Latest Odisha News

ଚମ୍ପୁଆ ଓ ଯୋଡ଼ା ବ୍ଲକରେ ରାଜ୍ୟ ‘ଖାଦ୍ୟ ସୁରକ୍ଷା ଯୋଜନା’ ର ଶୁଭାରମ୍ଭ କଲେ ମନ୍ତ୍ରୀ ଶଶିଭୁଷଣ ବେହେରା

ଯୋଡ଼ା: କେନ୍ଦୁଝର ଜିଲ୍ଲାର ୨ଟି ବ୍ଲକ ଚମ୍ପୁଆ ଏବଂ ଯୋଡ଼ା ଠାରେ ଆଜି ରାଜ୍ୟ ସରକାର ଙ୍କ ନିଜସ୍ଵ ଯୋଜନା ‘ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା’ର ଶୁଭାରମ୍ଭ ହୋଇଛି । ଅର୍ଥ ମନ୍ତ୍ରୀ ଶଶୀ ଭୂଷଣ ବେହେରା ଏହି କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଅର୍ଥ ମନ୍ତ୍ରୀ ଶଶୀ ଭୂଷଣ ବେହେରା ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ଭାବେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀଙ୍କୁ ରେସନ କାର୍ଡ ବଣ୍ଟନ କରିଥିଲେ । ଚମ୍ପୁଆ ବ୍ଳକରେ ଥିବା ବିଭିନ୍ନ ପଞ୍ଚାୟତର ୫ ହଜାର ୯ ଶହ ୯୪ ଜଣ, ଚମ୍ପୁଆ ଏନଏସିର ୬୬୬ ଜଣ, ଯୋଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତର ୬ ହଜାର ୭ ଶହ ୨୩ ଜଣ, ଯୋଡା ମ୍ୟୁନିସିପାଲିଟିର ୨ ହଜାର ୧ ଶହ ଓ ବଡବିଲ ମ୍ୟୁନିସିପାଲିଟିର ୨ ହଜାର ୮ ଶହ ୯୧ ଜଣ ଲୋକଙ୍କୁ ଯୋଜନାରେ ସାମିଲ କରାଯାଇଛି । ଏମାନଙ୍କୁ ମାସକୁ ୧ ଟଙ୍କା କେଜିରେ ୫କେଜି ଚାଉଳ ରାଜ୍ୟ ସରକାର ଯୋଗାଇ ଦେବେ ।

ବାଦ ପଡିଥିବା ୧୮ ଲକ୍ଷ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିବା ବେଳେ, ଆଗାମୀ ଦିନରେ ବାଦ ଥିବା ଅନ୍ୟ ଯୋଗ୍ୟ ଲୋକଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ କରାଯିବ ବୋଲି ମନ୍ତ୍ରୀ ଶଶୀ ଭୁଷଣ ବେହେରା କହିଛନ୍ତି । ଏହି କାର‌୍ୟ୍ୟକ୍ରମରେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍, କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ବିଧାୟକ ହୃଷିକେଶ ନାଏକ, ସାଂସଦ ଶକୁନ୍ତଳା ଲାଗୁରୀ, କେନ୍ଦୁଝର ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନି ପାତ୍ର ଏବଂ ପୂର୍ବତନ ସାଂସଦ ଯୋଶବନ୍ତ ନାରାୟଣ ଲାଗୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.