Latest Odisha News

BREAKING NEWS

ଜଳାଶୟରେ ପଡିଗଲା ବାବୁଙ୍କ ଦାମୀ ମୋବାଇଲ; ୩ ଦିନ ପମ୍ପ ଲଗାଇ ବୁହାଇଲେ ପାଣି ଆଉ ଶେଷରେ..

କଙ୍କର:ବାବୁ ଧରିଥିଲେ ଦାମୀ ମୋବାଇଲ । କେମିତି କେଜାଣି ଖସିପଡିଲା ଜଳାଶୟ ଭିତରେ । ଆଉ ବାବୁଙ୍କ ମୋବାଇଲ ଫୋନ ପାଇଁ ନିଷ୍କାସନ କରାଗଲା ପୋଖରୀର ସବୁ ପାଣି । ବୁହାଗଲା ଲକ୍ଷ ଲକ୍ଷ ଲିଟର ପାଣି । ଏଇ ପାଣିରେ ଦେଢ ହଜାର ହେକ୍ଟର ଜମି ଜଳସେଚିତ ହୋଇଥାନ୍ତା । ଟନ ଟନ ଫସଲ ଆସିଥାନ୍ତା । ଶତାଧିକ ଚାଷୀଙ୍କ ପରିବାର ମୁହଁରେ ହସ ଫୁଟିଥାନ୍ତା । ହେଲେ ବାବୁଙ୍କ ମୋବାଇଲ ପାଖରେ ଏସବୁର ମୂଲ୍ୟ ବା କେତେ ? ତେଣୁ ପାଣି ବୁହାଗଲା ।  ତେବେ ସବୁଠାରୁ ଦୁଃଖର କଥା ହେଲା, ଏତେ ପାଣି ବୁହାଇବା ପରେ ଫୋନ ତ ମିଳିଲା କିନ୍ତୁ ତାହା ଖରାପ ହୋଇ ଯାଇଥିଲା ।

ଏ ଘଟଣା ଛତିଶଗଡ ପଙ୍ଖାଜୁର ଅଞ୍ଚଳର । ଜଣେ ଫୁଡ ଇନ୍ସପେକ୍ଟର ରବିବାର ଛୁଟି କଟାଇବାକୁ ସ୍ଥାନୀୟ ଖେରକଟ୍ଟା ଜଳାଶୟ ପାଖକୁ ଯାଇଥିଲେ । ସେଠାରେ ତାଙ୍କର ଦାମୀ ମୋବାଇଲ ଜଳାଶୟରେ ପଡି ଯାଇଥିଲା । ଏହି ଜଳାଶୟରେ ୧୫ ଫୁଟ ପାଣି ଥିଲା ।

ମୋବାଇଲ ଖୋଜିବା ପାଇଁ ଅଫିସର ଜଣକ ଗାଁ ଲୋକଙ୍କ ଲଗାଇଲେ । ହେଲେ ମୋବାଇଲ ପାଣିରୁ ବାହାରିଲା ନାହିଁ । ଏହା ପରେ ମୋବାଇଲ ବାହାର କରିବା ପାଇଁ ଜଳସେଚନ ବିଭାଗ ସହ ଆଲୋଚନା ହୋଇଥିଲା । ପରେ ୩୦ ଏଚପିର ମୋଟର ପମ୍ପ ଲଗାଇ ଜଳାଶୟର ପାଣି ବାହାର କରାଗଲା । ଏହି ପାଣି ଖାଲି କରିବା ପାଇଁ ଗତ ୩ ଦିନ ଧରି ଲଗାତାର ମୋଟର ଲାଗିଥିଲା ।

ହେଲେ ଏହି ଖବର ଜଳସେଚନ ବିଭାଗର ଉପର ମହଲରେ ପହଞ୍ଚିଥିଲା । ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ପମ୍ପ ବନ୍ଦ କରିଥିଲେ । ତଥାପି ଏହା ପରେ ପୁଣି ମୋବାଇଲ ଖୋଜିବା ପାଇଁ ଲୋକ ଲଗାଇଥିଲେ ବାବୁ । ଶେଷରେ ମୋବାଇଲ ତ ମିଳିଲା ହେଲେ ଏହା ଖରାପ ହୋଇ ଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ, ସୋମବାରାରୁ ଗୁରୁବାର ପର୍ଯ୍ୟନ୍ତ ଚାଲିଥିଲା ୩୦ ଏଚପିର ମୋଟର । ପାଖାପାଖି ୨୧ ଲକ୍ଷ ଲିଟର ପାଣି ବୁହାଇ ଦିଆଗଲା  । ତେବେ ଏଠି ସମସ୍ତଙ୍କ ମନରେ ପ୍ରଶ୍ନ, ବାବୁଙ୍କ ମୋବାଇଲରେ ଏମିତି କ’ଣ ଥିଲା ଯେ, ଏତେ ପାଣି ବୁହାଇଦେଲେ ।

Leave A Reply

Your email address will not be published.