ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”
କୃଷି ହିଁ କୃଷ୍ଟି । ଇତିହାସ ଇସାରା କରିଥାଏ ଯେ କାସ୍ପିୟାନ ହ୍ରଦକୂଳରୁ ହିମାଦ୍ରି-ବିନ୍ଧ୍ୟାଦ୍ରି-ସହ୍ୟାଦ୍ରି-ଶେଷାଦ୍ରିର ପୁଣ୍ୟଭୂମି ଭାରତକୁ ଆସିଥିଲେ ଆର୍ଯ୍ୟମାନେ । ଏଇଠି ହିଁ ସେମାନେ ଆଦିମ ଅଧିବାସୀ, ବନବାସୀ ଓ ଦ୍ରାବିଡ଼ମାନଙ୍କ ସହିତ ସାମିଲ ହୋଇଗଲେ ଏକ ମହାଭାରତୀୟ ଜନସ୍ରୋତରେ । ଚାରଣ କ୍ଷେତ୍ରରୁ କୃଷିକ୍ଷେତ୍ର ସଭ୍ୟତାରୁ ସଂସ୍କୃତି – ଏଇଠି ଭାରତ ହେଲା ଆଗାମୀ ମାନବସଭ୍ୟତାର ଏନ୍ତୁଡ଼ିଶାଳ । ଚୀନ୍ ଓ ଜାପାନ୍ ମଧ୍ୟ ଏଇ କୃଷିକୁ କେନ୍ଦ୍ରବିନ୍ଦୁ କରି କୃଷ୍ଟି ଚରନା କଲେ । ଏସିଆ ମହାଦେଶର ଏଇ ଏନ୍ତୁଡ଼ିଶାଳକୁ ଅନ୍ୟ ମହାଦେଶୀୟ, ବିଦେଶୀୟ ବଣିକତନ୍ତ୍ରର ବିତ୍ତବୁଭୁକ୍ଷୁ ଶିଳ୍ପସଂସ୍ଥାନଗୁଡ଼ିକ ଆଜି କିନ୍ତୁ ମଶାଣିପଦା କରିବା ମତଲବରେ ବ୍ୟସ୍ତ । ଆମର ଦେଶୀ ଶିଳ୍ପର ସୌଦାଗରମାନେ ମଧ୍ୟ ସେମାନଙ୍କ ମାୟାରେ ବାୟା – ମଣିଷ ଓ ମୂଲ୍ୟବୋଧ ଉପରୁ ଆଖି ଫେରାଇ ସେମାନେ ମୁନାଫା ଓ ମୂଲ୍ୟ ଉପରେ ଲାଖ ବିନ୍ଧୁଛନ୍ତି । ସମୟ ଥିଲା, ଏତେ କଳକାରଖାନା କି ଯନ୍ତ୍ରଶିଳ୍ପ ନ ଥିଲା – ଥିଲା କେବଳ କୌଳିକ କର୍ମ ଆଧାରିତ କୁଟୀରଶିଳ୍ପ ।
ଲୋକେ ସେତେବେଳେ ମଣିଷ ଥିଲେ । ମାଟିକୁ ମା’ମଣି ଚାଷକରି ଖାଦ୍ୟ ଉତ୍ପାଦନ କରି ବଞ୍ଚୁଥିଲେ । ଶିଳ୍ପବିପ୍ଳବ ପରେ କୃଷି ଧୀରେ ଧୀରେ କ୍ଷୟ ହେବାକୁ ଆରମ୍ଭ କଲା । ଯନ୍ତ୍ର ସାହାଯ୍ୟରେ କୃତ୍ରିମ ଉପାୟରେ ଖାଦ୍ୟ ଉତ୍ପାଦନ ହେଲା । କୃଷିକ୍ଷେତ୍ରରେ ନିଯୁକ୍ତ ଶ୍ରମଜୀବୀମାନେ ବାଧ୍ୟ ହୋଇ ଶିଳ୍ପକ୍ଷେତ୍ରରେ ନିଯୁକ୍ତିପ୍ରାପ୍ତି