Latest Odisha News

BREAKING NEWS

ପ୍ରସିଦ୍ଧ ସାହିତ୍ୟିକ ମନୋଜ ଦାସ ପାଇବେ ପ୍ରଥମ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ’

ଭୁବନେଶ୍ୱର: ପ୍ରସିଦ୍ଧ ଓଡ଼ିଆ ସାରସ୍ୱତ ସାଧକ ମନୋଜ ଦାସ ୨୦୧୯ ମସିହାର ୧ମ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ’ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ସାହିତ୍ୟ କ୍ଷେତ୍ରରେ ତାଙ୍କର ସାମଗ୍ରିକ ଅବଦାନ ତଥା ଜୀବନବ୍ୟାପୀ ସାରସ୍ୱତ ସାଧନା ନିମେନ୍ତ ବିଶିଷ୍ଟ ଓଡ଼ିଆ ସାହିତ୍ୟ ସାଧକ ମନୋଜ ଦାସଙ୍କୁ ମାସିକ ଓଡ଼ିଆ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯିବାକୁ ସ୍ଥିର ହୋଇଛି ।

ପୁରସ୍କାର ସ୍ୱରୂପ ଶ୍ରୀଯୁକ୍ତ ଦାସଙ୍କୁ ସ୍ୱର୍ଣ୍ଣ ପଦକ ସହିତ ୫ ଲକ୍ଷ ଟଙ୍କା ଅର୍ଥ ରାଶି, ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯିବ ।

ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟସ୍ଥିତ କନଭେନସନ ସେଣ୍ଟରରେ ଆସନ୍ତା ଜାନୁଆରୀ ୬ ତାରିଖରେ ହେବାକୁ ଥିବା ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ -୨୦୧୯’ ଅବସରରେ ସାହିତ୍ୟିକ ମନୋଜ ଦାସଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ବୋଲି ‘କାଦମ୍ବିନୀ’ର ସମ୍ପାଦିକା ଡ. ଇତି ସାମନ୍ତ ସୂଚନା ପ୍ରଦାନ କରିଛନ୍ତି ।

ବିଶ୍ୱ ସାହିତ୍ୟ ଜଗତରେ ପ୍ରସିଦ୍ଧି ଲାଭ କରିଥିବା ଏହି ପ୍ରଥିତଯଶା ଓଡ଼ିଆ ସାରସ୍ୱତ ସାଧକ ଅନେକ ଉପାଦେୟ ଇଂରାଜୀ ଓ ଓଡ଼ିଆ ଭାଷାରେ ପୁସ୍ତକ ରଚନା କରିଛନ୍ତି । ଭାରତୀୟ ସଂସ୍କୃତିର ପାରମ୍ପରିକ କଥାବସ୍ତୁକୁ ନେଇ ଆଧୁନିକ ଶୈଳୀରେ ରଚନା କରିବାରେ ସେ ସିଦ୍ଧହସ୍ତ ।

ଭାରତୀୟ କଥା ସାହିତ୍ୟର ଅଦ୍ୱିତୀୟ ଲେଖକ ଭାବେ ସେ ସାହିତ୍ୟ ଜଗତରେ ବେଶ୍ ସ୍ୱନାମ ଅର୍ଜନ କରିପାରିଛନ୍ତି । ତାଙ୍କର ଅନବଦ୍ୟ ପ୍ରକାଶନ ଗୁଡ଼ିକ ଓଡ଼ିଆ ସାହିତ୍ୟ ଜଗତରେ ସୁଦୀର୍ଘ ମାଇଲଖୁଣ୍ଟ ସଦୃଶ ।

Leave A Reply

Your email address will not be published.