Latest Odisha News

ବିଧାୟକ ପଦରୁ ଇସ୍ତଫା ଦେଲେ ମନୋହର ଲାଲ ଖଟ୍ଟର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ କିଛି ଦିନ ବାକି ଥିବା ବେଳେ ରାଜନୀତି ମାହୋଲ ଏବେ ସରଗରମ ରହିଛି। ହରିୟାଣାରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ବର୍ତ୍ତମାନ ଚର୍ଚ୍ଚାର ଶୀର୍ଷ ବିନ୍ଦୁ ପାଲଟିଛି। ହରିୟାଣାର ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ନପୁରୁଣୁ ମନୋହର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ମନୋହର କ’ଣ ପାଇଁ ଏହି ନିଷ୍ପତ୍ତି ନେଲେ ସେନେଇ ଏବେ ରାଜନୈତିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଗତ ୧୨ ତାରିଖ ଦିନ ହରିୟାଣାର ମୁଖ୍ୟମନ୍ତ୍ରୀ ପଦରୁ ମନୋହର ଲାଲ ଖଟ୍ଟର ଇସ୍ତଫା ଦେଇଥିଲା। ଏହାପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନାୟବ ସିଂହ ସୈନୀ ଶପଥ ଗ୍ରହଣ କରିଥିଲେ । ତେବେ ମନୋହର ବିଧାୟକ ପଦରୁ ଇସ୍ତଫା ଦେବା ପରେ ଲୋକସଭା ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି। ରାଜ୍ୟ ବିଧାନସଭାରେ ବିଜେପି ଫ୍ଲୋର ଟେଷ୍ଟରେ ପାସ କରିବା ପରେ ମନୋହର ଲାଲ ଏକ ବଡ଼ ଘୋଷଣା କରିଥିଲେ। ସେ କହିଥିଲେ, ‘ଆଜିଠାରୁ ମୁଁ କର୍ଣ୍ଣଲ ବିଧାନସଭା ଆସନରୁ ବିଧାୟକ ପଦରୁ ଇସ୍ତଫା ଦେବାକୁ ଘୋଷଣା କରୁଛି । ଆଜିଠାରୁ ମୁଖ୍ୟମନ୍ତ୍ରୀ ସୈନୀ କର୍ଣ୍ଣଲ ଆସନର ଦାୟିତ୍ୱ ବହନ କରିବେ । ବିଜେପି ତାଙ୍କୁ ଯାହା ଦାୟିତ୍ୱ ଦେବ, ସେ ଉତ୍ସର୍ଗୀକୃତ ଭାବେ କରିବେ।’

ଗତ ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ଖଟ୍ଟର କର୍ଣ୍ଣଲ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଅନ୍ୟପକ୍ଷରେ ନାୟବ ସିଂହ ସୈନୀ ବର୍ତ୍ତମାନ କୁରୁକ୍ଷେତ୍ର ଲୋକସଭା ଆସନରୁ ସାଂସଦ ରହିଥିବା ବେଳେ ସେ ଆଗକୁ ଉକ୍ତ ପଦରୁ ଇସ୍ତଫା ଦେଇପାରନ୍ତି । ଏଥିସହିତ ସେ କର୍ଣ୍ଣଲ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚନ ଲଢ଼ିପାରନ୍ତି । ସୈନୀକୁ ୬ ମାସ ମଧ୍ୟରେ ରାଜ୍ୟର କୌଣସି ଏକ ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହେବାକୁ ପଡ଼ିବ । ସମ୍ବିଧାନର ନିୟମ ଅନୁସାରେ ସୈନୀଙ୍କୁ ଏହା କରିବାକୁ ପଡ଼ିବ ।

Leave A Reply

Your email address will not be published.