Latest Odisha News

BREAKING NEWS

କାଳ ସାଜିଲା ଘନ କୁହୁଡି, ଅକାଳରେ ଚାଲିଗଲା ୫ ଜୀବନ

ବ୍ରହ୍ମପୁର: କାଳ ସାଜିଲା ଘନ କୁହୁଡି । ଜିଲ୍ଲା ସୋରଡା ଥାନା ବରାଡି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅକାଳରେ ଚାଲିଗଲା ୫ଜଣଙ୍କ ଜୀବନ । ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସୋରଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ୧୧ ଟା ସମୟରେ ୩ଜଣ ବ୍ୟକ୍ତି ବାଇକ ଯୋଗେ ଅସୁରବନ୍ଧ ଠାରୁ ସୋରଡା ଯାଉଥିଲେ । ସେତେବେଳେ ବିପରିତ ଦିଗରୁ ସ୍କୁଟି ଯୋଗେ ୩ଜଣ ଆସୁଥିଲେ । ବରାଡି ଛକ ନିକଟରେ ଉକ୍ତ ବାଇକ ଓ ସ୍କୁଟିଟି ପରସ୍ପର ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଗ୍ନିଶମ ବାହିନୀ ଅନ୍ୟ ଗୁରୁତରଙ୍କୁ ଉଦ୍ଧାର କରି ସୋରଡ଼ା ମେଡ଼ିକାଲରେ ଭର୍ତି କରିଥିଲା। ସେଠାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଓ ଗୁରୁତରଙ୍କ ପରିଚୟ ମିଳିଛି । ମୃତକ ପାଞ୍ଚ ଜଣ ହେଉଛନ୍ତି ଗୋପାଳପୁର ଶାସନ ଗ୍ରାମର ମହେନ୍ଦ୍ର ନାୟକ, ସାନ ସୋରଡ଼ା ଗ୍ରାମର ରଜନୀ ଗୌଡ଼, ଅସୁରବନ୍ଧ ଗ୍ରାମର ଶ୍ରୀକାନ୍ତ ଗୌଡ଼, ଦୁଲାଡ଼ ଗ୍ରାମର ମନୋଜ ଡାକୁଆ ଓ ଜୟନ୍ତ ବାଡ଼ଜାତ୍ୟା ।

ସେହିପରି ଗୁରୁତର ଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦୁଲାଡ଼ ଗ୍ରାମର ପୂର୍ଣ୍ଣ ଗୌଡ଼ । ତେବେ ସୋରଡା ଡାକ୍ତରଖାନାରେ ପୂର୍ଣ୍ଣ ଗୌଡଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ତେବେ କେଉଁ ପରିସ୍ଥିତିରେ ଏତେ ବଡ ଦୁର୍ଘଟଣା ଘଟିଲା ତାହା ଏଯାବତ୍ ସ୍ପଷ୍ଟ ହୋଇନଥିବା ବେଳେ ଘନ କୁହୁଡି କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ବାଇକ ଓ ସ୍କୁଟି ଭାଙ୍ଗିରୁଜି ଚୁରମାର ହୋଇଯାଇଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

 

 

Leave A Reply

Your email address will not be published.