ପାଇଁ ସହରାଭିମୁଖୀ ହେଲେ । ଗାଁ ହେଲା ଖାଁ ଖାଁ । ହୁଡ଼ା, ହିଡ, ହାଡ଼ର ହାହାକାର ଆଉ ହା’ ଅନ୍ନର ଆର୍ତ୍ତନାଦରେ ହଜିଗଲା ସରଳ ସବୁଜ ସ୍ୱପ୍ନ – ସ୍ୱଚ୍ଛନ୍ଦ, ସ୍ୱତଃସ୍ପୂର୍ତ ଜୀବନ । ଧୀରେ ଧୀରେ ଦେଶୀବିହନ, ଜୈବିକସାର ଲୋପପାଇ ବିଦେଶୀ ବିହନ, ବିଦେଶୀସାର ପ୍ରବେଶ କଲା । ସବୁଜ ବିପ୍ଳବର ମେଢ ଦେଖାଇ ଦିଆଗଲା । ଅଧିକ ଅମଳ ପାଇଁ କୀଟନାଶକ, ବିଷାକ୍ତ ସାର ଜମିରେ ପ୍ରୟୋଗ କରାଗଲା – ମାଟି ହରାଇବସିଲା ନିଜର ମହଜୁଦ ଉର୍ବରତା । ଫସଲ ହେଲା ବିଷାକ୍ତ । ଏତେ ରୋଗ ନ ଥିଲା – ବିଷାକ୍ତ ଖାଦ୍ୟଖାଇ ଲୋକେ ରୋଗାକ୍ରାନ୍ତ ହେଲେ ଏଣେ ଲୋକଜୀବନ ଓ ଲୋକସଂସ୍କୃତିର ଲୋକସାନି କରାଇ ତେଣେ ଦେଶୀବିଦେଶୀ କମ୍ପାନୀମାନେ କୋଟି କୋଟି ଟଙ୍କା ଲାଭ କଲେ । କୃଷିଭିତ୍ତିକ ସଂସ୍କୃତିର ମେରୁହାଡ଼ ଦୋହଲିଗଲା , ମାନସିକତା ଭାଙ୍ଗିଗଲା । କୃଷକ ହେଲା କରାଳ କ୍ଳେଶର କଣ୍ଟକରେ କ୍ରୁଶବିଦ୍ଧ ।
ଆଜି ଅସଲ ଚାଷୀ କାନ୍ଦୁଛି ଫୁଙ୍ଗୁଳା ଫଟାଭୂଇଁରେ ଆଉ ଶୁନଶାନ୍ କ୍ଷେତରେ । ଉପରେ ଧୂମଛାୟାଚ୍ଛନ୍ନ ଆକାଶ, ତଳେ ଚୁଲିନାହିଁ କି ଚାଳ ନାହିଁ- ଚାଷୀ ବସିଛି ବାଟ ଚାହିଁ । ନକଲି ଚିନାବାଦାମ, ଧାନ ଓ ଗହମ, ମକା, ସୂର୍ଯ୍ୟମୁଖୀ, ହଳଦୀ, ଅଦା, ସୋରିଷ, ବିରି, ମୁଗ – ବିହନ ଦୁର୍ନୀତିରୁ ଆରମ୍ଭ କରି ଅଭାବୀ ଧାନର ବିକ୍ରି ପର୍ଯ୍ୟନ୍ତ ସରକାରୀ ମହାଦୁର୍ନୀତିର ନାଗଫାଶରେ ଓଡ଼ିଶା ଚାଷୀର ଭବିଷ୍ୟତ ନୟାନ୍ତ ଭାବରେ ଅଣନିଃଶ୍ୱାସୀ । କମଳାରଙ୍ଗର ଗ୍ରହ ଆମର ଏ ପୃଥିବୀରେ ଚାଷୀର ଜୀବନ ଆଜି କାମଳଗ୍ରସ୍ତ । ଶୀତଳ ଭଣ୍ଡାରରେ ଶସ୍ୟ ସଂରକ୍ଷଣ ବେଳେ ବିଚରା ଅରକ୍ଷିତ ଚାଷୀର ଜୀବନ ଗ୍ୟାସ୍ ଚାମ୍ବରରେ । ରାଜରାସ୍ତାରେ ଚାଷୀ ଆନ୍ଦୋଳନ ଚାଲିଥିଲା ବେଳେ ବିଧାନସଭାରେ ମଧ୍ୟ ଚାଷୀ ସମସ୍ୟା ନେଇ ହଜାରେ ହୋହାଲ୍ଲା । ରାଜରାସ୍ତାରେ ଅସଲ ଚାଷୀ ଆନ୍ଦୋଳନର ରଙ୍ଗ ଧୂଳିଧୂସର, ବିଧାନସଭାରେ ଚାଷୀଙ୍କ ପାଇଁ ରଣହୁଂକାର ଶେଷରେ କୁମ୍ଭୀର କାନ୍ଦଣାରେ ମୁଖର । ବିଧାନସଭା ଅଚଳ । ଶାସକ ଓ ବିରୋଧୀ ଦଳଙ୍କ ବୁଝାମଣାରେ ଚାଷ ଓ ଚାଷୀଙ୍କ ସମସ୍ୟା ସିନା ଆଲୋଚନା ହେଉଛି, କିନ୍ତୁ ବାଟ ଫିଟୁ ନାହିଁ କିଛି ।
ଆଲୋଚନାରେ ଯେଉଁମାନେ ଭାଗନେଲେ ଜଣେ ଦି’ଜଣଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କର ଚାଷ ଓ ଚାଷୀଙ୍କ ସମସ୍ୟା ସଂପର୍କରେ ଅନଭିଜ୍ଞତା ସ୍ପଷ୍ଟ ପ୍ରକଟିତ ।
ମଣ୍ଡି ଖୋଲୁନି, ବିହନ ଯୋଗାଣରେ ହେରଫେର, ଫସଲବୀମା କ୍ଷତି ପୂରଣ ପାଇବାରୁ ବଞ୍ଚିତ, ଜଳସେଚନର ଅଭାବ, ପ୍ରାକୃତିକ ବିପର୍ଯ୍ୟୟ ପ୍ରମୁଖ ବିଷୟବସ୍ତୁ ଉପରେ ବାସ୍ତବ ଜ୍ଞାନ ଅଭାବରୁ ଜନପ୍ରତିନିଧିମାନେ ମୂଳସମସ୍ୟାର ସମାଧାନ ସୂତ୍ର ବାହାର କରିପାରୁନାହାନ୍ତି । ଏପର୍ଯ୍ୟନ୍ତ ସରକାର ମଧ୍ୟ ଆଦର୍ଶ କୃଷିନୀତିଟିଏ ପ୍ରଣୟନ କରିପାରିଲେ ନାହିଁ ।
ଗରିବମାନଙ୍କ ଗଡ଼ଜାତ, ଗାଉଁଲୀମାନଙ୍କ ଗାଆଁ, ମୂର୍ଖମାନଙ୍କ ମଫସଲ, ମୂଢ଼ମାନଙ୍କ ମୋଗଲବନ୍ଦି, ଜନଜାତିମାନଙ୍କ ଜଙ୍ଗଲ ଜମିକୁ ନେଇ ସମୁଦ୍ରଠାରୁ ପାହାଡ଼ ପର୍ଯ୍ୟନ୍ତ ପ୍ରସାରିତ ଏକ ପ୍ରବଞ୍ଚିତ ପ୍ରକୃତି ପ୍ରତିମା ଏ ଓଡ଼ିଶା ଭୂଇଁ । କେନ୍ଦୁପତ୍ରଠୁ କୁନ୍ଦପୁଷ୍ପଯାଏଁ, ତାଳବଣେଇଠୁ ଶାଳବଣଯାଏଁ, ଘାଟଘେରିଠୁ ଘାଟିମୁଲକଯାଏଁ ବାଟିବାଟି ବିଲବାସ୍ନାର ବିହ୍ୱଳ ଭୂଚିତ୍ରଟିଏ ଏ ଓଡ଼ିଶା । ଏଠି ଖଣି