Latest Odisha News

BREAKING NEWS

ଲୋ ରେବି – ଲୋ ନିଆଁ – ଲୋ ହଇଜା

କାହିଁ ଥିଲେ ଫକୀରମୋହନ, କେଉଁଠି ଅଛି ଆମ ଡିଜିଟାଲ ମିଡିଆ?

ଭୁବନେଶ୍ୱର: ଲୋ ରେବି, ଲୋ ନିଆଁ, ଲୋ ଚୁଲି – ପଢ଼ିବା ବେଳେ ବହୁତ କଷ୍ଟ ଅନୁଭବ ହୋଇଥିଲା । ଫକୀରମୋହନ ସେନାପତିଙ୍କ ଆତ୍ମାକୁ କେତେ ବାଧିଥିଲା ଯେ, ୧୮୯୮ ମସିହାରେ ହଇଜାକୁ ତାଙ୍କ ପ୍ରାରମ୍ଭ ଗଳ୍ପରେ ସ୍ଥାନ ଦେଇଥିଲେ ।

ଶହେ ବର୍ଷ ପରେ ଓଡ଼ିଶାରେ ସେପରି ଝାଡ଼ା ବାନ୍ତିରେ ଅନେକ ରେବତୀ ବାପା ଅକାଳରେ ଚାଲିଯାଉଥିଲେ । ରେବତୀ ମାନଙ୍କ ସ୍ୱପ୍ନ ଭାଙ୍ଗିଯାଉଥିଲା । ପରିବାର ମୁରବୀଶୂନ୍ୟ ହୋଇ ଦାଣ୍ଡର ଭିକାରୀ ହୋଇଯାଉଥିଲା । ଚାଉଳ ମାଣେ ପାଇଁ ସୁନା ଗହଣା ଘରର ବାସନ କୁସନ ବନ୍ଧା ପଡୁଥିଲା । ଗାଈ ବନ୍ଧା ପଡୁଥିଲା ।

ଫକୀରମୋହନଙ୍କ ସମୟର ଗଳ୍ପରେ ସେ ଯାହା ଦେଖିଥିଲେ ତାହା ଲେଖିଥିଲେ । ରେବତୀ ଗଳ୍ପର ଶହେ ବର୍ଷ ପରେ ୧୯୯୮ ମସିହା ବେଳକୁ ନବେ ଦଶକର ଓଡ଼ିଶାର ଅନେକ ଜିଲ୍ଲାର ଚିତ୍ର କିଛି ବଦଳିନଥିଲା । ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଅଭାବରେ କୋରାପୁଟ, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି ଅବସ୍ଥା ଯାହା ଖବର କାଗଜରେ ଛପୁଥିଲା ତାକୁ ପଢ଼ି ଛାତି ଥରୁଥିଲା । ପ୍ରଧାନମନ୍ତ୍ରୀ ମଧ୍ୟ ଆଶ୍ୱାସନା ଦେବାକୁ ଆସୁଥିଲେ ।

ଅବଶ୍ୟ ରେବତୀ ଗଳ୍ପର ୧୨୪ ବର୍ଷ ପରେ ଚାଉଳ ପାଇଁ ଲୋକେ ପର ଦୁଆରେ ହାତ ପତଉନାହାନ୍ତି । କିନ୍ତୁ ସେହି ରାୟଗଡ଼ା, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରିବାସୀଙ୍କ ସ୍ୱାସ୍ଥ୍ୟ ଭିତ୍ତିଭୂମି କେତେ ବଦଳିଛି ଏହି ମାସେ ମଧ୍ୟରେ ଦେଖିଲେ ଛାତି ଥରିଯାଉଛି ।

