Latest Odisha News

BREAKING NEWS

ଶିମିଳିପାଳ ଫରେଷ୍ଟ ଗାର୍ଡ ମୃତ୍ୟୁ ମାମଲାରେ ପୂର୍ବତନ ସରପଞ୍ଚଙ୍କ ସମେତ ତିନି ଗିରଫ

ବାରିପଦା: ମୟୂରଭଞ୍ଜ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ନିକଟରେ ଫରେଷ୍ଟ ଗାର୍ଡ ବିମଳ ଜେନା ହତ୍ୟା ଘଟଣାରେ ଶୁକ୍ରବାର ପୂର୍ବତନ ସରପଞ୍ଚଙ୍କ ସମେତ ଆଉ ୩ ଜଣଙ୍କୁ ଗିରଫ କରାଯାଇଛି। ବାରିପଦା ପୁଲିସ ଓ ବନ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଏହି ମାମଲାରେ ଦୁଇ ଜଣ ଗିରଫ ହୋଇଥିବା ସୂଚନା ରହିଛି।

BjdElectrycity

ଏହି ଅପରେସନ ସମୟରେ ଧରାପଡିଥିବା ଶିକାରୀଙ୍କ ନିକଟରୁ ୧୦ଟି ଦେଶୀ ବନ୍ଧୁକ ସମେତ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ। ଜବତ ବନ୍ଧୁକ ମଧ୍ୟରୁ ତିନୋଟି ବିମଲଙ୍କୁ ହତ୍ଯା କରିବା ବେଳେ ବ୍ୟବହାର ହୋଇଥିବା ସୂଚନା ରହିଛି। ପୋଲିସ ତିନି ଅଭିଯୁକ୍ତଙ୍କୁ ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରୁଥିବା ସୂଚନା ରହିଛି।

ଏହି ଜଘନ୍ୟ କାଣ୍ଡରେ ପୂର୍ବତନ ସରପଞ୍ଚ ବୁଦ୍ଧଦେବ ସିଂଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଛି। ଏହି କାର୍ଯ୍ୟ ପାଇଁ ଦାୟୀ ଅନ୍ୟ ଦୁଇ ବ୍ୟକ୍ତି ହେଲେ ସୁକଲାଲ ମାର୍ଣ୍ଡି ଓ ଦୁଗୁଲ ସିଂହ।

ଏହି ହତ୍ୟାକାଣ୍ଡ ସେତେବେଳେ ଘଟିଥିଲା ଯେତେବେଳେ ୩୫ ବର୍ଷୀୟ ବନରକ୍ଷୀ ବିମଳ କୁମାର ଜେନାଙ୍କୁ ଶିକାରୀମାନେ ଗୁଳିମାଡ଼ କରିଥିଲେ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ବିମଳ ପାଟ୍ରୋଲିଂ କରୁଥିବା ବେଳେ ଏହି ଦୁର୍ବୃତ୍ତ ଗ୍ୟାଙ୍ଗ ସହ ତାଙ୍କର ମୁହାଁମୁହିଁ ହୋଇଥିଲା। ରିପୋର୍ଟରୁ ଜଣାପଡିଛି ଯେ ଫରେଷ୍ଟ ଗାର୍ଡ ବିମଳ ଜେନା ଦୁର୍ବୃତ୍ତଙ୍କର ଅସ୍ତ୍ରଶସ୍ତ୍ର ଜବତ କରିନେଇଥିଲେ। ଏହାପରେ ଜଣେ ଶିକାରୀ ତାଙ୍କ ଛାତିରେ ଗୁଳି ଚଳାଇଥିଲେ, ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ହତ୍ୟାକାଣ୍ଡରେ ୧୩ ଜଣ ସନ୍ଦିଗ୍ଧଙ୍କ ଭୂମିକା ଥିବା ସନ୍ଦେହ କରାଯାଉଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବନରକ୍ଷୀ ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଦଣ୍ଡ ନମିଳିବା ଯାଏ ମିଳିତ କମ୍ବିଂ ଅପରେସନ ଜାରି ରହିବ।

Leave A Reply

Your email address will not be published.