Latest Odisha News

BREAKING NEWS

ବାରିପଦାରେ ଚାଞ୍ଚଲ୍ୟ: ଜିଲ୍ଲାପାଳଙ୍କ ଅଫିସକୁ କାନ୍ଧରେ ବୁହାଗଲା ମହିଳାଙ୍କ ମୃତଦେହ

ବାରିପଦା : ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଘଟିଥିବା ନେଇ ଶୁକ୍ରବାର ଦିନ ସମ୍ପୃକ୍ତ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପରିକି ମହିଳାଙ୍କ ମୃତଦେହକୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି ଆନ୍ଦୋଳନ କରିଥିବା ନେଇ ଜଣାପଡିଛି ।

ପରିଶେଷରେ ପରିବାର ଲୋକେ ମୃତଦେହକୁ ଏକ ପଲିଥିନରେ ଗୁଡାଇ ମୁଖ୍ୟ ରାସ୍ତାରେ କାନ୍ଧରେ ବୋହି ଜିଲ୍ଲାପାଳଙ୍କ ଅଫିସକୁ ନେଉଥିବା ବେଳେ ଦେଖଣାହାରୀ ସ୍ତବ୍ଧ ହୋଇଯାଉଥିଲେ । ଏବେ ଏହି ଘଟଣା ସମସ୍ତ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ଘଣ୍ଟିସିଲା ଗ୍ରାମର ଦାଶରଥି ମୁର୍ମୁଙ୍କ ସ୍ତ୍ରୀ ବାଙ୍ଗିଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଅଲଟ୍ରାସାଉଣ୍ଡ ବେଳେ ତାଙ୍କ ଗର୍ଭରେ ଯାଆଁଳା ସନ୍ତାନ ଥିବା ଜଣାପଡ଼ିଥିଲା। ତେବେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ଘଟିଥିବା ସ୍ୱାମୀ ଦାଶରଥି ଅଭିଯୋଗ କରିଛନ୍ତି।

ଆହୁରି ମଧ୍ୟ ମୃତଦେହକୁ ନେବା ଲାଗି ପରିବାର ବର୍ଗଙ୍କୁ ଆମ୍ବୁଲାନ୍ସ ମଧ୍ୟ ଯୋଗାଇ ଦିଆଯାଇନଥିବା ସୁତ୍ରରୁ ପ୍ରକାଶ ।

ଏହି ଅଭାବନୀୟ ଘଟଣା ସମ୍ପର୍କରେ ଏକ ଜାତୀୟ ଗଣମାଧ୍ୟମ ମଧ୍ୟ ଟ୍ୱିଟ୍ କରିଛି ।

ତେବେ ସ୍ଥାନୀୟ ବିଧାୟକ ପ୍ରକାଶ ସୋରେନ୍ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ପିଡିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ସେଠାକାର ସିଡିଏମଓଙ୍କୁ ଅବଗତ କରାଇଛନ୍ତି ।

ସୂଚନାଯୋଗ୍ୟ, ଏହି ଘଟଣା ଏପରି ଏକ ସମୟରେ ଘଟିଛି, ଯେତେବେଳେ କୋଲକାତାର ଏନଆରଏସ୍ ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯିବା ଘଟଣାକୁ ବିରୋଧ କରି ସାରା ଦେଶରେ ଡାକ୍ତରମାନେ ହଡତାଲକୁ ଓହ୍ଲାଇଛନ୍ତି ।

Leave A Reply

Your email address will not be published.