ରେବତୀ ଗଳ୍ପରେ ସେଦିନ ରେବତୀର ଜେଜେମା ଭାବୁଥିଲା ନାତୁଣୀର ପାଠ ପଢ଼ା ଯୋଗୁଁ ହଇଜା ଆସିଲା । ରେବତୀର ବାପା, ମାଆ, ମାଷ୍ଟ୍ରେଙ୍କ ପ୍ରାଣ ନେଲା । ଆଉ ଯଦି ରେବତୀର ପ୍ରାଣ ନିଏ ତେବେ ସେ କିଛି କରିପାରିବ ନାହିଁ । କାରଣ ଏହା କର୍ମର ଫଳ । ରେବତୀର ଜେଜେ ମା ସେ ସମୟରେ ସିନା ପାଠ କିଛି ପଢ଼ିନଥିଲା । ହଇଜା ବାବଦରେ ସଚେତନ ନଥିଲା ।

ସେ ସମୟର ପରିବେଶ ସ୍ୱାସ୍ଥ୍ୟ ଅନୁକୂଳ ନଥିଲା । ମେଡିକାଲ ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚିନଥିଲା । କିନ୍ତୁ ରେବତୀ କେବେ ବି ଭାବିନଥିଲା ଯେ ତା ପଢ଼ା ସହ ହଇଜାର କିଛି ସଂପର୍କ ଅଛି । କାଳର ଚକ୍ରାନ୍ତ ରେବତୀକୁ ଏକା କରିଦେଲା । ହସ ଖୁସିରେ କାହା ଆଗରେ ହାତ ପାତୁନଥିବା ଶ୍ୟାମବନ୍ଧୁ ପରିବାର ହଇଜା ଆକ୍ରାନ୍ତରେ କିପରି ନିଶ୍ଚିହ୍ନ ହୋଇଗଲା  ।

ରେବତୀର ପାଠ ପଢ଼ା ସ୍ୱପ୍ନ ସ୍ୱପ୍ନରେ ରହିଗଲା । ନିଜ ଗାଁ ଛାଡ଼ି ବାହାର ଗାଁକୁ ଯାଇ ପିଲାଙ୍କୁ ପାଠ ପଢ଼ାଇ ଭଲ ମଣିଷ ଗଢ଼ିବାକୁ ମାଷ୍ଟ୍ରେଙ୍କ ଯେଉଁ ଆଶା ଥିଲା ତାହା ମଧ୍ୟ ଅଧାରେ ରହିଗଲା ।

ଏସବୁ ଆଜିର ଦିନରେ କହିବାର କଥା – ଓଡ଼ିଶାର ଏ ଯେଉଁ ଚିତ୍ର ପୁଣି ଫେରୁଛି କାହିଁକି? ସେଥିପାଇଁ କିଏ ଦାୟୀ? ସେଦିନର ଜମିଦାର ପାଉତି କାଟି ଟଙ୍କା ନେଇ ଅୟସ ଆରାମ କରୁଥିଲା । ଅଥଚ ପାଉତି କାଟୁଥିବା ଲୋକ, ଦେଉଥିବା ଲୋକର ଜୀବନ ବଞ୍ଚିବାର ଅଧିକାର ପାଇଁ କିଛି କରୁନଥିଲା । ସେ ମଲା କି ହଜିଲା ତାର ଦାୟିତ୍ୱ ନେଉନଥିଲା । ଯାହାର ଫଳ ସ୍ୱରୂପ ରେବତୀର ବାପା ଜମିଦାର ପାଇଁ ପାଉତି କାଟି ପଇସା ଦେଉଥିଲେ । କିନ୍ତୁ ତାଙ୍କର ବିପତ୍ତି ସମୟରେ ନା ଗାଁ ଭାଇ, ନା ବନ୍ଧୁ, ନା ଜମିଦାର କେହି ବି ରେବତୀର ପରିବାରକୁ ବଂଚାଇବାକୁ ଆଗେଇ ଆସିନଥିଲେ ।

