Latest Odisha News

ଓଡ଼ିଆ ଘରର ସୁଆଦିଆ ‘ଆରିସା ପିଠା’ର ଇତିହାସ ଓ ପ୍ରସ୍ତୁତି ପ୍ରଣାଳୀ

ଭୁବନେଶ୍ୱର: ଓଡ଼ିଆ ଘରର ପିଠା ମାନଙ୍କ ମଧ୍ୟରେ ଆରିସା ପିଠାର ରହିଛି ସ୍ୱତନ୍ତ୍ର ପରିଚୟ । ଏହାର ରଙ୍ଗ ଓ ବାସ୍ନାରେ ହିଁ ଖାଇବାବାଲାର ପାଟିରୁ ଲାଳ ବୋହି ଆସେ । ଏହା ପ୍ରାୟତଃ ପ୍ରତ୍ୟେକ ଓଡ଼ିଆ ଘରେ ନାନାଦି ପର୍ବପର୍ବାଣୀରେ ତିଆରି କରାଯାଇଥାଏ । ଏହା ଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ ଠାକୁରଙ୍କୁ ଅର୍ପଣ କରାଯାଇଥାଏ ।

ଆରିସା ପିଠାର ଇତିହାସ:

ଆରିସା ପିଠା ଖ୍ରୀଷ୍ଟ ପୂର୍ବ ପଞ୍ଚମ ଶତାବ୍ଦୀ ବେଳକୁ ଲୋକପ୍ରିୟ ହୋଇସାରିଥିବା ବିଶ୍ୱାସ କରାଯାଏ । ଯେତେବେଳେ ସିଦ୍ଧାର୍ଥ ଗୌତମ ବୁଦ୍ଧତ୍ୱ ଲଭିଲେ, ସେତେବେଳେ ସେ କଳିଙ୍ଗରୁ ଆସିଥିବା ଦୁଇ ବଣିକ ତପସୁ ଓ ବହ୍ଲିକଙ୍କ ଠାରୁ ଏହି ଆରିସା ପିଠା ଖାଇ ସାଷ୍ଟାମ ହୋଇଥିବା ବୌଦ୍ଧ ଗ୍ରନ୍ଥ ମାନଙ୍କରେ ଲେଖାଯାଇଅଛି । ଆରିସା ଏକ ‘ପାଳି’ ଶବ୍ଦ ।

ପାଳି ଭାସାରେ ସେତେବେଳେ ଚାଉଳକୁ ଆରିସା ବୋଲି କୁହାଯାଉଥିଲା । ତେଣୁ ଆରିସା ପିଠା କହିଲେ ଚାଉଳ ପିଠାକୁ ହିଁ ବୁଝାଏ । ତେବେ ଆଜି ମଧ୍ୟ ତାମିଲ ଭାଷାରେ ଆରିସା ଶବ୍ଦ (ଆରିସେ) ଚାଉଳ ଅର୍ଥରେ ବ୍ୟବହାର ହେଉଥିବାରୁ କେହି କେହି ଆରିସା ଶବ୍ଦକୁ ତାମିଲ ଶବ୍ଦ ବୋଲି ଯୁକ୍ତି କରନ୍ତି, ଯାହା ସମ୍ପୂର୍ଣ୍ଣ ଭ୍ରମାତ୍ମକ ଅଟେ ।

ଏହାକୁ ପ୍ରସ୍ତୁତ କରିବାର ବିଧି:

ଆବଶ୍ୟକୀୟ ସାମଗ୍ରୀ:

୫୦୦ଗ୍ରାମ ଚାଉଳ

୪୦୦ ଗ୍ରାମ ଗୁଡ଼/ ଚିନି

୨୫୦ ମି.ଲି. ଘିଅ

ପ୍ରସ୍ତୁତି ପ୍ରଣାଳୀ:

ଆରିସା ପିଠା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ବଡ଼ ପାତ୍ରରେ ପାଣି ଫୁଟାନ୍ତୁ। ପାଣି ଭଲଭାବରେ ଫୁଟିଲେ ସେଥିରେ ଧିରେ ଧିରେ ଚାଉଳ ଚୁନା ଓ ଗୁଡ଼ ଗୋଳାଇ ବହଳିଆ ଭାବେ ଜନ୍ତି ସେଦୁଅ ପ୍ରସ୍ତୁତ କରନ୍ତୁ । ଏହାକୁ ଆଞ୍ଚରୁ ତଳକୁ ବହାର କରି ଦିଅନ୍ତି । ଏବେ ଆଞ୍ଚରେ କଢେଇ ବସାଇ ତେଲ ବା ଘିଅ ଗରମ କରନ୍ତୁ ।

ଜନ୍ତି ସେଦୁଅକୁ ଛୋଟ ଛୋଟ ଗୁଳା ତିଆରି କରି ତାହାକୁ ଦୁଇ ହାତରେ ହାଲକା ହାଲକା ଚାପି ଚଟକା କରନ୍ତୁ ।

ଘିଅ ବା ତେଲ ଅଳ୍ପ ଗରମ ହୋଇଗଲେ ଏହି ଚଟକା ପିଠାକୁ ପକାଇ ଦିଅନ୍ତୁ । ଧ୍ୟାନ ରଖିବେ ଯେପରି ତେଲ ଅଧିକ ଗରମ ନହୁଏ । ତେଲ ଅଧିକ ଗରମ ହେଲେ ପିଠାର ଉପର ଅଂଶ ପୋଡିଯିବ ଓ ଭିତର ସିଝିବ ନାହିଁ । ବର୍ତ୍ତମାନ  ବାଦାମୀ ରଙ୍ଗ ହେବାଯାଏଁ ଏହାକୁ ଛାଣନ୍ତୁ । ପିଠାର ରଙ୍ଗ ବାଦାମୀ ହୋଇଗଲେ ଏହାକୁ ଏକ ପାତ୍ରକୁ ଖୋଲି ଦିଅନ୍ତୁ । ଏହାକୁ ଆପଣ ଉଷୁମ ଓ ଥଣ୍ଡା କରି ଖାଇ ପାରିବେ ।

Leave A Reply

Your email address will not be published.