ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ି ଗ୍ରାମ ପଞ୍ଚାୟତ ଲାଗି ହୋଇଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟରରେ ପାନୀୟ ଜଳର ଅବ୍ୟବସ୍ଥା ରହିଥିବା ନେଇ ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଆରଡ଼ି ପଞ୍ଚାୟତ ଲାଗି ସ୍ଥାନୀୟ ଆରଡ଼ି ହାଇସ୍କୁଲରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟସେଣ୍ଟରରେ ପାନୀୟ ଜଳର ଘୋର ଅସୁବିଧା ପରିଲକ୍ଷିତ ହୋଇଥିବା ନେଇ ଆରଡ଼ି ଗ୍ରାମର ବାସିନ୍ଦା କେଶବ ଚନ୍ଦ୍ର ଜେନା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଶ୍ରୀ ଜେନାଙ୍କ କହିବାନୁଯାୟୀ, ଆରଡ଼ି ହାଇସ୍କୁଲରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ସମୁଦାୟ ୩୧ ଜଣ ରହିଥିବା ବେଳେ ଏଥିରେ ପଞ୍ଚାୟର ୧୩ ନମ୍ବର ୱାର୍ଡ଼ର ୪ ଜଣ ବ୍ୟକ୍ତି ମଧ୍ୟ ରହିଛନ୍ତି । ଏହି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା ଅଧିକାଂଶ ବ୍ୟକ୍ତି ପଶ୍ଚିମବଙ୍ଗ ଫେରନ୍ତା । ମାତ୍ର ଏହି ସମସ୍ତ ବ୍ୟକ୍ତିମାନେ ଠିକ୍ ଭାବେ ପାନୀୟ ଜଳର ସୁବିଧା ପାଇ ପାରୁନାହାନ୍ତି ବୋଲି ଶ୍ରୀ ଜେନା କହିଛନ୍ତିି । ପୂର୍ବରୁ କ୍ୱାରେଣ୍ଟାଇନ ସେଣ୍ଟରରେ ବିନା ଖଟରେ କିଛି ବ୍ୟକ୍ତି ଶୋଉଥିବା ବେଳେ ସରପଞ୍ଚ ଓ ନୋଡ଼ାଲ୍ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏହାର ବ୍ୟବସ୍ଥା କରାଯାଇଛି ।
କ୍ୱାରେଣ୍ଟାଇନ୍ ସେଣ୍ଟରରେ ପାନୀୟ ଜଳର ଘୋର ଅସୁବିଧା ନେଇ ଶ୍ରୀ ଜେନା ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସରପଞ୍ଚ ଏସମ୍ପର୍କରେ ନୋଡ଼ାଲ୍ ଅଫିସରଙ୍କୁ କହିବେ ବୋଲି କହିଥିଲେ । ଶୋଇବା ଲାଗି ସମସ୍ତ ଖଟ ଯୋଗାଇଦେବା ପରେ ଅସୁବିଧା ଦୂର ହୋଇଛି ମାତ୍ର ପାନୀୟ ଜଳର ସୁବ୍ୟବସ୍ଥା ତୁରନ୍ତ କରିବା ନେଇ ଶ୍ରୀ ଜେନା ନିବେଦନ କରିଛନ୍ତି ।
Comments are closed.