ଅଛି, ମଣି ଅଛି, କ୍ଷେତ ଅଛି, ନେତ ଅଛି, ନଦୀ ଅଛି, ବେଦୀ ଅଛି, ମଠ ଅଛି, ପୀଠ ଅଛି, କୀର୍ତ୍ତି ଅଛି, ଅଛି- ନାହିଁ କ’ଣ ? ନାହିଁ ଖାଲି ମନ । ଓଡ଼ିଶାକୁ ଓଡ଼ିଆମାନଙ୍କର ବୁକୁଭରି ଭଲପାଇବାର ଭରପୂର ମନ ।
ଓଡ଼ିଶାକୁ ମହାଜନମାନେ ଏବେବି ଅଣ୍ଡାଳି ଚାଲିଛନ୍ତି ଖାତକର ଖତଗଦାରେ । ବେଠି-ବେକାରି-ବେରୋଜଗାରିରେ ବେଦମ୍ ଏ ବାଦାମୀ ଭୂଇଁ । ଝଡ଼ି-ବଢ଼ି ମରୁଡ଼ିରେ ଝୋଲାମରା ଏ ଖୋଲାମାଟି । ବନ୍ଧ ନାହିଁ, ବାଡ଼ ନାହିଁ- ନଈନାଳର ଏ ନୁଆଣିଆ ନୈରାଜ୍ୟରେ । କେନ୍ଦ୍ରର କବାଟ ସାମ୍ନାରେ କରୁଣ କେନ୍ଦରା ବଜାଉଥିବା ନାଥଯୋଗୀର ଅନାଥ ଅଂତଃସ୍ୱର ପରି ମନେହୁଏ ଆମର ରାଜନୀତିକ ‘ରୁଦାଲି’ମାନଙ୍କର ବାହୁନାସବୁ । ଆମର ଏ ଅନ୍ନପୂର୍ଣ୍ଣା ମାଆ ଓଡ଼ିଶାମାଟି ୧୪୭ ବିଧାୟକଙ୍କ ସୌଖିନ ଡ୍ରଇଂରୁମର କାନ୍ଥରେ କ’ଣ କେବଳ ଫିମ୍ପିମରା ପଟଚିତ୍ର ? ମହାପାତ୍ରମାନଙ୍କ ମାର୍ବଲ ମହଲଗୁଡ଼ାକରେ ଟଙ୍ଗାହୋଇ ଜଳକା ଜନତାର ଆଖିଆଗେ ଝୁଲିରହିଥିବା ମୌନ ମାନଚିତ୍ର ? ଭୋକର ଭୂ-ଚିତ୍ର ?
ଖଣିଜ ସମ୍ପଦକୁ ସଫଳ ପରିଚାଳନା କଲେ ଆମ ଓଡ଼ିଶା ଯେଭଳି ଏକନମ୍ବର ଧନୀ ରାଜ୍ୟରେ ପରିଣତ ହୁଅନ୍ତା, ସେଇଭଳି ଆମ ଫଟାଭୂଇଁରେ ପାଣିଢାଳିଲେ, ଚାଷ ଓ ଚାଷୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେଲେ – ନିଶ୍ଚିତ ଏକନମ୍ବର ସ୍ୱାବଲମ୍ବୀ ରାଜ୍ୟ ହୋଇପାରନ୍ତା । ଏ ସବୁ କରିନପାରିଲେ, ଚାଷ ଉଜୁଡ଼ିଗଲେ, ଚାଷଜମି ଜୋରଜବରଦସ୍ତ ବଂଧୁକମୂନରେ ଦଖଲ କରି ମାଳମାଳ କାରଖାନା ଗଢ଼ିତୋଳିଲେ କେବଳ କେଇଖଣ୍ଡି କୁଟୀର ଥିବ; କିନ୍ତୁ ନଥିବ କୁଟୀରଶିଳ୍ପ ।
ବିସ୍ଥାପିତବର୍ଗ ଥିବେ, ମାତ୍ର ନ ଥିବେ ଶ୍ରମ-ସଂସ୍କୃତିର କର୍ମକୁଶଳୀ ସ୍ଥାପୟିତାବର୍ଗ । ଏବେ କଳକାରଖାନାଗୁଡ଼ିକରେ ଛଟେଇର ଛାଟମାଡ଼ ସାଙ୍ଗକୁ ଶିଳ୍ପରେ
ମାନ୍ଦାବସ୍ଥା ଭୟଙ୍କର ଭାବେ ଦେଖାଦେଇଥିବାରୁ ପୁଣି ସହରାଭିମୁଖୀ ଶ୍ରମଜୀବୀ କୃଷିକାର୍ଯ୍ୟକୁ ଆପଣାଇ ନେବା ହଠାତ୍ ସମ୍ଭବ ନୁହେଁ । ତେବେ ବଂଚିବା ପାଇଁ
ପରିସ୍ଥିତିକୁ ଆପଣେଇ ନେଇ ସରକାରଙ୍କୁ ବାଧ୍ୟ କରିବାକୁ ହେବ ରାଜକୋଷରୁ ଆଖିବୁଜା ଅର୍ଥ ମୁକୁଳାଇ କୃଷିଜଳସେଚନରେ ଖର୍ଚ୍ଚ କର । ନୂଆ କେନାଲ
ଖୋଳ, ପୁରୁଣା କେନାଲ, ପୋତିହୋଇ ଯାଇଥିବା ନଦୀନାଳକୁ ସଜାଡ଼ ।
ଜଳସେଚନ ହେଲେ ଟାଙ୍ଗରାଭୂଇଁ ସବୁଜ ହୋଇଉଠିବ ପୁଣି । ପର୍ଯ୍ୟାପ୍ତ ଖାଦ୍ୟ ଉତ୍ପାଦନ ହୋଇ ଅନ୍ତତଃ ଲୋକେ ଦି’ଓଳି ଦି’ମୁଠା ଖାଇବାକୁ ପାଇବେ । ଯଦି ଏକ ସୁସ୍ଥ ସମାଜର କେନ୍ଦ୍ରବିନ୍ଦୁ କୃଷକର କୃତିକୁ ନେଇ ସୃଷ୍ଟି କରାଯାଏ, ତା’ହେଲେ ସଭ୍ୟତା ଓ ସଂସ୍କୃତି ସୁରକ୍ଷିତ ରହିବା ଦିଗରେ କୌଣସି ଶ୍ରେଣୀଶତ୍ରୁର ସଇତାନି ସକ୍ରିୟ ହୋଇ ପାରିବ ନାହିଁ । କୃଷକମାନେ ମାଟିର ମଣିଷ କେବଳ ନୁହଁନ୍ତି, ସେମାନେ ସ୍ୱାଭାବିକ ଭାବେ ଜନସମାଜର ଜାଗ୍ରତ ପ୍ରହରୀ ।
ପ୍ରାସଙ୍ଗିକ ଭାବରେ ଏଠାରେ ମହାଭାରତର ଏକ ଉଲ୍ଲେଖନୀୟ ଉଦାହରଣ ଉପସ୍ଥାପନ କରୁଛି । ଅନ୍ଧ ଧୃତରାଷ୍ଟ୍ରଙ୍କୁ ମନାଇ ଧନସଂପଦଲୋଭୀ ତାଙ୍କର କ୍ଷମତାନ୍ଧ ପୁତ୍ରମାନେ ଖଳବୁଦ୍ଧିର ଖେଳ ଖେଳି ରାଜ୍ୟଭାଗବଂଟା ଆରମ୍ଭ କରାଇଲେ । ସେମାନେ ସମୃଦ୍ଧିସଂପନ୍ନ ହସ୍ତିନାପୁରକୁ ହାତେଇନେଲେ ଆଉ ଧୃତରାଷ୍ଟ୍ର କୋମଳବଚନ କହି ପଣ୍ଡୁପୁତ୍ରମାନଙ୍କୁ ପଠାଇଦେଲେ ଖାଣ୍ଡବପ୍ରସ୍ଥ – ଶିଳାକଙ୍କରମୟ ଆରଣ୍ୟକ ଅପନ୍ତରାକୁ । ଅଥଚ ପରମସଖା କୃଷ୍ଣଙ୍କ ସୂକ୍ଷ୍ମବିଚାରବୁଦ୍ଧିର ତାତ୍ତ୍ୱିକ ଦିଗକୁ ପ୍ରାୟୋଗିକ ପରିଣତି ଦେଇ ପାଣ୍ଡବମାନେ ଖାଣ୍ଡବପ୍ରସ୍ଥର ସେଇ ପ୍ରତିକୂଳ ପରିବେଶକୁ ପ୍ରତିହତ କରି ରଚନା କଲେ ଈର୍ଷଣୀୟ ଇନ୍ଦ୍ରପ୍ରସ୍ଥ ! ହସ୍ତିନାର
ଭବ୍ୟସଭ୍ୟତା ଇନ୍ଦ୍ରପ୍ରସ୍ଥର ନବ୍ୟସଂସ୍କୃତି ଆଗରେ ମଥା ନୁଆଁଇଲା ।
ଏହି ମହାଭାରତୀୟ ସନ୍ଦେଶରେ ଆମ ପାଇଁ ପ୍ରଚ୍ଛନ୍ନ ରହିଛି ସଂସ୍କୃତି ନିର୍ମାଣର ସୂକ୍ଷ୍ମସୂତ୍ର । କଳକାରଖାନାକୁ ଜମି ଯୋଗାଣ ନାଆଁରେ ଚାଷଜମିକୁ ଚଳୁ କରିନଦେଇ, ଔଷଧୀୟ ବୃକ୍ଷଲତାର ବିରଳ ଭୂକ୍ଷେତ୍ରଗୁଡ଼ିକୁ ବଳି ନ ପକାଇ, ଧାନ-ପାନ- ମୀନର ମହାଧରିତ୍ରୀକୁ କମ୍ପାନୀ-କୁବେରମାନଙ୍କ ହାତକୁ ବଢ଼ାଇ ନ ଦେଇ ରାଷ୍ଟ୍ରଶାସକ
ଶିଳ୍ପବିସ୍ତାର ନିମନ୍ତେ ଅନ୍ୟୋପାୟ ଅବଲମ୍ବନ କରନ୍ତୁ । ଚାଷ ନାଶ ନ ହେଉ – ଚାଷୀ ଛିନ୍ନବାସୀ ନ ହେଉ – ଦେଶକୁ ବିଦେଶରୁ ଅନ୍ନବସ୍ତ୍ର ଆମଦାନୀ କରିବାର ଲଜ୍ଜା ଓ ଲାଞ୍ଛନାର ଦୁର୍ଯୋଗ ଭୋଗିବାକୁ ନ ପଡୁ । ପରିବେଶ ପ୍ରଦୂଷିତ ହୋଇ ଦେଶବାସୀ ବ୍ୟାଧିତ ବିଭୀଷିକାର ବିଷାକ୍ତ ବାତାବରଣରେ ଅକାଳ ବାର୍ଦ୍ଧକ୍ୟଗ୍ରସ୍ତ ହୋଇ ନ
ପଡ଼ନ୍ତୁ । ବିଦେଶରୁ ଆଗେ ଖାଦ୍ୟ ଆସିବା ସହିତ ପରେ ପଥ୍ୟ ବି ଆସିବ, ଇଏ ବି କଣ କମ୍ ଲାଞ୍ଛନା ! ବିଦେଶୀ କମ୍ପାନୀଗୁଡ଼ିକର ଔଷଧ କ୍ରୟ ପାଇଁ କଂକାଳସାର
ଦେଶବାସୀ ଗରାଖ ଧାଡ଼ିରେ ଛିଡ଼ାହୋଇ ଅପେକ୍ଷା କରିବାର ଆସନ୍ନ ଅଭିଶାପରୁ ଦୂରରେ ରହନ୍ତୁ ।