ସେ ସମୟରେ ମଧ୍ୟ ଗାଁରେ ପୋଖରୀରୁ ପାଣି ନେଇ, ଗଡ଼ିଆରୁ ପାଣି ନେଇ ସମସ୍ତେ ପିଇବା, ରୋଷେଇ କାର୍ଯ୍ୟ କରୁଥିଲେ । ହେଲେ ଆଜି ତ ସମୟ ପୂରା ବଦଳିଛି । ଏବେ ଜମିଦାରଙ୍କ ଏକଛତ୍ରବାଦୀ ନୀତି ନାହିଁ । ନିଜ ସରକାର ଚାଲିଛି, ଲୋକଙ୍କ ସରକାର । ନିଜ ନେତା ଆଇନ କରୁଛନ୍ତି । ସମାନ ପ୍ରକାର ବଞ୍ଚିବାର ଅଧିକାର ପାଇଁ ସମ୍ବିଧାନ ରହିଛି ।

ତେବେ ପୁଣି ସେଇ ରେବତୀ ଅନାଥ କାହିଁ ହେଉଛି?  ରେବତୀ କାହିଁକି ପାଠ ପଢ଼ିପାରିବ ନାହିଁ?  ସେ କାହିଁକି ଅନାଥ ହେବ? ହଇଜାରେ କାହିଁକି ସେ ତା ବାପା ମାଆଙ୍କୁ ହରାଇବ ସେ ପ୍ରଶ୍ନର ଉତ୍ତର ମଧ୍ୟ ଦେବାର ଅଛି ଆମକୁ ।

ଫକୀରମୋହନଙ୍କ ଶ୍ୟାମବନ୍ଧୁ ହୁଅନ୍ତୁ କି କାଶୀପୁରର ଝାନ ମାଝୀ, ଡାଲମି ମାଝୀ, କାନେଇ ମାଝି , ରଜନୀ ଝୋଡ଼ିଆ, ଅଞ୍ଜ ଝୋଡ଼ିଆ , ସବିତା ନାୟକ,  ଧୋବା ମାଝି,  ଅର୍ଜୁନ ଜାନି, ଅଗଧୁଆ ଗରଦା, ଏମିତି ଆଉ କେତେ ଅଛନ୍ତି । ଏମାନେ ଚାଲିଯିବା ପରେ ସେମାନଙ୍କ ପରିବାର କିପରି ଚଳିବ?  ଏଥିପାଇଁ ସରକାର ଯେଉଁ ଆର୍ଥିକ ସହାୟତା ଦେଉଛନ୍ତି ତାହା ଯଥେଷ୍ଟ କି?

ପୁଣି ଫେରିବା ଫକୀରମୋହନଙ୍କ ଯୁଗକୁ । ତାଙ୍କ ପୂର୍ବର ଲେଖକମାନେ ପୁରାଣ, ଭକ୍ତି, କାବ୍ୟ, ଅଳଙ୍କାରିକ ଗୀତ, ଭକ୍ତି ଗୀତ, ଜଣାଣ, ଭଜନ, ରାଧାକୃଷ୍ଣଙ୍କୁ ନେଇ ଅନେକ କବିତା ରଚନା କରିଥିଲେ । ଫକୀରମୋହନଙ୍କ ସମୟ ବେଳକୁ ପାଶ୍ଚାତ୍ୟ ସାହିତ୍ୟ ଶିକ୍ଷା ଯୋଗୁଁ ଓଡ଼ିଶାରେ ପାଶ୍ଚାତ୍ୟ ସାହିତ୍ୟ ପଶି ସାରିଥିଲା । ଆଧୁନିକ ଆଲେଖ୍ୟ ମାନ ଲେଖା ହେଉଥିଲା ।

ଅବଶ୍ୟ ସେ ସମୟରେ ଇଂରେଜ ଶାସନ ଚାଲିଥିବାରୁ ଫକୀରମୋହନ ରେବତୀ ଗପରେ ହଇଜା ପାଇଁ କିଏ ଦୋଷୀ ଲେଖି ନାହାଁନ୍ତି । ସରକାରଙ୍କ ଆଡ଼କୁ ଶବ୍ଦ ପଦେ ଉଞ୍ଚେଇ ନାହାନ୍ତି । ସେ ଚମତ୍କାର ଭାବେ ତାକୁ ପାଠକମାନେ ହୃଦୟଙ୍ଗମ କରିବାକୁ ଛାଡ଼ି ଦେଇଛନ୍ତି ।

