Latest Odisha News

BREAKING NEWS

ପୋଲିସ ହାତରେ ଧରାପଡିଲା ନକଲି ବିଦ୍ୟୁତ୍ ବିଲ୍ ଆଦାୟକାରୀ

ମାଲକାନଗିରି: ନକଲି ସାମଗ୍ରୀ ବିକ୍ରୟ ଓ ଭେଜାଲ୍ ଖାଦ୍ୟ ଯୋଗାଣ ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ । ହେଲେ ବୋଧ ହୁଏ ନକଲି ବିଦ୍ୟୁତ ବିଲ୍ ଆଦାୟ ଭଳି ଘଟଣା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି । ମାଲକାନଗିରି ଜିଲ୍ଲା ଅର୍କେଲ୍ ଥାନା ଅନ୍ତର୍ଗତ ଏମ୍‌ଭି-୩୦ ନମ୍ବର ଗାଁରେ ପୋଲିସ ହାତରେ ଧରାପଡିଛି ଜଣେ ନକଲି ବିଦ୍ୟୁତ୍ ବିଲ୍ ଆଦାୟକାରୀ ।

ପୋଲିସ ହାତରେ ଗିରଫ ହୋଇଥିବା ଅଭିଯୁକ୍ତର ପରିଚୟ ହେଉଛି ନବ କିଶୋର ବିଶ୍ୱାସ । ଜାଣି ଚକିତ ହେବେ ୟୁଟ୍ୟୁବରୁ ନକଲି ବିଲ୍ ପ୍ରସ୍ତୁତ କରିବା ଶିଖି ଦୀର୍ଘ ଦିନ ଧରି ନବ କିଶୋର ସାଧାରଣ ଲୋକଙ୍କୁ ଠକି ଆସୁଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଅଭିଯୁକ୍ତ ନବ କିଶୋର ଟାଟା କମ୍ପାନୀର ବିଲିଂ କାମ ନେଇଥିବା ସାଇ କମ୍ପ୍ୟୁଟର ନାମକ ଏକ କମ୍ପାନୀରେ କାମ କରୁଥିଲେ । କିଛି ମାସ ପରେ ଇଣ୍ଟରନେଟରୁ ଶିଖି ବିଲ୍ ଗୁଡିକର ନକଲ ବନାଇବାରେ ସେ ସକ୍ଷମ ହୋଇଥିଲେ ।

ଅଭିଯୁକ୍ତଙ୍କ ନବ କିଶୋର କୋରୁକୋଣ୍ଡା ବ୍ଲକର ସୋମନାଥପୁର ପଂଚାୟତ ଓ ଚିତାପାରି-୩ ପଂଚାୟତରେ ଡ୍ୟୁଟିରେ ନ୍ୟସ୍ତ ଥିଲେ । ଆଜିକୁ ତିନିମାସ ଧରି ସେ ଗ୍ରାହକଙ୍କଠାରୁ ନକଲି ବିଲ୍ ବଦଳରେ ଟଙ୍କା ହଡପ କରିଆସିଥିଲେ । ତେବେ ବିଲ୍ ପଇଠ ନକରିବା ନେଇ ଗ୍ରାହକମାନେ କାର୍ଯ୍ୟାଳୟରୁ ନୋଟିସ୍ ପାଇବା ପରେ ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଗାଁ ଲୋକେ ସାଇ କମ୍ପ୍ୟୁଟର କମ୍ପାନୀର ସୁପରଭାଇଜର୍ ପ୍ରଭାତ ସେଠୀଙ୍କୁ ଭେଟି ଅଭିଯୋଗ କରିଥିଲେ ।

ଗାଁ ଲୋକଙ୍କ ଲଗାତାର ଅଭିଯୋଗର ଚାପ ସମ୍ଭାଳିନପାରି ଶେଷରେ ପ୍ରଭାତ ସେଠୀ ଅର୍କେଲ୍ ଥାନାରେ ନବ କିଶୋରଙ୍କ ବିରୋଧରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ଚିତ୍ରକୋଣ୍ଡା ଏସ୍‌ଡିପିଓଙ୍କ ନେତୃତ୍ୱରେ ଅର୍କେଲ ପୋଲିସର ଏକ ଟିମ୍ ନବ କିଶୋରଙ୍କୁ ଅବିଳମ୍ବେ ଗିରଫ କରିଥିଲା । ଶେଷରେ ସାମ୍ନାକୁ ଆସିଥିଲା ସମସ୍ତ ଘଟଣା । ପୋଲିସ ଜେରାରେ ଅଭିଯୁକ୍ତ ନବ କିଶୋର ନିଜର ସମସ୍ତ ଅପରାଧ ସ୍ୱୀକାର କରିଛି । ତା’ଠାରୁ ଏକ ବିଲିଂ ମେସିନ୍‌, ଦୁଇଟି ମୋବାଇଲ ଓ ନଗଦ ୪୦ ହଜାର ଟଙ୍କା ଜବତ ହୋଇଛି ।

Leave A Reply

Your email address will not be published.