Latest Odisha News

BREAKING NEWS

ବାଣ ଭିଡ଼ିବା ବେଳେ ବିସ୍ଫୋରଣ; ପୁଅ ମୃତ, ବାପା-ମାଆ ଗୁରୁତର

ଗଞ୍ଜାମ: ସାନଖେମୁଣ୍ଡି ବ୍ଲକ୍‌ ପାଟପୁର ଥାନା ସିଙ୍ଗିପୁର ଗ୍ରାମରେ ଅଘଟଣ। ଘରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ପୁଅର ମୃତ ହୋଇଥିବା ବେଳେ ବାପା ମାଆ ଗୁରୁତର ହୋଇଛନ୍ତି। ବିସ୍ଫୋରଣ ଘର ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ ପଡ଼ିଶା ଘର କାନ୍ଥ ମଧ୍ୟ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି l ମୃତକ ଜଣକ ହେଲେ ୧୯ ବର୍ଷୀୟ ପୁଅ ଆକାଶ ଦାସ। ଅପରପକ୍ଷେ ଗୁରୁତର ଆହତମାନେ ହେଲେ ବାପା ସନ୍ତୋଷ ଦାସ (୪୫), ବିଷ୍ଣୁ ପ୍ରିୟା ଦାସ (୩୫)।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଆକାଶ ନିଜ ଘର ଭିତରେ ବସି ବାଣ ତିଆରି କରୁଥିଲେ। ଏହି ସମୟରେ ହଠାତ ଘର ନିକଟରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଉପରେ ବଜ୍ରାଘାତ ହୋଇଥିଲା। ବଜ୍ରପାତର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ଏହା ଯୋଗୁ ଘର ଭିତରେ ରଖାଯାଇଥିବା ବାଣଗୁଡ଼ିକରେ ହଠାତ୍ ବିସ୍ଫୋରଣ ଘଟିଥିଲା। ବାଣ ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଆକାଶଙ୍କ ଘରର ସମସ୍ତ ଟିଣ ଛପର ଖଣ୍ଡ ଖଣ୍ଡ ହୋଇ ଆକାଶରେ ଉଡ଼ିଯାଇଥିଲା। ବିସ୍ଫୋରଣ ଯୋଗୁ ଘର ଭିତରେ ଥିବା ପରିବାରର ସମସ୍ତ ସଦସ୍ୟ ଗୁରୁତର ହୋଇ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ଆକାଶ ଦାସଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା (MKCG)କୁ ସ୍ଥାନାନ୍ତର କରାଯାଇଛି। ଏହି ସୂଚନା ପାଇବା ପରେ ପାଟପୁର ଥାନା ପୋଲିସର ଏକ ଟିମ୍ ସିଙ୍ଗପୁର ଗ୍ରାମରେ ପହଞ୍ଚି ଘଟଣାସ୍ଥଳର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.