ଆଉ ଫକୀରମୋହନଙ୍କ ସମସାମୟିକ ଲେଖକମାନେ ଗଙ୍ଗାଧର ମେହେର, ମଧୁସୁଦନ ରାଓ, ନନ୍ଦକିଶୋର ବଳ, ରାଧାନାଥ ରାୟ ଏସମସ୍ତେ ଅନେକ ଭିନ୍ନ ଭିନ୍ନ ଲେଖା ଲେଖିଥିଲେ । କିନ୍ତୁ ସମାଜରେ ହଇଜା ଭଳି ମାରାତ୍ମକ ରୋଗ କିପରି ବଂଶ ନିପାତ କରିପାରେ ସେ ବିଷୟରେ ଫକୀରମୋହନ ହିଁ ଲେଖିଛନ୍ତି । ଯେପରି ରେବତୀ ରଚନା ହୋଇଛି । ଗପ ମାଧ୍ୟମରେ ସମାଜକୁ ବାର୍ତ୍ତା ଦେଇଛନ୍ତି । ତାହା କେହି କରିପାରିନାହାଁନ୍ତି ।

ଏହା ପରୋକ୍ଷରେ ଇଂରେଜ ସରକାରଙ୍କୁ ମଧ୍ୟ ଅପମାନ । ସେହି କଥା ଯଦି ଆଜି କୁହାଯାଏ । ତାହେଲେ ଶୁଣିବାରେ ଅସୁବିଧା କେଉଁଠି ।  ଆଜି ବି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶତ ପ୍ରତିଶତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇପାରିନି । ସ୍ୱାଧୀନତାର ୭୫ ବର୍ଷ ପରେ ଯଦି ବିଶୁଦ୍ଧ ପାଣି ପାଇବା ପାଇଁ ଲୋକେ ନଈ, ନାଳ ବଣ ପାହାଡ଼ ଡେଇଁ ଗରା ମାଠିଆ ଧରି ବୁଲିବେ! ଏହା ଏକ ବିରାଟ ଚିନ୍ତା ନୁହେଁ କି?

ସେ ସମୟରେ ରେବତୀ ପାଠ ପଢ଼ିବା ପାଇଁ ସିନା କିଛି ନଥିଲା । ଆଜି ତ ଶହଶହ କୋଟି ରେବତୀମାନଙ୍କ ପାଠ ପଢ଼ାପାଇଁ ବଜେଟ୍ ହେଉଛି । ହେଲେ ରେବତୀ ପଢ଼ୁନାହାଁନ୍ତି କାହିଁକି? ଗରା, ବାଲଟି ଧରି ପିଇବା ପାଇଁ ଆଜି ଟ୍ୟାଙ୍କର ପାଖେ ଲୋକେ ଯେପରି ଧାଡ଼ି ବାନ୍ଧୁଛନ୍ତି । ତା’ ଠାରୁ ଅଧିକ ଲଜ୍ଜା ଆଉ କଣ?

ଯେଉଁମାନଙ୍କ ଗୋଟିଏ ଗୋଟିଏ ଟଙ୍କାରେ ଆମକୁ ଲକ୍ଷେ ଟଙ୍କା ଦରମା ପାଉନି । ପୁଣି ଦରମା ବଢ଼ାଇବା ପାଇଁ ଆମେ କମିଟି କରୁଛେ ଆଉ ବଢ଼ୁଛି ମଧ୍ୟ । ଆଉ କେତେ ଶହ ବର୍ଷ ପରେ ସାଧାରଣ ଲୋକଙ୍କୁ ପିଇବା ପାଣି ପାଇଁ ଲୋକଙ୍କୁ ନିର୍ଯାତନା ଦେବାକୁ ପଡ଼ିବ?

