Latest Odisha News

BREAKING NEWS

ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାଝୀଙ୍କ ପରଲୋକ

କଳାହାଣ୍ଡି: ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ବିଶିଷ୍ଟ ନାରୀନେତ୍ରୀ ଶ୍ରୀମତୀ ମାଝୀଙ୍କ ୫୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଶ୍ରୀମତୀ ୧୯୯୨ ମସିହାରେ ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତର ସମିତିସଭ୍ୟା ଭାବେ ନିର୍ବାଚିତ ହେବା ସହିତ ନିଜର ରାଜନୈତିକ ଯାତ୍ରାର ଆରମ୍ଭ କରିଥିଲେ। ଏହାପରେ ୨୦୦୨ ମସିହାରେ ତ୍ରିଲୋଚନପୁର ପଞ୍ଚାୟତର ସମିତିସଭ୍ୟା ଭାବେ ନିର୍ବାଚିତ ହେବା ସହିତ ଲାଞ୍ଜିଗଡ଼ ବ୍ଲକର ପ୍ରଥମ ଆଦିବାସୀ ମହିଳା ଅଧ୍ୟକ୍ଷା ହେବାର ଗୌରବ ଲାଭ କରିଥିଲେ।

ରାଜ୍ୟ ରାଜନୀତିର ଜଣେ ଧୂରୀଣ ବ୍ୟକ୍ତିତ୍ୱ ତଥା ପୂର୍ବତନ ମନ୍ତ୍ରୀ ଡ. ବଳଭଦ୍ର ମାଝୀଙ୍କ ସହଧର୍ମିଣୀ ହେବା ସହିତ ନାରୀ ସଶକ୍ତିକରଣର ଅନନ୍ୟ ଉଦାହରଣ ଭାବେ ସେ କ୍ରମାଗତ ୨୦୦୨ ଓ ୨୦୦୭ରେ ତ୍ରିଲୋଚନପୁର ପଞ୍ଚାୟତର ସମିତିସଭ୍ୟା ଭାବେ ନିର୍ବାଚିତ ହୋଇ ଦୁଇଥର ବ୍ଲକ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ନିଜ କାର୍ଯ୍ୟକାଳ ସମୟରେ ଲାଞ୍ଜିଗଡ଼ ବ୍ଲକ ଭଳି ଆଦିବାସୀ ବହୁଳ ଅଞ୍ଚଳରେ ବହୁ ବିକାଶମୂଳକ କାର୍ଯ୍ୟ କରାଇଥିଲେ। ସେହିପରି ୨୦୧୨ରେ କର୍ଲାମୁଣ୍ଡା ବ୍ଲକରୁ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ୨୦୧୭ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ।

ମହିଳାଙ୍କ ଅଧିକାର ଓ ସୁରକ୍ଷା ଉପରେ ସର୍ବଦା ସ୍ୱର ଉତ୍ତୋଳନ କରିଆସୁଥିବା ଶ୍ରୀମତୀ ୨୦୨୨ରେ କୁମଖାଲ ପଞ୍ଚାୟତର ସମିତି ସଦସ୍ୟା ଭାବେ କାର୍ଯ୍ୟରତ ଥିଲେ। ସେ କିଛିବର୍ଷ ଧରି ଅସୁସ୍ଥ ହୋଇ ପଡିଥିବାବେଳେ ଭୁବନେଶ୍ୱରଠାରେ ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ଚିକିତ୍ସାଧୀନ ମୃତ୍ୟୁ ଘଟିଥିଲା। ତାଙ୍କ ବିୟୋଗରେ ଜିଲ୍ଲାବ୍ୟାପି ଶୋକର ଛାୟା ଖେଳିଯାଇଥିବାବେଳେ ଜିଲ୍ଲାର ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ପୂର୍ବତନ ବିଧାୟକଙ୍କ ସହିତ ବହୁବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଜି ଅପରାହ୍ନରେ ପୁରୀ ସ୍ବର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

 

Leave A Reply

Your email address will not be published.