Latest Odisha News

BREAKING NEWS

ଦୟାମୟୀ ମାଆ ଚର୍ଚ୍ଚିକା – ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ

ଓଡ଼ିଶାରେ ରହିଛି ଆଠଟି ପ୍ରସିଦ୍ଧ ଦେବୀପୀଠ, ସେଥିମଧ୍ୟରୁ କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ଚର୍ଚ୍ଚିକା ପୀଠ ଅନ୍ୟତମ । ମହାନଦୀ ମୁହାଣରେ ଥିବା ରୁଚିକା ପାହାଡ଼ରେ ଅବସ୍ଥିତ ମାଆ ଚର୍ଚ୍ଚିକାଙ୍କ ସୁଦୃଶ୍ୟ ମନ୍ଦିର । ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ବାଙ୍କିର ଏହି ଦେବୀପୀଠ ବେଶ୍ ଉତ୍ସବମୁଖର ହୋଇଥାଏ । ବାଙ୍କିପୀଠର ମାଆ ଚର୍ଚ୍ଚିକାଙ୍କୁ ଦର୍ଶନ କରିଯିବା ବାଟରେ ପର୍ଯ୍ୟଟକ, ଭକ୍ତ, କବି, ଲେଖକ ତଥା ଶ୍ରଦ୍ଧାଳୁମାନଙ୍କୁ ଏହାର ନୈସର୍ଗିକ ପ୍ରାକୃତିକ ସମ୍ଭାର ଆକୃଷ୍ଟ କରିଥାଏ ।

ବାଙ୍କିର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ମନ୍ଦିରକୁ ଗଲାବେଳେ ଗୋଟିଏ ପଟେ ମହାନଦୀ ମୁହାଣର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟା ସହିତ ମହାନଦୀର ସ୍ୱଚ୍ଛ ଜଳରାଶିରେ ଚିକ୍ ଚିକ୍ ସୂର୍ଯ୍ୟକିରଣ ତଥା ଦର୍ଶନଭିଳାଷୀ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ । ପ୍ରାକୃତିକ ସବୁଜିମାରେ ଭରପୁର ରୁଚିକା ପାହାଡ଼ର ମଧ୍ୟଭାଗରେ ଅବସ୍ଥିତ କରୁଣାମୟୀ, ପ୍ରେମମୟୀ ତଥା ଦୟାମୟୀ ଦେବୀ ଚର୍ଚ୍ଚିକାଙ୍କ କଳା କାରୁକାର୍ଯ୍ୟପୂର୍ଣ୍ଣ ମନଲୋଭା ମନ୍ଦିର । ବହୁପୂର୍ବରୁ ରାଜାଙ୍କ ଦ୍ୱାରା ନିର୍ମିତ ପାହାଚ ରାସ୍ତା ପାହାଡ଼ ଉପରକୁ ଲମ୍ବିଛି ।

ମାଆଙ୍କ ସୁନ୍ଦର ପ୍ର୍ରତିମାକୁ ଦର୍ଶନ କରିବା ମାତ୍ରେହିଁ ମନ ମଧ୍ୟରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହୋଇଥାଏ । ମାଆ ଚର୍ଚ୍ଚିକା ଦୈନିକ ବନଦୂର୍ଗା ମନ୍ତ୍ର ଉଚ୍ଚାରଣରେ ପୂଜିତା ହୁଅନ୍ତି । ଅଷ୍ଟଭୂଜା ମାଆ ଚର୍ଚ୍ଚିକାଙ୍କ ହସ୍ତରେ ଗଡ଼ଗ, ଖର୍ପର, ଅଭୟ ମୁଦ୍ରା, ସର୍ପ, ଆଙ୍କୁଶ, କଟାମୁଣ୍ଡ, ଡ଼ମ୍ବରୁ ରହିବା ସହିତ ମାଆ ଗୋଟିଏ ଆଙ୍ଗୁଳିକୁ ଦାନ୍ତରେ କାମୁଡ଼ିଛନ୍ତି ।

