ଭୁବନେଶ୍ଵର: ପରଲୋକରେ ବରିଷ୍ଠ ଭାରତୀୟ ବନ ସେବା ଅଧିକାରୀ ତଥା ଗବେଷକ ବିଜୟ ସ୍ୱାଇଁ । ଗୁରୁବାର ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା ।
ଶ୍ରୀଯୁକ୍ତ ସ୍ୱାଇଁ ଜଣେ ମେଧାବୀ ଛାତ୍ର ଥିଲେ ଏବଂ ଅଧ୍ୟୟନ ପାଇଁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ । ୨୦୦୮ ମସିହାରେ ଅବସର ନେବା ପରେ ସେ କଳିଙ୍ଗର ଗୌରବମୟ ସାମୁଦ୍ରିକ ଇତିହାସ ଉପରେ ଗବେଷଣା ଜାରି ରଖିଥିଲେ । କଳିଙ୍ଗ ପରମ୍ପରାକୁ ଅନୁସନ୍ଧାନ କରିବା ପାଇଁ ସେ ପୂର୍ବପୁରୁଷ ସମ୍ବନ୍ଧୀୟ ସ୍ଥାନକୁ ପରିଦର୍ଶନ କରିବା ସହ ସଂସ୍କୃତ ଗ୍ରନ୍ଥ ଏବଂ ଶିଳାଲେଖ ଆଦି ପଢ଼ିଥିଲେ ।
ସେ ଏକା ଧାରାରେ ବନୀକରଣ, ଆରଣ୍ୟ ବୃକ୍ଷ ଗବେଷଣା, ବାଉଁଶ ବନ ପରିଚାଳନା, ଓଡିଶାର ଔଷଧୀୟ ଉଦ୍ଭିଦ ଓ ଗୋଷ୍ଠୀ ବନ ପରିଚାଳନା କ୍ଷେତ୍ରରେ ଗବେଷଣା ଓ ଉଦ୍ଭାବନ ପାଇଁ ଅତ୍ୟନ୍ତ ପ୍ରତିଶ୍ରୁତିବଦ୍ଧ ପରିବେଶବିତ୍, ବନବିଜ୍ଞାନ ବିଶାରଦ ତଥା ଭାରତୀୟ ବନ ସେବା ଅଧିକାରୀ ଥିଲେ ବିଜୟ କୁମାର ।
ସେ କଳିଙ୍ଗ ପରମ୍ପରା ଏବଂ କଳିଙ୍ଗ- ଦକ୍ଷିଣ-ପୂର୍ବ ଏସିଆର ଭାରତୀୟକରଣ (ଦ କଳିଙ୍ଗ ହେରିଟେଜ୍ ଆଣ୍ଡ କଳିଙ୍ଗ ପାଇଓନିର୍ ଅଫ୍ ଇଣ୍ଡିଆନାଇ ଅପ୍ ସାଉଥଇଷ୍ଟ ଏସିଆ) ନାମରେ ଦୁଇଟି ପୁସ୍ତକ ରଚନା କରିଛନ୍ତି ।
ତାଙ୍କର ଶେଷ ସମୟରେ ଦୁଇ ଝିଅ ଡାକ୍ତର ରୋମା ରତନ, ଯୁଗ୍ମ ଡିଏମଇଟି ଏବଂ ଶ୍ରୀମତୀ ରୂପା ରୋଶନ ସାହୁ, ଆଇଏଏସ ଅଛନ୍ତି । ତାଙ୍କ ବଡ ଜ୍ୱାଇଁ ଡାକ୍ତର ଦେବାଶିଷ ନାୟକ ଆପୋଲୋ ହସ୍ପିଟାଲରେ ବରିଷ୍ଠ ପରାମର୍ଶଦାତା, କାର୍ଡିଓଥୋରାସିକ୍ ଓ ଭାସ୍କୁଲାର ସର୍ଜନ ଏବଂ ସାନ ଜ୍ୱାଇଁ ଅନୁପ କୁମାର ସାହୁ ଆଇପିଏସ୍ ଭାବରେ ଅବସ୍ଥାପିତ ଅଛନ୍ତି । ତାଙ୍କ ଅବର୍ତ୍ତମାନରେ ପରିବାରରେ ପତ୍ନୀ ଶ୍ରୀମତୀ ଜୟନ୍ତୀ ସ୍ୱାଇଁ, ଦୁଇ ଝିଅ, ଜ୍ୱାଇଁ ଓ ନାତିନାତୁଣୀ ରାଜିନ, ରିଦ୍ଧି ଓ କୁହୁ ଉପସ୍ଥିତ ଥିଲେ । ତାଙ୍କ ଅକାଳ ବିୟୋଗରେ ସମଗ୍ର ପରିବାରରେ ଶୋକର ଛାୟା ଖେଳିଯାଇଛି ।
Comments are closed.