ଅନ୍ନଦାତାଙ୍କ ଆନ୍ଦୋଳନ, ଆମେ ଓ ସରକାର

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

ଖରା, ବର୍ଷା, ଶୀତକୁ ଖାତିର୍ ନକରି ହାଡ଼ଭଙ୍ଗା ପରିଶ୍ରମ କରି ସାରା ଦେଶକୁ ଖାଦ୍ୟ ଯୋଗାଉଥିବା ଅନ୍ନଦାତା ତଥା ଚାଷୀ ମାନେ ଆଜି ଡିସେମ୍ବରର ଥୁରୁଥୁରୁ ଥଣ୍ଡାରେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ବିଶେଷ କରି ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତର ପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଆଦି ରାଜ୍ୟର ଚାଷୀ ମାନେ ଏହି ଆନ୍ଦୋଳନରେ ପ୍ରତ୍ୟେକ୍ଷ ଭାବେ ସାମିଲ୍ ହୋଇଥିଲେ ମଧ୍ୟ ସମଗ୍ର ଦେଶର ଅଧିକାଂଶ ଚାଷୀ ଏହି ଆନ୍ଦୋଳନକୁ ସମର୍ଥନ କରୁଥିବାର ଦେଖିବାକୁ ମିଳୁଛି । ଦୀର୍ଘ ଦଶ ଦିନରୁ ଅଧିକ ହେବ ଶାନ୍ତିପୂର୍ଣ୍ଣ ଭାବେ ଏହି ଆନ୍ଦୋଳନ ଜାରି ରହିଛି । ଲୋକସଭାରେ ବିଲ୍ ପାସ୍ ନକରେଇ କେନ୍ଦ୍ର ସରକାର ତରବରିଆ ଭାବେ ଯେଉଁ କୃଷି ଅଧ୍ୟାଦେଶ ତିନୋଟି ଆଣିଛନ୍ତି, ତାହା ବିରୋଧରେ ଚାଷୀ ମାନଙ୍କର ଏହି ଆନ୍ଦୋଳନ । ବର୍ତମାନ ପର୍ଯ୍ୟନ୍ତ କୃଷି ମନ୍ତ୍ରୀ ଓ ଅନ୍ୟ ସରକାରୀ ପ୍ରତିନିଧି ମାନଙ୍କ ସହିତ ଚାଷୀ ମାନଙ୍କର ପାଂଚ ଥରରୁ ଉର୍ଦ୍ଧ୍ୱ ଆଲୋଚନା ସରିଲାଣି । କିନ୍ତୁ ସରକାର ନିଜ ଜିଦ୍‌ରୁ ଓହରୁ ନାହାନ୍ତି ଓ ଚାଷୀ ମାନଙ୍କୁ କିଛି ବି ସନ୍ତୋଷଜନକ ଫଳ ମିଳିନାହିଁ । ଗତ ୮ ତାରିଖରେ ଚାଷୀ ମାନେ ଡାକରା ଦେଇଥିବା ଭାରତ ବନ୍ଦକୁ ସାରା ଦେଶରୁ ସମର୍ଥନ ମିଳିଛି । ଏକାଧିକ ବିରୋଧୀ ଦଳ ଚାଷୀ ମାନଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିବା ବେଳେ ଅନେକ ପୁରସ୍କାର ପ୍ରାପ୍ତ ସେଲିବ୍ରିଟି ମାନେ ଆନ୍ଦୋଳନକୁ ସମର୍ଥନ କରି ପୁରସ୍କାର ଫୋରାଉ ଥିବାର ଦେଖିବାକୁ ମିଳୁଛି । ଅନ୍ନଦାତାଙ୍କ ଆନ୍ଦୋଳନ ପ୍ରତି ଏପରି ସମର୍ଥନ ସମଗ୍ର ଦେଶରେ ଜନ ଜାଗରଣ ତିଆରି କରୁଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ସରକାର ସେହି ତିନୋଟି ଅଧ୍ୟାଦେଶକୁ ଜୋର୍ ଜବରଦସ୍ତ ଲାଗୁ କରିବାରୁ ଓହରୁ ନାହାନ୍ତି ଓ ଅପରପକ୍ଷେ ଚାଷୀ ମାନେ ଅଧ୍ୟାଦେଶକୁ ଚାଷୀ ବିରୋଧୀ ବୋଲି ଆଖ୍ୟା ଦେଇ ଏହାର ପ୍ରତ୍ୟାହାର ଦାବୀ କରୁଛନ୍ତି ।

ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ତାଙ୍କ ନିର୍ବାଚନୀ ପ୍ରତିଶ୍ରୁତିରେ ୨୦୨୧ ସୁଦ୍ଧା ଚାଷୀଙ୍କ ଆୟକୁ ଦୁଇ ଗୁଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ୨୦୨୧ ପହଂଚିବାକୁ ଆଉ ମାତ୍ର କେଇ ଦିନ ବାକି ଅଛି । ଚାଷୀଙ୍କ ଆୟ ଦୁଇ ଗୁଣ ହେବା ତ ଦୂରର କଥା, ସମଗ୍ର ଦେଶରେ ଚାଷୀଙ୍କ ଅବସ୍ଥା ଅଧିକ ସଂକଟଜନକ ହୋଇଛି । ଏପରି ପରିସ୍ଥିତିରେ ସରକାର ତରବରିଆ ଭାବେ ଅଧ୍ୟାଦେଶ ମାଧ୍ୟରେ ତିନୋଟି କୃଷି ଆଇନ୍ ଆଣିବାକୁ ଯାଉଛନ୍ତି, ଯାହା ଦ୍ୱାରା ଚାଷୀଙ୍କ ଅପେକ୍ଷା କଂପାନୀ ମାନଙ୍କୁ ଅଧିକ ଫାଇଦା ହେବ । ଅବଶ୍ୟ ସରକାର ଦାବୀ କରୁଛନ୍ତି ଯେ, ଏହି ଅଧ୍ୟାଦେଶ ଦ୍ୱାରା ଚାଷୀ ମାନଙ୍କର ମଙ୍ଗଳ ହେବ । କିନ୍ତୁ ବାସ୍ତବତା ଭିନ୍ନ । ଏହି ଅଧ୍ୟାଦେଶ ତିନୋଟି ମାଧ୍ୟମରେ ସରକାର ଚାଷୀଙ୍କ ଚୁଟିକୁ ସବୁଦିନ ପାଇଁ କଂପାନୀ ହାତରେ ଧରେଇ ଦେବାର ବ୍ୟବସ୍ଥା କରୁଛନ୍ତି ଓ ଚାଷୀ ମାନଙ୍କ ପ୍ରତି ଥିବା ଉତରଦାୟିତ୍ୱରୁ ସବୁଦିନ ପାଇଁ ଛୁଟି ନେବାକୁ ଚାହୁଁଛନ୍ତି ।

୨୦୧୪ରେ ଆନ୍ନା ହଜାରେଙ୍କ ଦ୍ୱାରା ହୋଇଥିବା ଜନ ଲୋକପାଳ ଆନ୍ଦୋଳନ ଦ୍ୱାରା ସାରା ଦେଶରେ ଯେଉଁ ସରକାର ବିରୋଧୀ ହାୱା ତିଆରି ହୋଇଥିଲା ତାର ପରିଣାମ ସ୍ୱରୁପ କଂଗ୍ରେସ ସରକାରର ପତନ ହୋଇଥିଲା । କେବଳ ପତନ ହୋଇନଥିଲା, ସାରା ଦେଶରେ ଲୋକମାନଙ୍କର