ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ
ଓଡ଼ିଶାରେ ରଜ ଏକ ପାରମ୍ପରିକ ପର୍ବ । ଏହାକୁ ମଧ୍ୟ ଗଣପର୍ବ କୁହାଯାଏ । ନିପଟ ପଲ୍ଲୀ ଗାଁ ଗହଳଳି ଠାରୁ ଆରମ୍ଭ କରି ସହର ଯାଏଁ ଏହି ପର୍ବ ଧୁମଧାମରେ ଚାରି ଦିନ ଧରି ପାଳିତ ହୋଇଥାଏ । ଏହା ମିଥୁନ ମାସର ଦ୍ଵିତୀୟ ଦିନରୁ ଆରମ୍ଭ ହୋଇଥାଏ । ରଜ ସଂକ୍ରାନ୍ତିର ପୂର୍ବଦିନକୁ ପହିଲି ରଜ, ଦ୍ଵିତୀୟ ଦିନକୁ ରଜ ସଂକ୍ରାନ୍ତି, ତୃତୀୟ ଦିନକୁ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିନକୁ ବସୁମତୀ ସ୍ନାନ ଭାବରେ ପାଳନ କରାଯାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ଵଳା ବୋଲି ବୁଝାଯାଏ । “ରଜସ୍ ” ଶବ୍ଦରୁ “ରଜ “ର ସୃଷ୍ଟି ବୋଲି ବିଶ୍ଵାସ ରହିଛି। ଏହି ଶବ୍ଦର ଅର୍ଥ ରଜସ୍ୱଳା ବା ଯାହାକୁ ଋତୁମତୀ କୁହାଯାଏ । ଆମର ପରମ୍ପରା ଓ ବିଶ୍ୱାସ ଅନୁଯାୟୀ ବସୁମତୀ ଏହି ତିନି ଦିନ ରଜସ୍ୱଳା ହୁଏ । ବସୁମତୀ ରଜସ୍ୱଳା ହେବାର ଅର୍ଥ ନୂଆ ଶସ୍ୟ ଅଙ୍କୁରିତ ହେବାର ପ୍ରତୀକାତ୍ମକ ଭାବ ବହନ କରିଥାଏ । ଏହା ପରେ ବଷର୍କ ପାଇଁ ସେ ହୁଏ ସୃଜନଶୀଳା । ତେଣୁ ଉକ୍ତ ତିନି ଦିନ ପାଇଁ କୃଷକମାନେ ‘ବସୁମତୀ ତଥା ହଳଲଙ୍ଗଳ ପୂଜା କରି କୃଷିକର୍ମରୁ ଅବ୍ୟାହତ ନେଇ ବସୁମାତାକୁ ବିଶ୍ରାମ ଦିଅନ୍ତି । ଭିନ୍ନ ଅର୍ଥରେ କହିଲେ ଯେପରି ଏକ ରଜସ୍ଵଳା ନାରୀ ମୋଟ ଚାରି ଦିନ ପାଇଁ ଅଛୁତ ରୁହେ ସେପରି ବସୁଧା ମାତାକୁ ଅକ୍ଷତ ଓ ଅସ୍ପୁର୍ଶ୍ୟ ରଖାଯାଏ । ବସୁମତୀ ନିଜେ ରଜସ୍ରାବିତ ହୋଇ ନିଜ ସନ୍ତାନ ପାଇଁ ଶସ୍ୟ ଉତ୍ପାଦନକ୍ଷମତା ବଢାଏ । ଓଡ଼ିଶାର କେଉଁ ପ୍ରାଚୀନ କାଳରୁ ଏହା ବିଧିବଦ୍ଧ ଭାବରେ ପାଳିତ ହୋଇଆସୁଥିବାରୁ ଏହାକୁ ମଧ୍ୟ ଏକ କୃଷିଭିତିକ ପର୍ବ ଭାବେ ଗ୍ରହଣ କରାଯାଇଛି ।
