Latest Odisha News

BREAKING NEWS

ବଢୁଛି ତାତି, ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ନିଆଁ

ଭୁବନେଶ୍ବର: ୨୦ ଦିନରୁ ଅଧିକ ସମୟ ପରେ ଆଜି ପଶ୍ଚିମ ଓଡ଼ିଶା ଓଡ଼ିଶାବାସୀ ପ୍ରଚଣ୍ଡ ଅଗ୍ନିବର୍ଷାରୁ ସାମାନ୍ୟ ଆଶ୍ବସ୍ତି ପାଇଥିଲେ। କିନ୍ତୁ ଆଜି ପ୍ରଚଣ୍ଡ ଖରାରେ ସନ୍ତୁଳି ହୋଇଯାଇଥିଲେ ରାଜଧାନୀବାସୀ । ଗତକାଲି ଅପେକ୍ଷା ହଠାତ୍‌ ଆଜି ରାଜଧାନୀର ପାରଦ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଯାଇଥିଲା। ସକାଳ ୮ଟାରୁ ବାହାରକୁ ବାହାରିବା ଯନ୍ତ୍ରଣାଦାୟକ ହୋଇଯାଇଥିଲା।

ରାଜଧାନୀ ତାତି ୪୦ ଡିଗ୍ରି ଅତିକ୍ରମ କରିଯାଇଥିଲା। ଗତକାଲି ଭୁବନେଶ୍ବରର ତାପମାତ୍ରା ୩୬.୮ ଡିଗ୍ରି ରହିଥିବା ବେଳେ ଆଜି ଏହା ୪୦.୮ ଡିଗ୍ରିରେ ପହଞ୍ଚିଛି। ଅର୍ଥାତ ଆଜି ରାଜଧାନୀ ଭୁବନେଶ୍ବରର ଚଳିତ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ ହୋଇଛି। ଗତ ୧୮ ତାରିଖରେ ରାଜଧାନୀରେ ସର୍ବାଧିକ ୪୦.୨ ଡିଗ୍ରି ରେକର୍ଡ ହୋଇଥିଲା।

ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ନିଆଁ । ଚଳିତବର୍ଷର ପ୍ରଥମଥର ଲାଗି ଜଙ୍ଗଲ ଭିତରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଚନ୍ଦକା ଡିଭିଜନର ହଳଦିଆ ରେଞ୍ଜର ଝଲରା, ସୌଉରା ବିଲ୍‌, ନୂଆ କୂଅ, ଡେରାସ ଏବଂ ଚନ୍ଦକା ରେଞ୍ଜର ଝୁମୁକା ଅଞ୍ଚଳରେ ଅପରାହ୍ନ ୩ଟାରୁ ନିଆଁ ଲାଗିଥିଲେ ମଧ୍ୟ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିପାରି ନାହିଁ । ତେଣୁ ବନ ବିଭାଗର ଅଧିକାରୀମା‌ନେ ରାତି ପର୍ଯ୍ୟନ୍ତ ନିଆଁ ଲିଭାଇବା କାର୍ଯ୍ୟରେ ଲାଗି ରହିଛନ୍ତି।

ସିଆରପିଏଫ୍‌ ଫୋର୍ସ ସହ ଭୁବନେଶ୍ବରରୁ ଗୋଟିଏ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଚଲାଇଛି । ରାତିରେ ରାସ୍ତା ଠିକ୍‌ ଭାବେ ଦେଖା ନ ଯିବାରୁ ଅଧିକାରୀମାନଙ୍କୁ ନିଆଁ ଲିଭାଇବା ସମୟରେ ନାକେଦମ ହେବାକୁ ପଡ଼ୁଛି। କ୍ଷୟକ୍ଷତି ହେବାନେଇ ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ମିଳି ନ ଥିଲେ ମଧ୍ୟ ପାଖାପାଖି ୪ କିମି ପର୍ଯ୍ୟନ୍ତ ଜଙ୍ଗଲ ପୋଡ଼ି ହୋଇଯାଇଛି।

ବନ ବିଭାଗର ଜଣେ କର୍ମଚାରୀ କହିଛନ୍ତି ଯେ ନିଆଁ ଲିଭାଇବାକୁ ନାକେଦମ ହେବାକୁ ପଡ଼ିଲାଣି। କ’ଣ ପାଇଁ ଲାଗିଲା ଜଣାପଡ଼ୁନି । ତେବେ, ଚନ୍ଦକା ଡିଏଫ୍‌ଓ ମହମ୍ମଦ ଜମ୍ମିର ନିଆଁ ଲାଗିବା ଘଟଣାକୁ ଖଣ୍ଡନ କରିବା ସହ ସେଭଳି କୌଣସି ଖବର ନ ଥିବା କହିଛନ୍ତି।

Leave A Reply

Your email address will not be published.