Latest Odisha News

କରୁଣାମୟୀ ମା’ ତାରାତାରିଣୀ – ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ

ଓଡ଼ିଶାରେ ଅନେକ ଶକ୍ତିପୀଠ ବା ଦେବୀ ମନ୍ଦିର ପ୍ରସିଦ୍ଧି ଲାଭ କରିପାରିଛି । ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାର ତାରାତାରିଣୀ ପୀଠ ବେଶ୍ ପ୍ରସିଦ୍ଧି ଲାଭ କରିପାରିଛି । କରୁଣାମୟୀ ଦେବୀ ତାରାତାରିଣୀ ଭକ୍ତମାନଙ୍କର ମନୋସ୍କାମନା ପୂରଣ କରୁଥିବାର ବହୁକାଳରୁ ଜନଶୃତି ରହିଛି । ଶାରଦୀୟ ଦୁର୍ଗାପୂଜା ଅବସରରେ ଗଞ୍ଜାମର ତାରାତାରିଣୀ ପୀଠରେ ହଜାର ହଜାର ଭକ୍ତମାନେ ପୂଜାର୍ଚ୍ଚନା କରୁଛନ୍ତି । ଏବେ ଏହି ପୀଠଟି ଶ୍ରଦ୍ଧାଳୁମାନଙ୍କ ଜନସମାଗମରେ ଉତ୍ସବ ମୁଖର ହୋଇ ଉଠିଛି ।

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ରାୟପୁର ଗ୍ରାମରେ ମାଆ ତାରାତାରିଣୀଙ୍କ ପୀଠଟି ଅବସ୍ଥିତ । ଏହି ପୀଠଟି କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତିପୀଠଭାବେ ଶକ୍ତିସାଧକମାନେ ବିବେଚନା କରିଥାଆନ୍ତି ।

ନବରାତ୍ରୀରେ ମାଆଙ୍କର ଷୋଡ଼ଶ ଉପଚାର ପୂଜାରୁ ଆରମ୍ଭ ହୋଇ ଦଶହରାରେ ସମାପ୍ତ ହୋଇଥାଏ ମାଆଙ୍କର ପାର୍ବଣ ପୂଜା ଆରାଧନା । ଏହି ସମୟରେ ମନ୍ଦିର ପରିସରରେ ଏକ ଅପୂର୍ବ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥାଏ ।

ପରମ ଆରାଧ୍ୟା ଶକ୍ତିମୟୀ ମାଆ ତାରାତାରିଣୀଙ୍କ ସୁଦୃଶ୍ୟ ମନ୍ଦିରଟି ରାୟପୁର ଗ୍ରାମର ରତ୍ନଗିରି ପାହାଡ଼ର ଶିଖରରେ ଅବସ୍ଥିତ । ଏହି ତନ୍ତ୍ରପୀଠରେ ନବରାତ୍ର ସମୟରେ ମା’ ତାରାତାରିଣଙ୍କର ୯ଟି ବେଶ ହୋଇଥାଏ । ସେହି ବେଶ ଗୁଡ଼ିକ ହେଲା – ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡୀ, ସ୍କନ୍ଦମାତା, କାତ୍ୟାୟିନୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ ବେଶ । ଏହି ସମୟରେ ପୂର୍ବରୁ ମାଆଙ୍କ ମନ୍ଦିରରେ ବଳୀପ୍ରଥା ଅନୁଷ୍ଠିତ ହେଉଥିଲା, ଏବେ କିନ୍ତୁ ତାହା ବନ୍ଦ ହୋଇ କଖାରୁ ବଳି ଦେବାର ପରମ୍ପରା ରହିଆସିଛି ।

ମାଆଙ୍କର ଏହି ତନ୍ତ୍ରପୀଠକୁ ନେଇ ଏକ କିମ୍ବଦନ୍ତୀ ରହିଛି । ପୌରାଣିକ କଥାରେ ଏହି କିମ୍ବଦନ୍ତୀ ସମ୍ପର୍କରେ ବର୍ଣ୍ଣନା ରହିଛି । ପୂର୍ବ କାଳରେ ବସୁପ୍ରହରାଜ ନାମକ ଜନୈକ ତନ୍ତ୍ରସାଧକ ତାଙ୍କର ତନ୍ତ୍ରସାଧନା ଲାଗି ଏହି ମନ୍ଦିରଟିକୁ ପାହାଡ଼ରେ ନିର୍ମାଣ କରିଥିଲେ । ରତ୍ନଗିରି ପାହାଡ଼ରେ ପ୍ରାୟ ୬୦୦ ଫୁଟ ଉପରେ ରହିଛି ମାଆ ତାରାତାରିଣୀଙ୍କ ଏହି ମନ୍ଦିର । ଏହି ମନ୍ଦିର ମଧ୍ୟରେ ମାଆଙ୍କ ମୂର୍ତ୍ତି ସହିତ ରହିଛି ଅନେକ ପାଶ୍ୱର୍ଦେବାଦେବୀଙ୍କ ପ୍ରତିମା, ମାଆଙ୍କ ଅନେକ ଆୟୁଧ ଏବଂ ଅଳଙ୍କାର ।

ପୌରାଣିକ କଥାବସ୍ତୁ ଅନୁସାରେ ସତୀଙ୍କ ପିତା ଦକ୍ଷପ୍ରଜାପତି ଏକ ଯଜ୍ଞର ଆୟୋଜନ କରିଥିଲେ । ମାତ୍ର ଦକ୍ଷ ପ୍ରଜାପତି ଏହି ଯଜ୍ଞ ଲାଗି ମହାଦେବ ଶିବ ଓ ତାଙ୍କର ପତ୍ନୀ ସତୀଙ୍କୁ ଡ଼ାକିନଥିଲେ ।

ଏଥିରେ ଶିବ ଭୀଷଣ କୋଧାନ୍ୱିତ ହୋଇ ପଡ଼ିଥିଲେ । ପରେ ସତୀ ଏହି ଯଜ୍ଞକୁଣ୍ଡରେ ପହଞ୍ଚିଥିଲେ ମାତ୍ର ପିତା ଦକ୍ଷ ତାଙ୍କୁ ଭତ୍ସନା କରିବାକୁ ପଛାଇନଥିଲେ । ସ୍ୱାମୀଙ୍କ ବିରୋଧରେ ଏପରି କଟୁକଥା ସହିନପାରି ସେହି ଯଜ୍ଞକୁଣ୍ଡରେ ହିଁ ପ୍ରାଣତ୍ୟାଗ କରିଥିଲେ ସତୀ ।

ମହାଦେବ ଶିବ ଏହା ଜାଣିପାରି ସେଠାରେ ଉପସ୍ଥିତ ହେଲେ । ଦକ୍ଷପ୍ରଜାପତିଙ୍କ ମୁଣ୍ଡ ଛେଦନ କରି ସତୀଙ୍କ ଅଧାପୋଡ଼ା ଶରୀରକୁ ଯଜ୍ଞକୁଣ୍ଡରୁ ଉଦ୍ଧାର କରି ଶିବ କାନ୍ଧରେ ବୋହି ଚାଲିବାକୁ ଲାଗିଲେ । ଦେବ ଦେବ ମହାଦେବଙ୍କ କୋଧାଗ୍ନୀରେ ଖଣ୍ଡମଣ୍ଡଳ ପ୍ରକମ୍ପିତ ହେବାକୁ ଲାଗିଲା ।

ଭଗବାନ ବିଷ୍ଣୁ ଏହାଜାଣିପାରି ଉପାୟ ପାଞ୍ଚିଲେ । ସତୀଙ୍କ ଶରୀରକୁ ସୁଦର୍ଶନ ଚକ୍ର ଦ୍ୱାରା ଖଣ୍ଡ ଖଣ୍ଡ କରି କାଟିଲେ । ସତୀଙ୍କ ଦୁଇ ବକ୍ଷୋଜ ଏହି ସ୍ଥାନରେ ପଡ଼ିଥିବାର କିମ୍ବଦନ୍ତୀ କହେ । ତେଣୁ ଦୁଇ ବକ୍ଷୋଜର ନାମ କରଣ କରାଯାଇ ତାରା ଓ ତାରିଣୀ ରଖାଯାଇଥିବାର ପୁରାଣ କାହାଣୀରେ ସ୍ପଷ୍ଟ ଉଲ୍ଲେଖ ରହିଛି ।

ବହୁବର୍ଷ ପରେ ବସୁ ପ୍ରହରାଜ କନ୍ୟାସନ୍ତାନ ଚାହିଁବାରୁ ତାଙ୍କୁ ସ୍ୱପ୍ନାଦେଶ ହେଲା । ତାରା ତାରିଣୀ ରୂପେ ମାଆ ଆବିଭୃତା ହୋଇ କନ୍ୟା ଭାବେ ଜନ୍ମଗ୍ରହଣ କଲେ ।

କୁହାଯାଏ ୧୭୦୦ ମସିହାରେ ଏହି ମନ୍ଦିରଟି ନିର୍ମାଣ କରି ମାଆଙ୍କର ମୂର୍ତ୍ତି ରଖି ପୂଜା ଆରମ୍ଭ କରିଥିଲେ ତନ୍ତ୍ରସାଧକ ବସୁ ପ୍ରହରାଜ ।

ମାଆଙ୍କ ପୀଠର ପାଦଦେଶରେ ବହି ଯାଉଛି ପବିତ୍ର ଋଷିକୂଲ୍ୟା ନଦୀ । ଏଠାରେ ମାନସିକଧାରୀମାନେ ନିଜର ଚୁଟି ପକାଇ ନଣ୍ଡା ହୋଇଥିବାର ପ୍ରଥା ରହିଛି । ବିଭିନ୍ନ ପର୍ବ ପର୍ବାଣୀରେ ଏଠାରେ ଉତ୍ସବ ପାଳନ ହୋଇଥାଏ । ସପ୍ତାହର ପ୍ରତି ମଙ୍ଗଳବାର ଦିନ ଏଠାରେ ବିଶେଷ ପୂଜା ଅନୁଷ୍ଠିତ ହେଉଥିବାରୁ ଭିଡ଼ ପରିଲକ୍ଷିତ ହୋଇଥାଏ ।

ଏହି ପବିତ୍ର ଦୁର୍ଗାପୂଜା ଅବସରରେ ମାଆଙ୍କ ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହିତ ଶ୍ରଦ୍ଧାଳୁମାନଙ୍କ ଭଜନ କୀର୍ତ୍ତନରେ ଚତୁର୍ଦିଗ ପ୍ରକମ୍ପିତ ହୋଇଥାଏ । ମାଆଙ୍କର ଅଶେଷ କରୁଣା ଲାଭ କରି ଭକ୍ତମାନେ ଏଠାରେ ପ୍ରସାଦ ସେବନ କରିଥାଆନ୍ତି । ଏହି ପୀଠରେ ନବରାତ୍ର ଠାରୁ ଦୀପାବଳୀ ଅମାବାସ୍ୟା ପର୍ଯ୍ୟନ୍ତ ଭକ୍ତ, ସାଧକ, ତନ୍ତ୍ରସାଧକ ତଥା ଶ୍ରଦ୍ଧାଳୁମାନଙ୍କ ବେଶ୍ ଭିଡ଼ ପରିଲକ୍ଷିତ ହୋଇଥାଏ ।

Leave A Reply

Your email address will not be published.