ରଜ ପର୍ବର ଉତ୍ପତି, ବିକାଶ ଓ ସ୍ୱରୂପର ଅୟମାରମ୍ଭ କାଳ ସମ୍ପର୍କରେ ସେଭଳି କୌଣସି ଯଥାର୍ଥ ପ୍ରାମାଣିକ ତଥ୍ୟ ଅଦ୍ୟାବଧି ନିର୍ଣ୍ଣୟ ହୋଇ ନଥିଲେ ମଧ୍ୟ କିମ୍ବଦନ୍ତୀ ରେ ଏହାର ପ୍ରାଚୀନତା ଯଥେଷ୍ଟ ସାର୍ବଜନୀନ ଅଟେ । ଉତ୍କଳୀୟ ସାଂସ୍କୃତିକ ପରମ୍ପରା ସୁପ୍ରାଚୀନ ନିର୍ଦିଷ୍ଟ ଶୃଙ୍ଖଳାବୋଧ ସମନ୍ୱିତ ଚେତନା ସହିତ ଉଡ୍ର ସଂସ୍କୃତିର ମୌଳିକତା, ବୈଦିକ ସଂସ୍କୃତିର ଗାମ୍ଭୀର୍ଯ୍ୟ, ବୈଷ୍ଣବ ପରମ୍ପରାର ଆତ୍ମୀୟତା ତଥା ଚୈତନ୍ୟ ପରମ୍ପରାର ସତ୍ତ୍ୱପ୍ରେମର ଅପୂର୍ବ ସମନ୍ୱୟରେ ଉନ୍ମେଷିତ ଓ ବିକଶିତ ହୋଇଛି । ତେଣୁ ଉତ୍କଳୀୟ ପର୍ବପର୍ବାଣୀ ସାମାଜିକ ପରିବେଶ ମଧ୍ୟରେ ଗୌରବାନ୍ୱିତ ହୋଇଛି । ଓଡ଼ିଶାର ହଜାର ହଜାର ବର୍ଷର ଏକ ଗୌରବୋଜ୍ୱଳ ସାଂସ୍କୃତିକ ମହୋତ୍ସବର ଲୁକ୍କାୟିତ ଐତିହ୍ୟର ସଂସ୍କୃତିର ପର୍ବ ହେଉଛି ରଜ । ପ୍ରାଚୀନକାଳରୁ ଏହି ମହୋତ୍ସବ ସାମାଜିକ ସରସତା ଓ ସାମୂହିକତାର ସ୍ୱର ବହନ କରି ଓଡ଼ିଆ ଜାତିକୁ ଅହେତୁକ ଆନନ୍ଦ, ଉଲ୍ଲାସ, ଉଦ୍ଦିପନା ତଥା ସ୍ୱଜାତ୍ୟାଭିମାନର ପ୍ରେରଣା ପ୍ରଦାନ କରି ଆସିଛି । ରଜ ମହୋତ୍ସବ ଅବସରରେ ଅଗଣିତ ଓଡ଼ିଆ ନିଜ ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ସ୍ୱାଭିମାନରେ ଭାବାତ୍ମକ, ଚେତନାତ୍ମକ ଐକ୍ୟର ଗୌରବରେ ଉଲ୍ଲସିତ ହୋଇ ଆସିଛନ୍ତି ।
ଏହି ରଜ ମହୋତ୍ସବକୁ ଓଡ଼ିଆ ଜାତିର ଜାତୀୟ ମହୋତ୍ସବ ଭାବେ ଗ୍ରହଣ କରାଯାଏ । କିମ୍ବଦନ୍ତୀ ବହୁଳ ରଜ ମହୋତ୍ସବ ବିଷୟରେ ବିଭିନ୍ନ ପୌରାଣିକ ଓ ସାମାଜିକ ପୃଷ୍ଠଭୂମି ଲୁଚି ରହିଛି । ଲଙ୍କାରେ ରାକ୍ଷସମାନଙ୍କର ମହା ପ୍ରତାପୀ ରାଜା ରାବଣ ରାଜୁତି କରୁଥିବା ସମୟରେ ମୟଦାନବ ନାମରେ ଆଉ ଜଣେ ରାଜା ଭିନ୍ନ ଏକ ରାଜ୍ୟରେ ଶାସନ କରୁଥିଲେ । ଦୁହେଁ ରାକ୍ଷସମାନଙ୍କର ରାଜା ହୋଇଥିବାରୁ ଉଭୟଙ୍କ ମଧ୍ୟରେ ଖୁବ ନିବିଡ଼ ସମ୍ପର୍କ ଥିଲା । ରାବଣ ମୟଙ୍କ ଦରବାରକୁ ଯିବା ଆସିବା କରୁଥିଲା । ରାଜା ମୟଙ୍କର ମନ୍ଦୋଦରୀ ନାମରେ ଅତି ସୁନ୍ଦରୀ କନ୍ୟାଟିଏ ଥିଲା । ରାବଣ ପ୍ରତିଭାବାନ, ବୀର ଓ ସୁନ୍ଦର ଥିବାରୁ ଉଭୟେ ପରସ୍ପର ପ୍ରତି ଆକର୍ଷିତ ହେଲେ ଓ ମନ୍ଦୋଦରୀ ଅନ୍ତସତ୍ତ୍ୱା ହେଲେ । ମନ୍ଦୋଦରୀଙ୍କ ଠାରୁ ଅତି ସୁନ୍ଦରୀ କନ୍ୟାଟିଏ ଜନ୍ମ ନେବା ଫଳରେ ପିତା-ମାତାଙ୍କ ପାଇଁ ବଦନାମର କାରଣ ହେଲା । ଅବିବାହିତ ମନ୍ଦୋଦରୀ କନ୍ୟା ଜନନୀ ହେବା ବାସ୍ତବିକ ସମାଜରେ ଲୋକ ଲଜ୍ଜା ଓ କଳଙ୍କ । ଏଣୁ ରାଜା ମୟ ଉକ୍ତ ଶିଶୁ କନ୍ୟାକୁ ବିଳମ୍ବିତ ରାତ୍ରରେ ଦୂର ରାଜ୍ୟରେ ଥିବା ମିଥିଳା ନଗରକୁ ନେଇ ଗୁପ୍ତ ଭାବରେ ଗାତ ଖୋଳି ପୋତି ଦେଇଥିଲେ । ଏହି ଶିଶୁ କନ୍ୟାଟିକୁ ମିଥିଳା ରାଜ୍ୟରେ ପୋତି ଦେଇଥିବା କାରଣରୁ ମିଥିଳାରେ ଅକାଳ ପଡ଼ିଲା । ବର୍ଷା ହେଲା ନାହିଁ । ମିଥିଳାବାସୀ ତ୍ରାହି ତ୍ରାହି କରିବାକୁ ଲାଗିଲେ । ସେତେବେଳେ ମିଥିଳା ରାଜ୍ୟର ପ୍ରଜାବତ୍ସଳ ରାଜା ଥିଲେ ଜନକ । ପ୍ରଜାଙ୍କର ଦୁଃଖଦୁର୍ଦଶା ଦେଖି ରାଜା ଜନକ ପ୍ରଜାଙ୍କ ହିତ ପାଇଁ ଜ୍ୟୋତିଷମାନଙ୍କର ପରାମର୍ଶ ନେଲେ । ଜ୍ୟୋତିଷମାନଙ୍କର ମତାନୁଯାୟୀ ରାଜା ନିଜେ ହଳ ଯୋଚିଲେ ଅକାଳ ଦୂର ହେବ । “ର “ଅର୍ଥ ସଂସାର ଓ “ଜ ” ଅର୍ଥ ଯୋଚିବା । ସଂସାରର ହିତ ପାଇଁ ରାଜା ଜନକ ନିଜେ ହଳ ଯୋଚିବାରୁ ଇନ୍ଦ୍ର ଦେବତା ସନ୍ତୁଷ୍ଟ ହେବା ଫଳରେ ମୂଷଳ ଧାରାରେ ବର୍ଷା ହେବାକୁ ଲାଗିଲା । ମିଥିଳାବାସୀ ଆନନ୍ଦ, ଉଲ୍ଲାସରେ ଗୀତ ଗାଇ ନାଚିବାକୁ ଲାଗିଲେ । ସାରା ମିଥିଳା ରାଜ୍ୟରେ ନାଚଗୀତର ପର୍ବ ଖେଳିଗଲା । ପୌରାଣିକ ମତାନୁସାରେ ସେହି