ବ୍ରହ୍ମପୁର: ରାଜ୍ୟରେ ଜଣଙ୍କ ପରେ ଜଣେ ବରିଷ୍ଠ ଆଇପିଏସ୍ ଏବଂ ଆଇଏଏସ୍ ଅଧିକାରୀମାନେ ସାଇବର ଅପରାଧର ଶିକାର ହେବାରେ ଲାଗିଛନ୍ତି । ଏହି ତାଲିକାରେ ସଦ୍ୟତମ ସାମିଲ ହୋଇଯାଇଛନ୍ତି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ତାଙ୍କ ନାମରେ ଫେକ୍ ହ୍ୱାଟ୍ସଆପ୍ ନମ୍ବର କରାଯାଇ ସେଥିରେ ପ୍ରୋଫାଇଲ ଫଟୋ ମଧ୍ୟ ରଖାଯାଇଛି ।
ତେବେ ଉକ୍ତ ଫେକ୍ ହ୍ୱାଟ୍ସଆପ୍ ନମ୍ବରରୁ ହିଂଜିଳି ତହସିଲଦାର୍ ପ୍ରଭାତ କୁମାର ପରିଡାଙ୍କ ପାଖରୁ ମ୍ୟାସେଜ୍ ଆସିବା ପରେ ଘଟଣା ପଦାକୁ ଆସିଥିଲା । ଏନେଇ ତହସିଲଦାର ପ୍ରଭାତ କୁମାର ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଏତଲା ଦେଇଛନ୍ତି । ପୋଲିସ ମାମଲାର ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଦେଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାରଙ୍କ ହ୍ୱାଟ୍ସଆପକୁ ଏକ ମ୍ୟାସେଜ୍ ଆସିଥିଲା । ଉକ୍ତ ନମ୍ବରର ପ୍ରୋଫାଇଲରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଫଟୋ ଏବଂ ନାମ ମଧ୍ୟ ରହିଥିଲା ।
ଇଂରାଜୀରେ ‘ହେଲୋ କୁମାର, ହାଓ ଆର ୟୁ’ ବୋଲି ଲେଖାଯାଇଥିଲା । ପରେ ପରେ ଆଉ କେତେକ ମ୍ୟାସେଜ୍ ମଧ୍ୟ ଆସିଥିଲେ । କେଉଁଠି ଅଛ ବୋଲି ପ୍ରଶ୍ନ କରାଯିବା ସହିତ ‘ମୁଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଛି, ଆଉ ତୁମଠାରୁ ସାହାର୍ଯ୍ୟ ଚାହଁଛି ବୋଲି’ ଇଂରାଜୀରେ ଲେଖା ହୋଇଥିଲା । ପରେ ହ୍ୱାଟ୍ସଆପ୍ କଲ୍ ମଧ୍ୟ ଆସିଥିଲା ।
ତେବେ ତହସିଲଦାର ପ୍ରଭାତ କୁମାର ଏହାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ । ଜିଲାପାଳ ପରିଡ଼ାଙ୍କ ପ୍ରକୃତ ହ୍ୱାଟ୍ସଆପ୍ ନମ୍ବରରେ ଉପରୋକ୍ତ ବାର୍ତ୍ତାଳପର ସ୍କ୍ରିନସଟକୁ ପଠାଇଥିଲେ । ଜିଲାପାଳ ପରିଡ଼ା କୌଣସି ମ୍ୟାସେଜ୍ କରିନଥିବା ପ୍ରକାଶ କରିବା ସହ ଏହା ସାଇବର ଠକଙ୍କ କାମ ହୋଇଥିବା ଜାଣି ପାରିଥିଲେ ।
ଏନେଇ ତହସିଲଦାର ପ୍ରଭାତ କୁମାରଙ୍କ ଅଭିଯୋଗ ପରେ ଥାନାରେ ୨୦/୨୨ରେ ଏକ ଆଇପିସି ଧାରା ୪୧୭/୪୧୯/୪୨୦/୫୧୧ ଏବଂ ଆଇଟି ଆକ୍ଟର ଧାରା ୬୬(ସି) ଓ ୬୬(ଡି) ପ୍ରକାରେ ମାମଲା ରୁଜୁ ହୋଇଛି ।
ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ନାମରେ ମଧ୍ୟ ଅନୁରୂପ ଭାବେ ଫେକ ହ୍ୱାଟ୍ସଆପ୍ ନମ୍ବର ବ୍ୟବହାର କରାଯାଇଥିଲା।
Comments are closed.