Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରାସ୍ତା ନଥିବାରୁ ଅପହଞ୍ଚ ସରକାରୀ ଯୋଜନା, ଲୋକଙ୍କୁ ମିଳୁନି ମୌଳିକ ସୁବିଧା

ନୂଆପଡ଼ା: ଗାଁରେ ୭୦ ପରିବାର, ଲୋକସଂଖ୍ୟା ପ୍ରାୟ ୪ ଶହ । କିନ୍ତୁ ଏମାନେ ଜିଉଛନ୍ତି ଅଭିଶପ୍ତ ଜୀବନ । ଗାଁକୁ ରାସ୍ତା ଖଣ୍ଡିଏ ନଥିବାରୁ ଏମାନେ ସବୁ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ମେଡିକାଲ ହେଉକି ପାଠପଢ଼ା ଅବା ବଜାର ଯିବା ପାଇଁ ଏମାନଙ୍କ ଭରସା ଏହି ଖାଲଢ଼ିପ ରାସ୍ତା । ଖରା ଓ ଶୀତ ଦିନେ ରାସ୍ତାରେ କଷ୍ଟେ ମଷ୍ଟେ ବାଇକ୍ ତ ଯାଇପାରେ ହେଲେ ବର୍ଷା ଦିନ କଥା ନକହିବା ବଳ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଦାବରୀ ପଞ୍ଚାୟତ ବିକ୍ରମପୁର ଗାଁ ଲୋକେ ରାସ୍ତା ନିର୍ମାଣ ପାଇଁ ପ୍ରଶାସନକୁ ନେହୁରା ହୋଇଛନ୍ତି ହେଲେ ଜଙ୍ଗଲ ଦେଇ ରାସ୍ତା ନିର୍ମାଣ ପାଇଁ ମିଳୁନି ଅନୁମତି ।

ରାସ୍ତା ନଥିବାରୁ ଖଡ଼ିଆଳ ଠାରୁ ୧୫ କିଲୋମିଟର ଭାଲୁ ଡୁଙ୍ଗରି ଗଲା ପରେ ୪ କିଲୋମିଟର ଜଙ୍ଗଲ ଚଢ଼ି ଯିବାକୁ ପଡ଼େ ଗାଁକୁ । ଖାଲଢ଼ିପ ରାସ୍ତା ପାଇଁ କାହାର ଦେହ ଖରାପ ଗାଁକୁ ଆମ୍ବୁଲାନ୍ସ ପାରେନି ଫଳରେ ଖଟିଆରେ ବାନ୍ଧି କାନ୍ଧେଇ କାନ୍ଧେଇ ନେଇଥାନ୍ତି ଗାଁ ଲୋକ । ୫ ବର୍ଷ ତଳେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବିରିଘାଟ ଠାରୁ ବିକ୍ରମପୁର ଭାୟା କୋଦାଲଡୁଙ୍ଗରି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇଥିଲା । ୨.୧ କିଲୋମିଟର ରାସ୍ତା ନିର୍ମାଣ ପରେ ଆଉ ଆଗକୁ ନିର୍ମାଣ ପାଇଁ ଜଙ୍ଗଲ ବିଭାଗ ଅନୁମତି ଦେଇ ନଥିଲା । ଫଳରେ ୨.୯ କିଲୋମିଟର ରାସ୍ତା କାମ ଅଧାରୁ ବନ୍ଦ ରହିଛି । ରାସ୍ତା ନିର୍ମାଣ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ, ଖଡ଼ିଆଳ ଡିଏଫଓଙ୍କୁ ଜଣାଇଥିବା ବେଳେ ଅନୁମତି ମିଳିଲା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ ।

ଗାଁକୁ ଗମନାଗମନ ପାଇଁ ସରକାର ପକ୍କା ରାସ୍ତା ନିର୍ମାଣ କରୁଛନ୍ତି । ହେଲେ ବନ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ବିକ୍ରମପୁରବାସୀଙ୍କୁ ଦୀର୍ଘ ବର୍ଷ ଭଳି ଖାଲଖମା ରାସ୍ତାରେ ଚାଲିବାକୁ ପଡ଼ୁଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଦାବି ହେଉଛି ।

Leave A Reply

Your email address will not be published.