ଆମର ଆଦର୍ଶ – ଏକ ଭବ୍ୟ ଭବିଷ୍ଣୁ ଭାରତବର୍ଷ । ଏ ଭାରତ ମାଲିକଶ୍ରେଣୀର ‘ଅଦର୍ ଇଣ୍ଡିଆ’ ନୁହେଁ, ଭାଇଭାଇ ଡାକି ଭଗାରୀ ଭଣ୍ଡମାନଙ୍କର ‘ବ୍ରଦର୍ ଇଣ୍ଡିଆ’ ନୁହେଁ କିମ୍ବା ଫିଲ୍ମ୍ବାଲାଙ୍କ ‘ମଦର ଇଣ୍ଡିଆ’ ନୁହେଁ – ବରଂ ମାମୁଲି ମଣିଷମାନଙ୍କର ‘ମାଆ’ । ଏହାର ନୀତି ହେଉ ‘ବସୁଧୈବ କୁଟୁମ୍ବକଂ’ – ଭିତି ହେଉ
ସଂସ୍କୃତି ସୁରକ୍ଷାର ସଂକଳ୍ପ । ଏହାର ମୂଳବୀଜ ହେଉଛି କୃଷିଭିତିକ କୃଷ୍ଟି – ଯାହା ଏ ଦେଶର ସ୍ୱଭାବସିଦ୍ଧ ସ୍ୱଧର୍ମ – ମୂଳ ଚରିତ୍ର ।
ଆମେ କିନ୍ତୁ ଏବେ କେଉଁଠି ? ଇନ୍ଦ୍ରପ୍ରସ୍ଥକୁ ପୁନରାୟ ଖାଣ୍ଡବପ୍ରସ୍ଥରେ ପରିଣତ କରିବାର ବିଷବିଳୟିତ ବ୍ୟବସ୍ଥା ଭିତରେ ବନ୍ଦୀ କେବଳ ! ଏ ଦେଶରେ ଦେଶୀ
ବିହନ ଖୋଜନ୍ତୁ – କାଁ ଭାଁ କେଉଁଠି କେଉଁ ନାଁ-ନଜଣା ଗାଁ କି ଦୂର ମୁଲକରେ ମିଳିଲେ ମିଳିପାରେ – ନ ହେଲେ ଆଦିବାସୀର କରୁଣ କୁଡ଼ିଆଘରେ !
ବିଦେଶୀ ବିହନ, ବିଦେଶୀ ରାସାୟନିକ ସାରର ଚକ୍ରବ୍ୟୂହରେ ଆମ ଦେଶୀ ଚାଷର ଦୁଃସ୍ଥ ଦୁନିଆ ପ୍ରାୟ ଛିନ୍ଛତ୍ର, ତଳିତଳାନ୍ତ ! ସୁତରାଂ କୃଷିସଂସ୍କୃତିର ଆଶୁ
ପୁନରୁଦ୍ଧାର ହିଁ ଆଜିର ଆହ୍ୱାନ – ଫସଲର ଫଟାଭୂଇଁରେ ଏ ଆହ୍ୱାନ ଅମୃତଧାରା ସିଂଚନ କରିବାର ଅସଲ ଅନ୍ତଃସ୍ୱର ।
କ୍ରୁଶବିଦ୍ଧ କୃଷକଶ୍ରେଣୀ ଯେପରି ରକ୍ତାକ୍ତ ଯୀଶୁର ଯନ୍ତ୍ରଣା ଭିତରେ ବି ଆମପରି ଅପର୍ଯ୍ୟାପ୍ତ ଅପକର୍ମାବର୍ଗଙ୍କୁ କ୍ଷମା କରିଚାଲିଛି – ଆମର କୃଷିବିମୁଖ ଆଜିର ସମାଜବ୍ୟବସ୍ଥା ମଧ୍ୟରେ ଆମେ କ’ଣ ଏତିକି ସୁଦ୍ଧା ବୁଝିବାରେ ଅପାରଗ ନା ଜାଣିସିଆଣା ଜହ୍ଲାଦବର୍ଗ ?
କୃଷି ସହିତ କୃଷ୍ଟିର ମହାମଙ୍ଗଳକର ମିଶ୍ରରାଗ ମୂର୍ଚ୍ଛିତ ହେଉ ଏଇ ମୁହୂର୍ତରୁ – ବିଳମ୍ବରେ ବିପର୍ଯ୍ୟୟ !
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩
Comments are closed.