ଏହା ସରକାରଙ୍କ ଦୋଷ ନା ବ୍ୟବସ୍ଥାର ଭୁଲ, ତାହା ସଚେତନ ନାଗରିକ ଅଳ୍ପ ବହୁତେ ଜାଣନ୍ତି । କିନ୍ତୁ ସମସ୍ତଙ୍କୁ ଏଇଟା ଜଣେଇବା ଯାହା ଦାୟିତ୍ୱ । ସିଏ ତ ଟୁଙ୍ଗୁରୁ, ପରକୀୟା, ଭୂତ, ପ୍ରେତ, ବାବୁସାନ, ପ୍ରକୃତି ପଛରେ ହାଲିଆ । ଲୋକଙ୍କ ସମସ୍ୟା ଆଖି ଆଗରେ ଖେଞ୍ଚି ହେଉଥିଲେ ବି ତାଙ୍କୁ ଦିଶୁନି । ଆମ ନେତାଙ୍କୁ ତ ଇଡି, ସିବିଆଇ ଡର, ଟିକେଟ ଆଉ ଦରମା ଲୋଭ ।

କାହିଁ ଇଂରେଜ ଅମଳରେ ଲେଖନୀ ଚାଳକ ଫକୀର ମୋହନ ଆଉ କାହିଁ ଆଜିର ଡିଜିଟାଲ ମିଡିଆ । ଆଉ ତଥାକଥିତ ବୟସରେ ଯୁବ କାମରେ ବରିଷ୍ଠ ସାମ୍ବାଦିକ । ଆଉ ଅତି ବରିଷ୍ଠ ସମ୍ମାନନୀୟ ଡେପୁଟି ଏଡିଟର ଏବଂ ଏଡିଟର ମହୋଦୟ । ଫକୀରମୋହନଙ୍କ ସମୟ ଆଉ ଆଜିର ସମୟ ଆକାଶ ପାତାଳ ଫରକ । କିନ୍ତୁ ସେ ସମୟରେ ସବୁ ପ୍ରତିବନ୍ଧକ ସତ୍ତ୍ୱେ ସେ ଯାହା କରି ଦେଖାଇଛନ୍ତି । ଆଜି ସବୁ ସୁବିଧା ଥାଇ ବି ଆମ ମିଡିଆ ଦିଗହରା । ସ୍ୱାଧୀନ ହୋଇ ବି ହାତ ବନ୍ଧା ।

ଆଉ ଆଜିର ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ହିସାବରେ ଆମକୁ ରାଜଧାନୀରେ ଘର ଖଣ୍ଡେ ମିଳିଗଲେ ହେଲା । ଚାରି ଚକିଆ ଗାଡ଼ିଟେ ମିଳିଗଲେ ଆରାମ । ଏତିକିରେ ସନ୍ତୁଷ୍ଟ । ନେତାଙ୍କୁ ଭାଇ ଭାଇ ଡାକି ପାଖରେ ବସି ପଡ଼ିଲେ, ଛାତି ଚଉଡ଼ା ।

ୟାକୁ ଏଠୁ ସେଠିକି, ତାକୁ ଏଠିକି ଆଣି କିଛି ଗୋଟେ ପୃଥିବୀ ଓଲଟାଇ ଦେଇଥିବାରୁ ପ୍ରତିଷ୍ଠା ସମ୍ମାନ ଦରକାର। ହଇଜାରେ କିଏ ମରୁ! ମଶା ପାଇଁ କିଏ ମରୁ । ସେଥିରେ କଣ ଯାଉଛି? ଆମେ ତ ଡବଲ ଡୋଜ୍ ନେଇଛୁ ।

