Latest Odisha News

BREAKING NEWS

ପାଲା ଜଗତର ଅନନ୍ୟ ପ୍ରତିଭା; ସୁଶ୍ରୀ ଉମାରାଣୀ ନାୟକ

ଭୁବନେଶ୍ୱର: ଓଡ଼ିଶାର ପାଲା ସଂସ୍କୃତିରେ ଅନନ୍ୟ ପ୍ରତିଭା ହେଉଛନ୍ତି ଗାୟିକା ପ୍ରବୀଣା, ସୁଶ୍ରୀ ଉମାରାଣୀ ନାୟକ।

ପାଲାରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ମିଳିଛି ଗାୟିକା ପ୍ରବୀଣା ଉପାଧି। ଏଥିସହ ସେ ରାଜ୍ୟର ବହୁ ସାଂସ୍କୃତିକ ଅନୁଷ୍ଠାନ ଏବଂ ପାଲା ମଞ୍ଚରୁ ପୁରସ୍କୃତ, ସମ୍ମାନିତ ହୋଇଛନ୍ତି। ଜଣେ ସୁ ସାହିତ୍ୟିକା ଭାବରେ ମଧ୍ୟ ସେ ପରିଚିତ।

ଓଡ଼ିଶାର ଲୋକକଳା ପାଲା ପରମ୍ପରାରେ ଅଦ୍ୟାବଧି ଯେଉଁ କେତେଜଣ ଗାୟିକା ପାଲା ଜଗତରେ ଯଶ ଓ ପ୍ରତିଷ୍ଠା ଲାଭ କରିଛନ୍ତି, ସେହିମାନଙ୍କ ମଧ୍ୟରେ ଗାୟିକା ଉମାରାଣୀ ନାୟକ ହେଉଛନ୍ତି ଅନ୍ୟତମ।

ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ କାଟିଆ ଛକ ସନ୍ନିକଟ ଦେଓପଡା ଗ୍ରାମରେ ଏକ ସାଧାରଣ ପରିବାରରେ ୧୯୭୮ ମସିହାରେ ଉମାରାଣୀଙ୍କ ଜନ୍ମ। ବାପା ଶ୍ରୀନିବାସ ନାୟକ ଓ ମାତା ଡଲିଲତା ନାୟକ। ୬ ଝିଅ ଏବଂ ଗୋଟିଏ ପୁଅ ମଧ୍ୟରେ ସବୁଠୁ ବଡ଼ ଉମାରାଣୀ। ପିଲାଦିନେ ପରିବାରର ଆର୍ଥିକ ସ୍ଥିତି ଥିଲା ଅତି ଦୁର୍ବଳ, ଯାହାର ପ୍ରଭାବ ପଡ଼ିଥିଲା ବଡ଼ଝିଅ ଉମାରାଣୀଙ୍କ ଉପରେ ।

ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ଗ୍ରହଣ ପରେ ଉମାରାଣୀ କାଟିଆ ସ୍ଥିତ କୃଷ୍ଣପ୍ରଧାନ ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଥିଲେ। ବଡ଼ ବାପା ପିତାମ୍ବର ନାୟକ ଥିଲେ ପାଲା ଗାୟକ, ସେହିପରି ମାଆ ମଧ୍ୟ ସଙ୍ଗୀତ ବିଶାରଦ ଥିଲେ।

ସେ ହାରମୋନିୟମ ବଜାଇବା ସହ ଭଲ ଓଡ଼ିଶୀ ଓ ଚମ୍ପୂ ଗାଇପାରୁଥିଲେ। ପରିବାରରେ ସଙ୍ଗୀତ ଓ ସାହିତ୍ୟର ମାହୋଲ ରହିଥିଲା, ଯାହାର ପ୍ରଭାବ ପିଲାଟିଦିନରୁ ପଡ଼ିଥିଲା ଉମାରାଣୀଙ୍କ ଉପରେ।

ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରେ ଉମାରାଣୀ ଠାକୁର ଶ୍ରୀ ଶ୍ରୀ ଦୟାନିଧି ପରମହଂସ ଦେବଙ୍କଠାରୁ ଚାମର ଗ୍ରହଣ କଲେ। ୧୯୯୦ ମସିହାରେ ସେ ବିଧିବଦ୍ଧ ପାଲା ଗାୟନ ଆରମ୍ଭ କରିଥିଲେ। ପାଲାକୁ ସେ ନିଜର ପେଶା ଆଉ ନିଶା ରୂପରେ ଗ୍ରହଣ କରି ସାଧନା ଅବ୍ୟାହତ ରଖିଛନ୍ତି।

ପ୍ରଚଣ୍ଡ ଅଧ୍ୟବସାୟ ବଳରେ ଓଡ଼ିଶାର କୋଣାନୁକୋଣରେ ଜଣେ ଯଶସ୍ଵିନୀ ପାଲା ଗାୟିକା ଭାବରେ ସେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଦୀର୍ଘ ୩୦ ବର୍ଷର ପାଲା ଗାୟନ ଭିତରେ ସେ ବହୁ ଗାୟିକାମାନଙ୍କ ସହିତ ବାଦୀପାଲାରେ ଅବତୀର୍ଣ୍ଣ ହୋଇ ସୁନାମ ଅର୍ଜନ କରିଛନ୍ତି।

ଅତି ସରଳ ଓ ଚରିତ୍ରବାନ ପାଲା ଗାୟିକା ଭାବରେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ପରିବାର ପାଇଁ ନିଜର ସ୍ବାର୍ଥକୁ ଜଳାଞ୍ଜଳି ଦେଇଥିବା ଉମାରାଣୀ ପାଲା ପାଇଁ ସମର୍ପିତା।

 

Leave A Reply

Your email address will not be published.