ଦିନଠାରୁ ରଜ ପର୍ବର ଆରମ୍ଭ ଘଟିଥିବା ବିଶ୍ୱାସ କରାଯାଏ । କାରଣ ରାଜା ଜନକ ହଳ ଯୋଚି ଏକ କନ୍ୟା ରତ୍ନ (ସୀତା) ଭୂମିରୁ ପାଇଥିବାରୁ ଓ ମିଥିଳାବାସୀଙ୍କୁ ଏହି ପର୍ବକୁ ନାରୀମାନଙ୍କ ପର୍ବ ରୂପେ ପାଳନ କରିବାକୁ ସ୍ୱୀକୃତି ଦେଇଥିଲେ ବୋଲି ଅନୁମାନ କରାଯାଏ ।
ଅନ୍ୟ ପଟେ କହିବାକୁ ଗଲେ ଏହି ମୃତିକା ବକ୍ଷରେ ସଭ୍ୟତାର ପ୍ରଥମ ଉନ୍ମଷ ଘଟିଛି । ଏହି ମୃତିକା ହିଁ ମହାନ୍ ମାନବ ସଭ୍ୟତା ଓ ସାମାଜିକ ଜୀବନକୁ ପ୍ରାଣ ପ୍ରତିଷ୍ଠା କରିଛି । ମନୁଷ୍ୟର ଜୀବନଧାରଣ ନିମେନ୍ତ ବହୁ ପ୍ରକାର ବୈଜ୍ଞାନିକ ସାଧନ ଆବିସ୍କୃତ ହୋଇଥିଲେ ମଧ୍ୟ ଆବଶ୍ୟକୀୟ ଅନ୍ନ ମୁଠିକ ନିମେନ୍ତ ଯୁଗ ଯୁଗ ଧରି ମଣିଷ ମୃତିକା ଓ ମୈାସୁମୀ ଉପରେ କେବଳ ନିଭର୍ର କରିଆସିଛି । ଏହାକୁ ଲକ୍ଷ୍ୟକରି ଶ୍ରୀମଦ୍ ଭଗବତ ଗୀତାରେ ଉଲ୍ଲେଖ କରାଯାଇଛି –
“ଅନ୍ନାଭବନ୍ତି ଭୂତାନି ପଜର୍ନ୍ୟାଦନ୍ନସମ୍ଭବଃ
ଯଜ୍ଞାଭବତି ପଜର୍ନ୍ୟୋଂ ଯଜ୍ଞଃ
କମର୍ସମୁଭବଃ” ।
ଅର୍ଥାତ୍ ଅନ୍ନ ହେଉଛି ଜୀବନଧାରଣର ଏକ ଉପାଦାନ । ଏହାର ସୃଷ୍ଟି ପଜର୍ନ୍ୟ ବା ମେଘରୁ , ପୁଣି ମେଘର ସୃଷ୍ଟି ଯଜ୍ଞରୁ ଓ ଯଜ୍ଞର ସୃଷ୍ଟି କମର୍ରୁ । ତେଣୁ ଆମ କୃଷିକୌନ୍ଦ୍ରିକ ସାମାଜିକ ଜୀବନରେ ଋତୁଚକ୍ରର ସାମ୍ବତ୍ସରିକ ପରିକ୍ରମଣ ଅନୁସାରେ ଏହିଭଳି ନାନା ପବର୍ପର୍ବାଣି ସୃଷ୍ଟି କେଉଁ ଅନାଦି କାଳରୁ ପ୍ରଚଳିତ ହୋଇ ଆସୁଛି ।
ଜ୍ୟୋତିଷ ଶାସ୍ତ୍ରାନୁସାରେ ସୂର୍ଯ୍ୟ ବୃକ୍ଷରାଶିକୁ ତ୍ୟାଗକରି ଯେଉଁ ଦିନ ମିଥୁନ ରାଶିରେ ପ୍ରବେଶ କରେ, ତା ପର ଦିନକୁ ମିଶାଇ ମୋଟ ତିନିଦିନ ରଜପର୍ବ ପାଳନ କରାଯାଏ । ମୃଗଶିରା ନକ୍ଷେତ୍ରରେ ସୂର୍ଯ୍ୟ ରହିବାର ତିନିଦିନକୁ ରଜ କୁହାଯାଉଥିବା ବେଳେ ଧର୍ମଶାସ୍ତ୍ରନୁସାରେ କୌଣସି ନାରୀର ଋତୁସ୍ରାବ ପ୍ରଥମ ତିନିଦିନ ଯଥାକ୍ରମେ- ଚାଣ୍ଡାଳି, ବ୍ରହ୍ମଘାତିନୀ, ଓ ରଜକୀ ହୋଇଥାଏ । ଚତୁର୍ଥ ଦିନରେ ଶୂଦ୍ରା ଓ ପଞ୍ଚମ ଦିନରେ ରମଣ ଯୋଗ୍ୟ ହୋଇଥାଏ । ତେଣୁ ରଜ ପର୍ବ ଭାବେ ମଧ୍ୟ ପାଳନ କରାଯାଏ । ଅନ୍ୟ ଦୃଷ୍ଟିରୁ ମିଥୁନ ସଂକ୍ରାନ୍ତି ଦିନ ମୈାସୁମୀ ଓ ମୃତିକାର ମହାମିଳନ ଘଟେ । ଆକାଶ ପଥରେ ଘନ ମେଘମାଳା ଭାସି ଭାସି ଆସି ଧରିତ୍ରୀ ବକ୍ଷରେ ଅଜସ୍ର ବାରିରାଶି ଢାଳି ଦିଅନ୍ତି । ନାରୀ ସଦୃଶା ଏହି ମାତା ବସୁନ୍ଧରା ରାଜସ୍ୱରେ ହାଇ ପୂର୍ଣ୍ଣ ଉତ୍ପାଦିକା ଶକ୍ତି ଲାଭ କରିଥାଏ । ତେଣୁ ଉତ୍କଳୀୟ ସଂସ୍କୃତିର ପ୍ରତୀକ ଏହି ରଜପର୍ବର ପଶ୍ଚାତରେ କୈାଣସି ଦେବାଦେବୀଙ୍କ ପରିକଳ୍ପନା ନାହିଁ କହିଲେ ଚଳେ । ବରଂ ଉତ୍କଳୀୟ ସଂସ୍କୃତିର ରଜପର୍ବ ବା ମୃତିକା ପୂଜା ଏକ ପ୍ରଧାନ ଉତ୍ସବ ଭାବରେ ପାଳିତ ହୋଇଥାଏ । ଜ୍ୟେଷ୍ଠ ମାସର ଶେଷ ଦିନ ଓ ଆଷାଢ ମାସରେ ପ୍ରଥମ ଦୁଇ ଦିନ, ଏହିଭଳି ମୋଟ ତିନି ଦିନ ଓଡିଶାର ଘରେ ଘରେ ରଜପର୍ବ ପାଳନ କରାଯାଏ । ପ୍ରଥମ ଦିବସକୁ ‘ପହିଲି ରଜ ‘, ଦ୍ୱିତୀୟ ଦିବସକୁ ‘ରଜ ସଂକ୍ରାନ୍ତି ‘ ଓ ତୃତୀୟ ଦିବସକୁ ‘ଭୂମିଦାହ ‘ନାମରେ ନାମିତ କରାଯାଇଛି । ରଜ ପର୍ବର ଅନ୍ତିମ ଚତୁର୍ଥ ଦିବସ ହେଉଛି ବସୁମତୀ ସ୍ନାନ । ଏହି ଦିନରେ ଠାକୁରାଣୀ ଗାଧୁଆରେ କାଠ ପିଢା ଉପରେ ଶିଳପୁଆ ଲଙ୍ଗଳ ଲୁହା ଓ ବିଭିନ୍ନ ଉପକରଣ ରଖି ତା ଉପରେ ହଳଦୀ ପାଣି ଢାଳି , ଭୋଗ ରାଗ ସହ ବସୁମତୀ ସ୍ନାନ କରାଯାଏ । ଯାହା ଫଳରେ ହିଁ ମୃତ୍ତିକା ପବିତ୍ର ଓ ଉତ୍ପାଦନ କ୍ଷମ ହୁଏ ।