ସେଦିନ କଟକରେ ହଇଜା ଦେଖିଥିଲେ ଫକୀରମୋହନ । ଆଜି କାଶୀପୁରରେ ସାରା ଓଡ଼ିଶାର ସାମ୍ବାଦିକ, ଲେଖକ, ବୁଦ୍ଧିଜୀବୀ ଦେଖୁଛନ୍ତି ହଇଜା । ପ୍ରସାରଣ କରୁନାହାନ୍ତି କି ଆଉ ଦୁନିଆକୁ ଦେଖଉନାହାନ୍ତି । ଟିଭି, ମୋବାଇଲ ଖୋଲିଲେ ବାବୁସାନ୍ ପ୍ରକୃତି କଳି । କାଶୀପୁର ଖବର କୁଆଡ଼େ ଲୋକ ଦେଖୁନାହାନ୍ତି! ପର ଘର କଳି ଦେଖିବାକୁ କୁଆଡ଼େ ଦର୍ଶକ ଚାହୁଁଛନ୍ତି । ମେଲ୍ କରୁଛନ୍ତି କି ହ୍ୱାଟ୍ସଆପ୍ । ଯାହା ପାଖକୁ ଆସୁଛି ସେ ତାକୁ ଗୋପନୀୟତା ଅଧିକାର ବଳରେ ଲୁଚାଇ ରଖୁଛନ୍ତି ।

କାଶୀପୁର ଖବରକୁ ସେତିକି ସ୍ଥାନ ମିଳୁନି ବୋଲି କିଛି ଜଣ ସ୍ୱର ଉଠାଇଥିଲେ । ତାଙ୍କୁ ତ ପ୍ରାଇମ ଟାଇମରେ କହିଲେ, ରିମୋଟ୍ ଧରିଛି ଚ୍ୟାନେଲ ବଦଳେଇ ଦିଅ । ମୋବାଇଲ ଧରିଛି ସ୍କ୍ରଲ କରିଦିଅ । ହେଲେ ଦର୍ଶକଙ୍କ ଅନୁତାପ- ଚ୍ୟାନେଲ ବଦଳେଇଲେ ସେଇ ଖବର । ମୋବାଇଲ ସ୍କ୍ରଲ କରିଦେଲେ- “ମୋ ସ୍ୱାମୀଙ୍କ ଅନେକ ସ୍ତ୍ରୀ” ।

ସ୍ୱର ଉଠାଇଥିବା ଲୋକଙ୍କ ସଂଖ୍ୟା କମ୍ ହେତୁ ତାଙ୍କ କଣ୍ଠ ଦରଜ ହେଇଗଲା । ଅନ୍ୟ ଖବରକୁ ନେଇ ଯେମିତି ବାଦି ପାଲା, ଠିଆ ପରିବେଷଣ ହେଉଛି । ସେଇ ପରିଶ୍ରମ ଯଦି ରେବତୀ ବାପାଙ୍କ ପାଇଁ ହୁଅନ୍ତା । ସାମ୍ବାଦିକତା ବୃତ୍ତି ଦିନକ ପାଇଁ ହେଲେ ସାର୍ଥକ ହୁଅନ୍ତା ।

ଦରଦାମ ବଢ଼ିଲେ, ତୈଳ ଦର ବଢ଼ିଲେ, ଦଳ ମାଲିକଙ୍କୁ ଇଡି ଜେରା କଲେ, ବିଧାୟକଙ୍କୁ ବିଡିଓ ମାରିଲେ ଯେପରି ଓଡ଼ିଶା ବନ୍ଦ, ଭାରତ ଡାକରା ଦିଆଯାଉଛି । ହେଲେ ଶହଶହ ବର୍ଷ ଧରି ଓଡ଼ିଶାକୁ କବଳ କରିଥିବା ଏଭଳି ମହାମାରୀ ପାଇଁ ବନ୍ଦ ଡାକରା କେବେ କେହି ଘୋଷଣା କରୁନାହାଁନ୍ତି ତ ।

ଏହା ସତ ଯେ ଗତ ୨୦ ବର୍ଷ ଭିତରେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି କିଛିଟା ବଦଳିଛି । ତାହା କେବଳ ରାଜଧାନୀରେ । ଆଉ କିଛି କିଛି ସହରରେ । ତେବେ ଭୁବନେଶ୍ୱର ତ ଓଡ଼ିଶା ନୁହଁ । ଯେଉଁଠିକି ସରକାରୀ ଡାକ୍ତର ଯିବାକୁ ଇନସେନଟିଭ ଦିଆଯାଉଛି । ସେଠା କଥା ଟିକେ ବିଚାର କରାଯାଉ ।