କିମ୍ବଦନ୍ତୀ କହେ ଭଗବାନ ଶ୍ରୀବିଷ୍ଣୁଙ୍କ ଅବତାର ପର୍ଶୁରାମ ମାତୃହତ୍ୟା ଅପରାଧ ଜନିତ ପାପରୁ ମୁକ୍ତି ପାଇଁ ତପସ୍ୟା କରି ମାଆଙ୍କ କୃପାଲାଭ କରିଥିଲେ । କିମ୍ବଦନ୍ତୀରେ ମାଆଙ୍କୁ ନେଇ ଅନେକ କାହାଣୀ ମଧ୍ୟ ଭରି ରହିଛି । ମହାନଦୀରେ ନାଉରୀଆ ଅନେକଥର ମାଆଙ୍କ ଦର୍ଶନ ଲାଭ କରିଥିବାର କୁହାଯାଏ । ମାଆ ଚର୍ଚ୍ଚିକାଙ୍କ ମନ୍ଦିରକୁ ଲାଗି ଶ୍ରୀଜଗନ୍ନାଥଙ୍କ ମନ୍ଦିର, ପଞ୍ଚମହାଦେବ, ମଙ୍ଗଳାମନ୍ଦିର ମଧ୍ୟ ରହିଛି । ମାଆଙ୍କ ମନ୍ଦିରକୁ ଲାଗି ରାଜାଙ୍କ ଦ୍ୱାରା ନିର୍ମିତ କାଷ୍ଠ ଦ୍ୱାରା ନିର୍ମିତ ମଣ୍ଡପ ପ୍ରକୃତରେ ଖୁବ୍ ମନଲୋଭା । ଏହି ପୁରାତନ ମଣ୍ଡପରେ ୧୨ଟି କଳା କାରୁକାର୍ଯ୍ୟ ପୂର୍ଣ୍ଣ ସ୍ତମ୍ଭ ରହିଛି । ପର୍ଯ୍ୟଟଙ୍କର ଏହି ମଣ୍ଡପଟି ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି ।

ଦେବୀଙ୍କ ଦୈନିକ ପୂଜାର୍ଚ୍ଚନା ଲାଗି ଅନେକ ପୂଜକ ନିୟୋଜିତ ହୋଇଛନ୍ତି । ମନ୍ଦିରର ଗର୍ଭଗୃହ ମଧ୍ୟଭାଗରେ ଦେବୀ ପ୍ରତିମା ବିରାଜିତା । ପ୍ରତିଦିନ ୪ଥର ମାଆଙ୍କୁ ଭୋଗ ଅର୍ପଣ କରାଯାଇଥାଏ । ଦିନ ୧୦ଟା ସମୟରେ ଦେବୀଙ୍କୁ ମାଜଣା କରାଯାଇ ସକାଳ ଧୂପ ଅର୍ପଣ କରାଯାଇଥାଏ । ରାତ୍ରି କାଳରେ ମାଆ ପଖାଳ ଭୋଗ ଖାଇବାକୁ ଭଲ ପାଆନ୍ତି । ପୁଷ୍ପ ଶଯ୍ୟାରେ ମାଆ ପ୍ରତି ରାତିରେ ଶୟନ କରିଥାଆନ୍ତି ।

ଏଠାକୁ ଭକ୍ତମାନେ ସେମାନଙ୍କ ମନୋସ୍କାମନା ପୂର୍ଣ୍ଣ କରିବାକୁ ମାଆଙ୍କ ନିକଟରେ ମାନସିକ କରିଥାଆନ୍ତି । ଶହ ଶହ ଭକ୍ତମାନଙ୍କର ମାନସିକ ମାଆ ପୂରଣ କରୁଥିବାର ଜନଶୃତି ରହିଛି । ଏଠାକୁ ସାଧାରଣତଃ ଯେଉଁମାନଙ୍କର ବିବାହ ହେଉନଥାଏ ବା ସନ୍ତାନ ହେଉନଥାଏ ସେମାନେ ବିବାହ ଓ ସନ୍ତାନପ୍ରାପ୍ତି ଲାଗି ମାଆଙ୍କୁ ଉପାସନା କରିଥାଆନ୍ତି । ଅନେକ ଶ୍ରଦ୍ଧାଳୁ ଦୁରାରୋଗ୍ୟରୁ ମୁକ୍ତି ଲାଗି ମାଆଙ୍କ କୃପାଭିକ୍ଷା କରୁଥିବାର ଦେଖାଯାଇଥାଏ ।

ପ୍ରାକୃତିକ ସମ୍ଭାରରେ ପରିପୂର୍ଣ୍ଣ ମାଆଙ୍କ ମନ୍ଦିରକୁ ବର୍ଷସାରା ପର୍ଯ୍ୟଟକ ତଥା ଭକ୍ତମାନେ ପରିଦର୍ଶନ କରିଥାଆନ୍ତି । ମହାନଦୀର କୂଳୁକୂଳୁ ନାଦ ସହିତ ରୁଚିକା ପାହାଡ଼ର ସବୁଜିମାରେ ଭରା ପ୍ରାକୃତିକ ପରିବେଷ୍ଟନୀ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।

Leave A Reply

Your email address will not be published.