ରଜ ଚାଷୀଘରେ ଆନନ୍ଦ ମଉଜ ମଜଲିସର ଉତ୍ସବ ହୋଇଥିବାରୁ ଏହା ସ୍ୱତଃ ଧର୍ମୀୟ ଭାବଧାରା ଭିଡ଼ରେ ଏହା କାହିଁ କେଉଁ କାଳରୁ ଯୋଡି ହୋଇଯାଇଛି । ଶ୍ରୀମନ୍ଦିରରେ ସପ୍ତାବରଣ ମୃତ୍ତି ମଧ୍ୟରେ ଭୂଦେବୀ ବା ମାଟି ଦେବୀ ଥିବାରୁ ଏଥିରେ ମଧ୍ୟ ଖୁବ ରୀତିନୀତି ସହ ରଜପର୍ବ ପାଳନ କରାଯାଇଥାଏ । ଏହି ସମୟରେ ଅନେକ ସ୍ଥାନରେ ଗୀତା- ଭାଗବତ ପାଠ ପାରାୟଣ ପ୍ରବଚନ ପ୍ରଭୁତି ଅନୁଷ୍ଠିତ ହୋଇଥାଏ । ଏହି ପର୍ବ ମାତୃ ଶକ୍ତି ଉପାସନା ପାଇଁ ଉଦ୍ଦିଷ୍ଟ ଥିବାରୁ ଝଂକଡ଼ରେ ଥିବା ଦେବୀ ସାରଳା, ଯାଜପୁରରେ ଦେବୀ ବିରଜା, ବାଙ୍କୀରେ ଦେବୀ ଚର୍ଚ୍ଚିକା, ଚୌଷଠି ଯୋଗିନୀଙ୍କୁ ମଧ୍ୟ ଏହି ଅବସରରେ ବିଶେଷ ଭାବରେ ପୂଜା କରାଯାଇଥାଏ । ଏପରିକି ଆଦିବାସୀ ସଂସ୍କୃତି ପରଂପରାରୁ ଜଣାଯାଏ, ଏହି ପର୍ବରେ ଦେହୁରି ନିହାଣ ବାରିସି ଆଦି ରଜ ଦୋଳିରେ ରଖି ଏହାକୁ ଅଢେଇବେଣ୍ଟ ଝୁଲାଇଥାଏ । ପ୍ରଥମେ ନୀହାର ବାରିସିକୁ ଝୁଲାଇବା ଦ୍ଵାରା ସ୍ଵର୍ଗର ଶିଳ୍ପ ବିଶ୍ଵକର୍ମାଙ୍କ ପ୍ରତି ସମ୍ମାନ ଜଣାଇଦିଏ । ପରେ ଆଦିବାସୀ ମାନେ ଗୀତରେ ଗୀତରେ ଦୋଳି ଖେଳରେ ମଜ୍ଜିଯାଆନ୍ତି । ଶବର- ଶବରଣୀ ନାଚ ନୃତ୍ୟରେ ଶବର ତା’ର ଆରାଧ ଦେବତା ଶ୍ରୀ ଜଗନ୍ନାଥଙ୍କ ପ୍ରତି ସମ୍ମାନ ଜଣାଏ । ଆଦିବାସୀମାନଙ୍କ ଗଭୀର ବିଶ୍ଵାସଯେ ମା ‘ ସୀତା ଏହିଦିନ ଗର୍ଭବତୀ ହୋଇଥିଲେ । ତେଣୁ ସେମାନେ ଶବର ନୃତ୍ୟ ମାଧ୍ୟମରେ ଆର୍ଯ୍ୟଦେବତା ଓ ଆର୍ଯ୍ୟ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି । ଶବରୁଣୀ ଶବରକୁ କୃଷି କର୍ମରେ ତତ୍ପର ହେବାକୁ ପରବାର୍ତ୍ତାଏ । ଶେଷରେ ଆଶ୍ରୁଳ ଆଖିରେ ସମସ୍ତେ ରଜକୁ ବିଦାୟ ଦେଇଥାନ୍ତି ।
ରଜପର୍ବ କେବଳ ଓଡ଼ିଶାରେ ନୁହେଁ ଆସାମରେ ଅମ୍ବୁବାଚି ବା କାମାକ୍ଷାଦେବୀଙ୍କ ରଜପର୍ବ ନାମରେ ପାଳନ ହେଉଥିବା ଜଣାଯାଏ । ମିଥୁନ ସଂକ୍ରାନ୍ତି ଅବସରରେ ୫୨ ଶକ୍ତିପିଠ ମଧ୍ୟରୁ ଗୌହାଟିରେ ଥିବା ପ୍ରମୁଖ କାମାକ୍ଷା ଦେବୀଙ୍କ ପୀଠ ଲୋକାରଣ୍ୟ ହୁଏ ବିଶ୍ଵାସ କରାଯାଏ ଦେବୀ କାମାକ୍ଷା ଏହି ସମୟରେ ରାଜବତୀ ହୁଅନ୍ତି । ଦେବୀଙ୍କ ମହାସ୍ନାନ ପରେ ୪ର୍ଥ ଦିନ ଭକ୍ତମାନେ ମନ୍ଦିର ଭିତରେ ପ୍ରବେଶ କରିଥାନ୍ତି । ଦେଶ ବିଦେଶରୁ ଅନେକ ତାନ୍ତ୍ରିକ, ସାଧୁ ସନ୍ୟାସୀ ଦେବୀଙ୍କ ଆଶୀର୍ବାଦ ପାଇବା ପାଇଁ ଏଠାକୁ ଛୁଟି ଆସନ୍ତି । ଏପରିକି ଓଡିଶାର ରଜପର୍ବ ପରି ରାଜସ୍ଥାନରେ ମଧ୍ୟ ପାଳନ ହୁଏ ‘ଡାଜପତ୍ର ‘। ସେଠାରେ କୁମାରୀମାନେ ନୂତନ ବସ୍ତ୍ର ପରିଧାନପୂର୍ବକ ଦୋଳି ଖେଳିଥାନ୍ତି । ରଜପର୍ବ କେରଳରେ ପାଳିତ ହେଉଥିବା ପର୍ବର ନାଁ “ଓନାମ ” । ଓଡିଶା ଭଳି ସେଠାରେ ଦୋଳିଥାଏ , ପିଠାପଣା ହୁଏ, ଆଉ ନାଚଗୀତରେ ପୁଅଝିଅମାନେ ନାଚି ଆନନ୍ଦ ଉଲ୍ଲାସ କରନ୍ତି । ସାଧାରଣ ଦୃଷ୍ଟିରେ ରଜପର୍ବ ପ୍ରତିବର୍ଷ ଜୁନ ମାସରେ ହିଁ ପଡିଥାଏ । ଚନ୍ଦ୍ରଙ୍କ ନାଁ ଅନୁସାରେ ଏହି ମାସରେ ନାମକାରଣ କରାଯାଇଛି । ରୋମରେ ଲୋକେ ଜୁନୋଙ୍କୁ ମାତୁତ୍ଵରେ ଦେବୀ ଭାବେ ପୂଜା କରୁଥିବା ବେଳେ ତାଙ୍କରି ନାଁରେ ନାମକରଣ ହୋଇଥିବା ଜୁନ ମାସରେ ରଜପର୍ବର ସଂଯୋଗ ଅପୂର୍ବ ସାମଞ୍ଜସ୍ୟ ରଖିଥାଏ ।
ବିଶେଷ କରି ରଜପର୍ବ ଗ୍ରାମାଞ୍ଚଳର ଝିଅ ଭୁଆସୁଣୀମାନଙ୍କ ପର୍ବ ହୋଇଥିବା ଦୃଷ୍ଟିରୁ ସେମାନଙ୍କ ମଧ୍ୟରେ ସମନ୍ୱୟ ସମ୍ପର୍କ ଗଢ଼ିଉଠେ । ପରସ୍ପରର ତନ, ମନ, ଭାବର ଆଦାନ ପ୍ରଦାନ ସହ ନାଚଗୀତର ଅପୂର୍ବ ସମନ୍ୱୟରେ ଗଢ଼ିଉଠେ ନାରୀମାନଙ୍କ ଗୋଷ୍ଠୀମୟ ସାମାଜିକ ସମ୍ପର୍କ । ରକ୍ଷଣଶୀଳତା, କୁସଂସ୍କାର, ଅନ୍ଧବିଶ୍ୱାସ ଓ ମିଥ୍ୟାଚାର, ଅଶିକ୍ଷା, ଅଜ୍ଞତା ଓ ସ୍ୱାର୍ଥପରତାକୁ ଦୂରେଇ ସମସ୍ତେ ଏକାକାର ହୋଇ ଉଠନ୍ତି । ଏକାଠି ସୁସ୍ୱାଦୁ ଯୁକ୍ତ ରନ୍ଧା ଖାଦ୍ୟ ଖାଇବା ମେଳ ହୋଇ ଭୋଜିର ବ୍ୟବସ୍ଥା କରନ୍ତି । ସାଧାରଣତଃ ଝିଅମାନେ ଖାଲି ପାଦରେ ଚାଲିବାକୁ ବାରଣ କରାଯାଇଥିବା