ଲୋ ରେବି- ଲୋ ଚୁଲି- ଲୋ ନିଆଁକୁ ଆଜି ବି ଲୋକ ଅନୁଭବ କରୁଛନ୍ତି । କଣ ଏମିତି ଶହ ଶହ ବର୍ଷ ଧରି ଅନୁଭବ କରୁଥିବେ କି? ଫକୀରମୋହନଙ୍କ କଟକ ଆଉ ଏବେ କାଶୀପୁର ପୁଣି କନ୍ଧମାଳଠୁ ଆରମ୍ଭ କରି ଓଡ଼ିଶାର କୋଣ ଅନୁକୋଣରେ କଣ ଏମିତି ବର୍ଷ ବର୍ଷ ଧରି ରେବତୀ ମୁଣ୍ଡ ପିଟିବ?

ଅଦିନରେ ବାପ ହରା ହେଇ ସ୍ୱପ୍ନ ମାରି ସେ କଣ ଏମିତି ଅନ୍ତର୍ଧାନ ହୋଇଯାଉଥିବ କି? ଏଭଳି ଶହ ଶହ ପ୍ରଶ୍ନ ର ଉତ୍ତର ଆପଣଙ୍କୁ ଦେବାକୁ ପଡ଼ିବ। କାରଣ ଏବେ ଆପଣ ଦାୟିତ୍ୱ ନେଇଛନ୍ତି ।

ସେଦିନ ଜମିଦାର ସିନା ତା ଦାୟିତ୍ୱ କଣ ବୁଝିନଥିଲା । ତାକୁ କେହି ହିସାବ ମାଗିବାକୁ ସାହସ କରୁନଥିଲେ । ଏବେ ତ ଆପଣଙ୍କ ଗଣତନ୍ତ୍ର ସରକାର ଚାଲିଛି । ଆଉ ଆପଣ ହିଁ ସରକାର । ଆପଣ ନିଜ ଆଡୁ ହିସାବ ଦେଉଛନ୍ତି । ଆଉ କେହି ରେବତୀ ଲେଖିପାରିବେ କି ନାହିଁ ତା ସନ୍ଦେହ!

ତେଣୁ ଯେଉଁ ସମସ୍ୟା ଫକୀରମୋହନଙ୍କ ଲେଖନୀକୁ ଅବିରତ ଲେଖିବାକୁ ବାଧ୍ୟ କରିଥିଲା । ଏବେର ବ୍ୟୟବହୁଳ ସରକାରଙ୍କୁ କଣ ସମାଧାନ ବାଟ କାଢ଼ିବାକୁ ଗଣମାଧ୍ୟମ ତାର ମୂଳ ଦାୟିତ୍ୱ ତୁଲେଇପାରିବନି ।

ତେଣୁ ଏହା ଉପରେ ଆଉ ଅଧିକ ଲେଖିବା ବି ଠିକ୍ ନୁହେଁ । କେବଳ ଏତିକି କହିବା କଥା । ଦେଖିବାକୁ ବାକି ରହିଲା ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ଅବସ୍ଥାକୁ ଯୁଦ୍ଧକାଳୀନ ଭିତ୍ତିରେ ସୁଧାରିବାକୁ କେବେ ସରକାର ନିଷ୍ପତ୍ତି ନେବେ । ବାକି ରହିଲା ଆଉ କେବେ ଓଡ଼ିଶାର ଗଣମାଧ୍ୟମ ତୃଣମୂଳ ସ୍ଥରରୁ ସ୍ଥିତି ଯାଞ୍ଚ କରୁଛି ।

ଏ ଓଡ଼ିଶାରୁ ହଇଜାରେ ଆଉ ଲୋକ ମରିବ ନାହିଁ ତାହା ମଧ୍ୟ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.