ମାନସିକତା କଂଗ୍ରେସ ବିରୋଧୀ ହୋଇଯାଇଥିଲା, ଯାହାର ପରିଣାମ ଏବେ ବି କଂଗ୍ରେସ ଭୋଗୁଛି । ସେମିତି ଆଜି ଚାଷୀ ଆନ୍ଦୋଳନକୁ ସାରା ଦେଶରୁ ଯେପରି ସମର୍ଥନ ମିଳୁଛି, ଏହା ଅହଂକାରୀ ବିଜେପି ସରକାରର କ୍ଷମତାର ନିଶାକୁ ଯେ ଛଡ଼େଇ ନଦେବ, ସେକଥା କିଏ କହିବ! ଅମଣିଆ ବଳଦକୁ ମଣ କରିପାରୁଥିବା ଚାଷୀମାନେ ନିଜ ସଂଗଠନ ଓ ସଂକଳ୍ପବଦ୍ଧତା ବଳରେ ଅହଂକାରୀ ଶାସକକୁ ନିଶ୍ଚୟ ଉଚିତ୍ ରାସ୍ତା ଦେଖାଇ ପାରିବେ ।

ଗୋଟିଏ ଗଣତାନ୍ତ୍ରିକ ଦେଶରେ ଗଣଙ୍କ ମତର ସର୍ବାଧିକ ମହତ୍ୱ ରହିବା ଉଚିତ୍ । ଯଦି ଚାଷୀ ମାନେ ଏପରି ଅଧ୍ୟାଦେଶ ଚାହୁଁନାହାନ୍ତି, ତେବେ ସରକାର ତାହାକୁ କାହା ସ୍ୱାର୍ଥରେ ଲାଗୁ କରିବାକୁ ଚାହୁଁଛନ୍ତି? ସେହି ଅଧ୍ୟାଦେଶ ତିନୋଟିକୁ ନେଇ ସରକାରଙ୍କର ଏତେ ଜିଦ୍ କାହିଁକି? ଯଦି ସରକାର ଚାଷୀଙ୍କର ଭଲ ଚାହୁଁଛନ୍ତି ବୋଲି କହୁଛନ୍ତି, ତେବେ ଚାଷୀଙ୍କ କଥା ଶୁଣୁନାହାନ୍ତି କାହିଁକି? ଏଠି ଆଉ ଗୋଟିଏ ପ୍ରଶ୍ନ ପଚରା ଯାଇପାରେ, ଏହି ଅଧ୍ୟାଦେଶ ତିନୋଟି ଲାଗୁ କରିବା ପୂର୍ବରୁ ସରକାର କୌଣସି ଚାଷୀ ସଂଗଠନ ମାନଙ୍କର ମତାମତ ଲୋଡ଼ି ନାହାନ୍ତି କାହିଁକି? କାରଣ ସରକାର ଜାଣିଛନ୍ତି, ଚାଷୀ ବିରୋଧୀ ଏହି ଅଧ୍ୟାଦେଶ ତିନୋଟିକୁ କୌଣସି ଚାଷୀ ସଂଗଠନ କେବେ ବି ସମର୍ଥନ କରିବେ ନାହିଁ । ତେଣୁ କୌଣସି ଆଲୋଚନା ନକରି ସରକାର ଅଧ୍ୟାଦେଶ ମାଧ୍ୟମରେ ଏହି ବିଲ୍ ତିନୋଟିକୁ ପାସ୍ କରେଇ ନେଇଛନ୍ତି । ଏହା ବିଜେପି ସରକାରର ପୁରୁଣା ଅଭ୍ୟାସ ବୋଲି ଆମେ ଗତ କେଇ ବର୍ଷ ହେବ ଦେଖି ଆସୁଛେ ।

ସରକାର ଯେଉଁ ତିନୋଟି ଅଧ୍ୟାଦେଶ ଆଣିଛନ୍ତି ତାହା ହେଉଛି, ୧- କୃଷି ଉତ୍ପାଦ ବିକ୍ରିବଟା ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁଗମକରଣ) ଅଧ୍ୟାଦେଶ-୨୦୨୦, ୨- ଚାଷୀ ମାନଙ୍କୁ (ସଶକ୍ତୀକରଣ ଓ ସୁରକ୍ଷା) ମୂଲ୍ୟର ଭରସା ଓ କୃଷିସେବା ଅଧ୍ୟାଦେଶ-୨୦୨୦, ୩- ଜରୁରୀ ସାମଗ୍ରୀ (ସଂଶୋଧନ) ଅଧ୍ୟାଦେଶ-୨୦୨୦ । ବ୍ୟବହାରିକ ଦୃଷ୍ଟିରୁ ଦେଖିଲେ ଏହି ଅଧ୍ୟାଦେଶ ତିନୋଟିର ଅସଲ ନାମ ହେଉଛି ୧- ଏ.ପି.ଏମ.ସି. ଅତିକ୍ରମଣ ଅଧ୍ୟାଦେଶ, ୨- ଠିକାଚାଷ ଅଧ୍ୟାଦେଶ, ୩- କୃଷି ବ୍ୟବସାୟ (ଖାଦ୍ୟ ଗଚ୍ଛିିତ ରଖିବାର ସ୍ୱାଧୀନତା) ଅଧ୍ୟାଦେଶ । ଏହି ଅଧ୍ୟାଦେଶ ଗୁଡ଼ିକ ଦ୍ୱାରା ଚାଷ କ୍ଷେତ୍ରକୁ କଂପାନୀ ମାନଙ୍କର ପ୍ରବେଶ ଅବାଧ ହୋଇଯିବ ଓ ଚାଷୀ କଂପାନୀର ପୃଥୁଳ ପୁଞ୍ଜି ତଳେ ପେଶି ହୋଇଯିବେ । ଏମିତି ପୂର୍ବରୁ ଆମେରିକା ଓ ୟୁରୋପର ଅନ୍ୟାନ୍ୟ ଦେଶମାନଙ୍କରେ ହୋଇସାରିଛି । ସେଠାରେ ଆଉ କୌଣସି ଛୋଟ ଚାଷୀ ନାହାନ୍ତି । କେବଳ ବହୁତ ବଡ଼ ଜମି ମାଲିକ ଅଛନ୍ତି ନହେଲେ କଂପାନୀ ହାତରେ ଚାଷ ଅଛି ।

ଆମେ ଜାଣିଛେ, ଚାଷୀଙ୍କ ଉତ୍ପାଦକୁ ଉଚିତ୍ ଦାମ୍ ନମିଳିବା ହିଁ ତାଙ୍କ ଦୁର୍ଦ୍ଦିନର ମୂଖ୍ୟ କାରଣ । ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିବା ସତ୍ୱେ ବି ଚାଷୀ ମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । କାରଣ ଏପର୍ଯ୍ୟନ୍ତ ସର୍ବନିମ୍ନ ସହାୟକ ମୂଲ୍ୟକୁ ବ୍ୟବହାରିକ ସ୍ତରରେ କଡ଼ାକଡ଼ି କରାଯାଇନାହିଁ । ଅନେକ ସ୍ଥାନରେ ମଣ୍ଡି ଠିକ୍‌ରେ କାମ କରୁନାହିଁ । ଅନ୍ୟପକ୍ଷରେ ସରକାର ବି ଯେଉଁ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରୁଛନ୍ତି ତାହା ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ ତୁଳନାରେ ବହୁତ କମ୍ । ଏପରି ପରିସ୍ଥିତିରେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି କରି ତାହାକୁ କଡ଼ାକଡ଼ି ଭାବେ ଲାଗୁକରିବା କଥା ନା ଚାଷୀର ଉତ୍ପାଦ କିଣାବିକା କ୍ଷେତ୍ରକୁ ପ୍ରବେଶ କରିବା ପାଇଁ କଂପାନୀ ମାନଙ୍କୁ ଅନୁମତି ଦେଇଦେବା କଥା? ପ୍ରଥମ ଅଧ୍ୟାଦେଶରେ ସରକାର କହୁଛନ୍ତି ଯେ, ଖୋଲା ବଜାରରେ ଚାଷୀ ତାର ଉତ୍ପାଦ ବିକିଲେ ଅଧିକ ଲାଭବାନ ହେବ । ଏହା କେବଳ ଚାଷୀ ମାନଙ୍କୁ ଭୂଆଁ ବୁଲେଇବା କଥା । କାରଣ ଏବେ ବି ଆମ ଦେଶର ମାତ୍ର ୬% ଚାଷୀ ମଣ୍ଡିରେ ଧାନ ବିକ୍ରି କରି ସର୍ବନିମ୍ନ ସହାୟକ ମୂଲ୍ୟ ପାଉଛନ୍ତି ଓ ବାକି ୯୪% ଚାଷୀ ବାହାରେ ଖୋଲା ବଜାରରେ ହିଁ ବିକ୍ରି କରୁଛନ୍ତି । ଆମେ ଦେଖୁଛେ ସେମାନେ କିପରି ଅଭାବି ବିକ୍ରିର ଶିକାର ହେଉଛନ୍ତି । ଏପରି ପରିସ୍ଥିତିରେ ସରକାର ପୁଣି କୃଷି ଉତ୍ପାଦ କିଣାବିକା କ୍ଷେତ୍ରକୁ କର୍ପୋରେଟ୍ ପରି ଲାଭଖୋରା ଲୁଟେରା ମାନଙ୍କୁ ଡାକି ଆଣୁଛନ୍ତି । ଏହା ନିଶ୍ଚିତ ଭାବେ ଚାଷୀଙ୍କ ଲାଭ ପାଇଁ ନୁହେଁ, କେବଳ କଂପାନୀଙ୍କ ଲାଭ ପାଇଁ । ଏଥିରେ ସନ୍ଦେହ ନାହିଁ । ଯଦିଓ ସରକାର କହୁଛନ୍ତି, ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ରହିବ, କିନ୍ତୁ ଥରେ କଂପାନୀ ମାନଙ୍କ ପାଇଁ କ୍ଷେତ୍ର ଖୋଲିଗଲେ ସରକାର ଚାଷୀଙ୍କ ଉତ୍ପାଦ କିଣିବା କାମରୁ ନିଜ ହାତ କାଢ଼ିନେବେ ଓ ବିଚରା ଚାଷୀମାନେ କଂପାନୀଙ୍କ ଜାଲରେ ପଡ଼ିଯିବେ । ଠିକାଚାଷ ଅଧ୍ୟାଦେଶର ଉଦ୍ଦେଶ୍ୟକୁ ବୁଝିବା ବେଶି କଷ୍ଟ ନୁହେଁ । ଚାଷରେ କ୍ଷତି ହେଉଛି ବୋଲି ଚାଷୀ ମାନଙ୍କ ଠାରୁ ଜମି ଠିକାରେ ନେଇ କଂପାନୀ ମାନେ ବ୍ୟବସାୟିକ ଚାଷ କରିବେ । ନିଜ ଜମିରେ ଚାଷୀ ମୂଲିଆ ହୋଇ କାମ କରିବ । ଏହା ଦ୍ୱାରା ଚାଷୀ ଲାଭର ଅଂଶ ପାଇବ ବୋଲି ଯାହା କୁହାଯାଉଛି, ତାହା ବି ଆକାଶ କଇଁଆ ଚିଲିକା ମାଛ ସଦୃଶ । କାରଣ ଥରେ ଚାଷୀ ହାତରୁ ଚାଷ ଜମି, ବିହନ ଓ ଜ୍ଞାନ କୌଶଳ ଚାଲିଗଲେ ତାହା ଆଉ ଚାଷୀ ପାଖକୁ ଫେରି ଆସିବ ନାହିଁ । ଧିରେ ଧିରେ କଂପାନୀ ମାନେ ଲାଭର ଅଂଶ କମେଇବାକୁ ଲାଗିବେ । ସେତେବେଳେ ଚାଷୀ ଚାହିଁଲେ ବି ଆଉ ଚାଷକୁ ଫେରିପାରିବ ନାହିଁ । ଏହା ଦ୍ୱାରା କେବଳ ଚାଷୀ ମାନଙ୍କର କ୍ଷତି ହେବ ନାହିଁ, ଖାଉଟି ମାନେ ବି ପ୍ରଚୁର କ୍ଷତି ସହିବେ । ତୃତୀୟ ଅଧ୍ୟାଦେଶ ମାଧ୍ୟମରେ ସରକାର ଅନେକ ଜରୁରୀ ଖାଦ୍ୟ ସାମଗ୍ରୀକୁ ଆଉ ଜରୁରୀ ତାଲିକାରେ ରଖିବାକୁ ଚାହୁଁନାହାନ୍ତି । ବଡ଼ ବଡ଼ ବ୍ୟବସାୟୀ ଓ କଂପାନୀ ମାନଙ୍କ ପାଇଁ ଖାଦ୍ୟ ଦ୍ରବ୍ୟ ଗଚ୍ଛିତ ରଖିବାର ସୀମା ଆଉ ରହିବ ନାହିଁ । ଫଳରେ ସେମାନେ ବଜାରକୁ ନିଜ ହିସାବରେ ନିୟନ୍ତ୍ରଣ କରିବାକୁ ସକ୍ଷମ ହେବେ । ଏହା ଦ୍ୱାରା କେବଳ ଚାଷୀ ନୁହଁନ୍ତି ଖାଉଟି ମାନେ ବି ପ୍ରଚୁର କ୍ଷତି ସହିବେ । ଅସଲ ଅର୍ଥରେ କହିଲେ, ସରକାର ଏହି ଅଧ୍ୟାଦେଶ ତିନୋଟି ମାଧ୍ୟମରେ କଂପାନୀ ମାନଙ୍କ ସ୍ୱାର୍ଥ ସାଧନ କରିବାକୁ ଯାଉଛନ୍ତି, କେବଳ ଚାଷୀ ମାନଙ୍କ ନାମରେ । ଏହା ସରକାରଙ୍କ ଚାଷୀ ବିରୋଧୀ ମାନସିକତାକୁ ସ୍ପଷ୍ଟ ଉଜାଗର କରୁଛି । ତେଣୁ ଏବେର ଚାଷୀ ଆନ୍ଦୋଳନ କେବଳ ଚାଷୀଙ୍କର ନୁହେଁ, ଏହା ସମଗ୍ର ଦେଶବାସୀଙ୍କର ସ୍ୱାର୍ଥରକ୍ଷାର ଆନ୍ଦୋଳନ ।
ସରକାର ଯଦି ଚାଷୀ ମାନଙ୍କର ଭଲ ଚାହୁଁଛନ୍ତି, ତେବେ ଚାଷୀ ମାନଙ୍କୁ ପୂର୍ଣ୍ଣ ପ୍ରାଣରେ ସହଯୋଗ ଆବଶ୍ୟକ । ଚାଷ କରିବା ଠାରୁ ଆରମ୍ଭ କରି ଉତ୍ପାଦର ବିକ୍ରି ପର୍ଯ୍ୟନ୍ତ । ସରକାର ଓହରି ଗଲେ ଯେ, ଚାଷୀମାନଙ୍କର ଲାଭ ହେବ, ଏହା କେବଳ ଏକ ମରିଚୀକା । ଅଧିକାଂଶ ଫସଲକୁ ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯିବା ଆବଶ୍ୟକ ଓ ଏହାକୁ ବୃଦ୍ଧି କରିବା ସହିତ କଡ଼ାକଡ଼ି ଭାବେ ଲାଗୁକରାଯିବା ଆବଶ୍ୟକ । ପ୍ରଥମତଃ ଚାଷୀ ମାନଙ୍କୁ ସମ୍ମାନ ଦେଇ ଏହି ତିନୋଟି ଅଧ୍ୟାଦେଶକୁ ତୁରନ୍ତ ପ୍ରତ୍ୟାହାର କରିନିଆଯିବା ଆବଶ୍ୟକ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮ ମୋ- ୯୪୩୮୪୬୮୪୭୪