Latest Odisha News

BREAKING NEWS

ଯଶ୍ୱସୀ ପାଲା ଗାୟକ ଦିଲ୍ଲୀପ କୁମାର ଦାଶ; ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି…

ଭୁବନେଶ୍ୱର: ଉତ୍କଳୀୟ କଳା ସଂସ୍କୃତି ଓ ପରମ୍ପରାର ଆଲେଖ୍ୟ ବହନକରିଥିବା ବିଦଗ୍ଧ କଳା ପାଲାରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଗାୟକ କଳ୍ପଶ୍ରୀ ପଣ୍ଡିତ ଦିଲ୍ଲୀପ କୁମାର ଦାଶ ।

୧୯୭୨ ମସିହା ଅକ୍ଚୋବର ୧୧ ତାରିଖରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଙ୍ଗରା ଗ୍ରାମରେ ଏକ ବ୍ରାହ୍ମଣ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ପିତା ସ୍ଵର୍ଗତ ଭାଗବତ ଦାଶ ଓ ମାତା ଶୁକ ଦେବୀଙ୍କ କୋଳମଣ୍ଡନ କରିଥିଲେ ଦିଲ୍ଲୀପ । ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷା ସମାପ୍ତ ପରେ ସେ ବି.ସି.ଜେ. ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିଥିଲେ, ଏହା ପରେ ଭଦ୍ରକ ମହାବିଦ୍ୟାଳୟରୁ ସଂସ୍କୃତ ଅନର୍ସ ନେଇ କୃତକାର‌୍ୟ୍ୟ ହୋଇଥିଲେ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ଏମଏ ପରେ ୧୯୯୩ ମସିହାରେ ଶ୍ରୀଯୁକ୍ତ ଦାଶ କୃପାସିନ୍ଧୁ ଉଚ୍ଚ ବିଦ୍ୟାପୀଠ ବାଙ୍ଗରା ସିଂହପୁର, ଯାଜପୁରରେ ସଂସ୍କୃତ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ ।

ପିଲା ଦିନରୁ ପାଲା ସଂସ୍କୃତି ପ୍ରତି ଦିଲ୍ଲୀପ କୁମାର ଦାଶଙ୍କର ଦୁର୍ବଳତା ରହିଥିଲା । ୧୯୯୩ ମସିହାରେ ସେ ପାଲା ଶିଖିବାକୁ ସ୍ଥିର କଲେ, ପ୍ରଥମେ ଗାୟକ ସ୍ଵର୍ଗତ ଧନେଶ୍ୱର ଦାଶ ଏବଂ ଗାୟକ ପରମେଶ୍ବର ରାଉତଙ୍କଠାରୁ ପାଲା ଶିକ୍ଷା ଗ୍ରହଣ କଲେ ।

ପରବର୍ତ୍ତୀ ସମୟରେ ଗାୟକ ସମ୍ରାଟ ବୈଷ୍ଣବ ପ୍ରଧାନ, ଗାୟକ ଶେଖର ଜଗନ୍ନାଥ ବେହେରା, ଗାୟକ ସମ୍ରାଟ ଲକ୍ଷ୍ମୀଧର ରାଉତ, ଗାୟକ ବାଗ୍ମୀ ବୈରାଗୀ ଚରଣ ବେହେରା ପ୍ରଭୃତି ପ୍ରଥିତଯଶା ପାଲା ଗାୟକମାନଙ୍କର ଗାୟନଶୈଳୀକୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଅନୁଶୀଳନ କରିଥିଲେ ଶ୍ରୀଯୁକ୍ତ ଦାଶ ।

ଜଣେ ଉଚ୍ଚ ଶିକ୍ଷିତ ଏବଂ ମାର୍ଜିତ ବ୍ୟକ୍ତିତ୍ବର ଅଧିକାରୀ ହୋଇଥିବା ଶ୍ରୀ ଦାଶ ଓଡ଼ିଶାର କୋଣାନୁକୋଣରେ ପାଲା ପରିବେଷଣ କରି ଯଶସ୍ଵୀ ପାଲା ଗାୟକ ଭାବରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ଯଶସ୍ଵୀ ପାଲା ଗାୟକ ଭାବରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପଣ୍ଡିତ ଦିଲ୍ଲୀପ କୁମାର ଦାଶ ସଂସ୍କୃତ ଏବଂ ଓଡ଼ିଆ ସାହିତ୍ୟ ଆଲୋଚନା, ପର‌୍ୟ୍ୟାଲୋଚନା ସହିତ ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଉଚ୍ଚକୋଟୀର ଲେଖାମାନ ପ୍ରକାଶିତ ହେଉଛି । ଜଣେ ଆଦର୍ଶ ସଂସ୍କୃତ ଶିକ୍ଷକ, ବୈଦିକ କର୍ମକାଣ୍ଡ ବିଶାରଦ ଭାବରେ ମଧ୍ୟ ସେ ଯଥେଷ୍ଟ ସମ୍ମାନର ଅଧିକାରୀ । ସମୀକ୍ଷା ଧର୍ମୀ ତଥା ତାତ୍ଵିକ ଭାବଧାରାରେ ପାଲା ପରିବେଷଣ ହେତୁ ବହୁ ଅନୁଷ୍ଠାନ ପକ୍ଷରୁ ସେ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି । ଏଥିସହ ଗାୟକ କଳ୍ପଶ୍ରୀ, ଗାୟକ ତତ୍ତ୍ଵ ବିଶାରଦ, ଗାୟକ ସଂସ୍କୃତିସାରଥୀ ଆଦି ଅନେକ ଉପାଧି, ସମ୍ମାନ ଓ ମାନପତ୍ର ଲାଭ କରିଛନ୍ତି ।

Leave A Reply

Your email address will not be published.