Latest Odisha News

ପେଶାରେ ସଫ୍ଟୱେୟାର ଇଂଜିନିଅର, ନିଶାରେ ଲୁଟେରା !

କର୍ଣ୍ଣାଟକ: ପ୍ରାୟ ୭୦ଟି ଲୁଟ୍ ମାମଲାରେ ଜଣେ ଯୁବକକୁ ପୋଲିସ ଗିରଫ କରିଛି । କର୍ଣ୍ଣାଟକ ଓ ତାମିଲନାଡୁରେ ତା ବିରୋଧରେ ଦାୟର ହୋଇଥିଲା ଏକାଧିକ ମାମଲା । ବହୁଦିନ ଧରି ପୋଲିସ ଆଖିିରେ ଧୂଳିଦେଇ ଚଲାଇଥିଲା ଲୁଟ୍‌ତରାଜ । ହେଲେ ଶେଷରେ ବେଙ୍ଗାଳୁରୁର ପିନ୍ୟା ଅଂଚଳରେ ଜଣେ ବୟସ୍କ ମହିଳାଙ୍କ ବେକରୁ ଚେନ୍ ଲୁଟ୍ କରିବା ତାକୁ ମହଙ୍ଗା ପଡିଥିଲା ।

ଅଭିଯୁକ୍ତର ପରିଚୟ ହେଉଛି ଜୟକୁମାର । ଗିରଫ ଅଭିଯୁକ୍ତଠାରୁ ପୋଲିସ ୩.୭ ଲକ୍ଷ ଟଙ୍କାର ସୁନା ଚେନ୍ ଓ ୧୫ଟି ସିମ୍ କାର୍ଡ ଜବତ କରିଛି । ଜାଣି ଚକିତ ହେବେ ଗିରଫ ଅଭିଯୁକ୍ତ ଜଣକ ପୂର୍ବରୁ ଏକ ମଲ୍ଟି ନ୍ୟାସନାଲ କମ୍ପାନୀରେ ସଫ୍ଟୱେୟାର ଇଂଜିନିଅର ଭାବେ କାର୍ଯ୍ୟରତ ଥିଲା ।

ବେଶ ସାଧାରଣ ତରିକାରେ ଅଭିଯୁକ୍ତ ଲୁଟ୍ କରୁଥିଲା । ପ୍ରଥମେ ନିଜ ଦୁଇଚକିଆରେ ରେକି କରୁଥିଲା । ପରେ ସୁଯୋଗ ଦେଖି ମହିଳାଙ୍କ ବେକରୁ ଚେନ୍ ଟାଣି ଚମ୍ପଟ୍ ମାରୁଥିଲା । ଅକ୍ଟୋବର, ୨୦୧୯ରେ ପୋଲିସ ହାତରେ ଧରାପଡିବା ପରେ ବେଲରେ ମୁକୁଳିଥିଲା । ହେଲେ ଜୟକୁମାରର ସୁନା ଚେନ୍ ଲୁଟ୍ ନିଶା କିନ୍ତୁ କମିନଥିଲା ।

ଅଗଷ୍ଟ ୧୩’ରେ ଅଭିଯୁକ୍ତ ଜୟକୁମାର ଜଣେ ବୟସ୍କ ମହିଳାଙ୍କ ବେକରୁ ଚେନ୍ ଲୁଟି ଫେରାର ହୋଇଯାଇଥିଲା । ହେଲେ ସ୍ଥାନୀୟ ଅଂଚଳରେ ଲାଗିଥିବା ସିସିଟିଭିରେ ତା ଚେହେରା କଏଦ ହୋଇଯାଇଥିଲା । ଯାହାକୁ ମାଧ୍ୟମ କରି ପୋଲିସ ତାକୁ ମାସାଧିକ କାଳ ଧରି ପିଛା କରିଥିଲା । ଶେଷରେ ତାମିଲନାଡୁର କ୍ରିଷ୍ଣାଗିରିରେ ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି ।

Leave A Reply

Your email address will not be published.