ୍ୟମକୁ କହିଛନ୍ତି ।

Leave A Reply

Your email address will not be published.