ବେଳେ କଦଳୀ ପଟୁଆ ପିନ୍ଧି ଚାଲିଥାନ୍ତି । ସବୁରି ଘରେ ନାନା ପ୍ରକାର ପିଠା, ପୋଡ ପିଠା, ଏଣ୍ଡୁରି ପିଠା, ମିଠାନ୍ନ ପ୍ରସ୍ତୁତି ହୁଏ । ବିଶେଷତଃ ପୋଡପିଠା ଓ ପାନ ଖାଇବା ସହ ଝିଅ ମାନେ ଦୋଳି ଖେଳିଥାନ୍ତି । ବିଭିନ୍ନ ପ୍ରକାରର ଯେପରିକି ‘ରାମ ଦୋଳି’, ‘ଚର୍କି ଦୋଳି’, ‘ପଟା ଦୋଳି’, ‘ଦାଣ୍ଡି ଦୋଳି ‘ ଖେଳି ପ୍ରଚଳିତ ଲୋକ ଗୀତ ଗାଇଥାନ୍ତି- “ବନେସ୍ତ ଡାକିଲା ଗଜ / ବରଷକେ ଥରେ ଆସିଛି ରଜ/ ଆସିଛି ରଜଲୋ/ ଘେନି ନୂଆ ସଜବାଜ, ବଉଳେଲା ଘେନି ନୂଆ ସଜବାଜ । ” ଏଥିରେ ଲୁଚି ରହିଥାଏ ଓଡ଼ିଆ ସଂସ୍କୃତିର ପ୍ରେମ, ସ୍ନେହ, ସମ୍ମାନ, ସାମାଜିକ ଆଚରଣ ଓ ସାମାଜିକ ଜୀବନର ସବୁକିଛି । ପୁଅମାନେ ଏହି ଦିନରେ କବାଡି,ବାଗୁଡି ଖେଳ ଖେଳି ରଜ ପାଳନ କରିଥାନ୍ତି । ଏପରିକି ବିଭିନ୍ନ ସ୍ଥାନରେ ଅଦ୍ୟାବଧି ମିଳିତ ଉଦ୍ୟମରେ ବଡ଼ ଧରଣର ଯାତ୍ରା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।
ବାସ୍ତବରେ ଦୈନନ୍ଦିନ ସଂସାର ଭିତରେ ସୁଖ ଦୁଃଖର ଜଞ୍ଜାଳରେ ଆବଦ୍ଧ ହୋଇ ପଞ୍ଜୁରି ମଧ୍ୟରେ ଶାରୀ ପରି ଜୀବନ ଅତିବାହିତ କରି ଥିବା ଉଭୟ ନାରୀ ପୁରୁଷ ଏହି ରଜ ତିନି ଦିନ ମୁକ୍ତ ଆକାଶ ମୁକ୍ତ ପବନ ସାଙ୍ଗକୁ ଗୋଷ୍ଠୀମୟ ସାମୂହିକତା ଓ ସରସତା ପୂର୍ଣ୍ଣ ଜୀବନ ବିତାଇବାକୁ ତତ୍ପର ହୋଇଉଠିଥାନ୍ତି ତାହା ଅବର୍ଣ୍ଣନୀୟ । ଏହି ଦୃଷ୍ଟିରୁ ଉତ୍କଳୀୟ ସଂସ୍କୃତିରେ ଏହି ରଜ ମହୋତ୍ସବ ଜାତି ହୀନ, ବର୍ଣ୍ଣ ହୀନ, ଧର୍ମ ହୀନ ଏକ ସମାନତାର ଗଣପର୍ବ କହିଲେ ଅତ୍ୟୁକ୍ତି ହେବନାହିଁ ।
ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ ,କଟକ -୪
ଦୂରଭାଷ : ୯୦୪୦ ୧୫୧୪ ୭୫
Email: Laxmansahoo9040@gmail.com
Comments are closed.