Latest Odisha News

BREAKING NEWS

ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ; ବାପା ପୁଅ ମୃତ, ସେପଟେ ଖବର ପାଇ ହୃଦଘାତରେ ଚାଲିଗଲେ ଦାଦା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପିପିଳିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ଚାଲିଗଲା ଦୁଇଟି ଜୀବନ । ମୃତକଙ୍କ ଘର ଘଟଗାଁ ଥାନା ଅଧୀନ ବାରିଗାଁରେ ବୋଲି ଜଣାପଡିଛି । ତେବେ ଉଭୟ ସମ୍ପର୍କରେ ବାପା ପୁଅ ହେବେ ବୋଲି ସୂଚନା ରହିଛି ।

ଖବର ମୁତାବକ, ଆଜି ସକାଳୁ ବାପା କାଣ୍ଡେ ମୁଣ୍ଡା(୫୭) ଓ ପୁଅ ଲକ୍ଷ୍ମଣ ମୁଣ୍ଡା (୩୫) ଏକ ସ୍କୁଟି ଯୋଗେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଯାଉଥିଲେ । ଏହି ସମୟରେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟକୁ ଆସୁଥିବା ଏକ ଲୁହା ଛଡ ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାପପୁଅଙ୍କର ମୃତ୍ୟୁ ଘଟିଥିଲା ।

ସଡ଼କ ଦୁର୍ଘଟଣାରେ ବଡ଼ ଭାଇ ଓ ପୁତୁରାଙ୍କ ମୃତ୍ୟୁ ଘଟିଥିବା ଖବର ପାଇ ଗାଁରେ ଲକ୍ଷ୍ମଣଙ୍କ ଦାଦା ସମରା ମୁଣ୍ଡାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ଘଟଣା ପରେ ଉତ୍ତ୍ୟକ୍ତ ଲୋକ କ୍ଷତିପୁରଣ ଦାବିରେ ଜାତୀୟ ରାଜପଥ-୨୦କୁ ଅବରୋଧ କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ତେବେ ଗୋଟିଏ ପରିବାରର ଏକା ସାଙ୍ଗରେ ୩ ଜଣଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାରର ଅନ୍ୟ ସଦସ୍ୟ ମାନେ । ଛାତି ଫଟା କାନ୍ଦରେ ଫାଟିପଡ଼ୁଛି ବାରିଗାଁ ।

Leave A Reply

Your email address will not be published.